ରାଜସ୍ଥାନରେ ବଢ଼ୁଛି କଂଗ୍ରେସ କନ୍ଦଳ, ପାଇଲଟ୍‌ଙ୍କ ମହାପଞ୍ଚାୟତରେ ଯୋଗ ଦେଲେନି ଗେହଲଟ୍‌

Published By : Prameya-News7 Bureau | February 19, 2021 IST

ଜୟପୁର, ୧୯/୦୨: ରାଜସ୍ଥାନ କଂଗ୍ରେସରେ ଘରୋଇ କନ୍ଦଳ କମିବାରେ ନାଁ ଧରୁ ନାହିଁ । ରାହୁଲ୍‌ ଗାନ୍ଧିଙ୍କର ଦୁଇଦିନିଆ ରାଜସ୍ଥାନ ଗସ୍ତକୁ ନେଇ ଭିତିରି ବୁଝାମଣାରେ ରାଜ୍ୟ କଂଗ୍ରସର ଦୁଇ ହେଭିୱେଟ୍‌ ନେତା ଅଶୋକ ଗେହଲଟ ଏବଂ ସଚିନ୍‌ ପାଇଲଟ୍‌ଙ୍କ ମଧ୍ୟରେ ତିକ୍ତତା ହ୍ରାସ ପାଇବା ସହିତ ଦୁହେଁ ମିଶି ରାଜ୍ୟକୁ ସମ୍ଭାଳିବେ ବୋଲି ଆଶା କରାଯାଉଥିଲା । କିନ୍ତୁ ରାହୁଲ୍‌ଙ୍କ ଗସ୍ତ ସମୟରେ ହିଁ ଦୁଇ ଜଣଙ୍କ ମଧ୍ୟରେ ତିକ୍ତତା କିମିବା ପରିବର୍ତ୍ତେ ବଢ଼ିଯାଇଥିବା ଦେଖିବାକୁ ମିଳିଥିଲା । ।

ସଚିନ୍‌ ପାଇଲଟ୍‌ଙ୍କ ସମର୍ଥକ ରାହୁଲ୍‌ଙ୍କ ଗସ୍ତ ବେଳେ ସଚିନ୍‌ଙ୍କୁ ସାର୍ବଜନୀକ ସ୍ଥାନରେ ଅଣଦେଖା କରାଯାଉଥିବା ନେଇ ଅସନ୍ତୁଷ୍ଟ ହୋଇଥିଲେ । ରାହୁଲ୍‌ ଗାନ୍ଧିଙ୍କ ଗଙ୍ଗାନଗର, ହନୁମାନଗଡ଼, ଆଜ୍‌ମିର୍‌ ଏବଂ ନାଗୋରର ସାଧାରଣ ସଭାରେ ସଚିନ୍‌ଙ୍କୁ ପର୍ଯ୍ୟାପ୍ତ ସମ୍ମାନ ମିଳିନଥିଲା । ଯେଉଁ କାରଣରୁ ସଚିନ୍‌ ରାଗି ଯାଇଥିଲେ । ଦଳ ଭିତରେ କନ୍ଦଳ ବୃଦ୍ଧି ପାଇବାପରେ ସଚିନ୍‌ କୃଷକ ମହା ପଞ୍ଚାୟତ ଜରିଆରେ ଶକ୍ତି ପ୍ରଦର୍ଶନ କରିଥିଲେ ।

ରାହୁଲ୍‌ଙ୍କ ରାଜସ୍ଥାନ ଗସ୍ତର ଏକ ସପ୍ତାହ ଭିତରେ ସଚିନ୍‌ଙ୍କ ସମର୍ଥିତ ଜଣେ ବିଧାୟକ ବେଦ୍ ପ୍ରକାଶ ସୋଲଂକି ଶୁକ୍ରବାର ଦିନ ତାଙ୍କ ନିର୍ବାଚନମଣ୍ଡଳୀ ଚକସୁସ୍ଥିତ କୋଟଖାଭଡା ଠାରେ କୃଷକ ମହାପଞ୍ଚାୟତର ଆୟୋଜନ କରିଛନ୍ତି। ଏହି ମହା ପଞ୍ଚାୟତରେ ନିକଟସ୍ଥ ଜିଲ୍ଲାର କୃଷକମାନେ ବହୁ ସଂଖ୍ୟାରେ ଏକାଠି ହୋଇଥିଲେ । କିନ୍ତୁ ବିଶେଷ କଥା ହେଉଛି, ନିମନ୍ତ୍ରଣ ସତ୍ତ୍ୱେ ରାଜ୍ୟର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଏବଂ ପିସିସି ସଭାପତି ଗୋବିନ୍ଦ ସିଂ ଦୋଟାସାରା ଏହି କାର୍ଯ୍ୟକ୍ରମରେ ଯୋଗ ଦେଇନାହାଁନ୍ତି । ମଞ୍ଚରେ କେବଳ ସଚୀନ୍‌ଙ୍କ ସମର୍ଥିତ ଚେହେରା ଏବଂ ତାଙ୍କ ସମର୍ଥକ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା ।

ଏହି କାର୍ଯ୍ୟକ୍ରମରେ ଗେହଲଟ୍ ଦଳର କୌଣସି ନେତା ଉପସ୍ଥିତ ନଥିଲେ, ଯାହାକି ଦଳରେ ଚାଲିଥିବା ଛକାପଞ୍ଛାକୁ କେଉଁ ସ୍ତରରେ ପହଞ୍ଚିଛି ତାହା ସୂଚାଇ ଦେଉଛି । ସଭାସ୍ଥଳରେ ପାଇଲଟଙ୍କ ବଡ଼ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଥିଲା । ମଞ୍ଚରେ ଲଗାଯାଇଥିବା ପୋଷ୍ଟରରେ କଂଗ୍ରେସର ସମସ୍ତ ବଡ଼ ନେତାଙ୍କ ଚିତ୍ର ମଧ୍ୟ ରହିଥିଲା । ତେବେ ରାହୁଲ ଗାନ୍ଧୀ ଏବଂ ପାଇଲଟଙ୍କ ଫଟୋ ଏଥିରେ ବଡ଼ ଆକରରେ ସ୍ଥାନିତ କରାଯାଇଥିବା ଦେଖାଯାଇଥିଲା । ଗେହଲୋଟ୍ ଏବଂ ଡୋଟାସରାଙ୍କ ଫଟୋକୁ ମଝିରେ ସ୍ଥାନ ଦିଆଯାଇଥିଲା ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.