୨୦୨୪ ନିର୍ବାଚନ ପାଇଁ ଜାତୀୟ ସ୍ତରରେ ପରିବର୍ତ୍ତନ କଲା କଂଗ୍ରେସ: CWCରେ ସାମିଲ୍ ହେଲେ ସଚିନ ପାଇଲଟ ଓ ଶଶି ଥରୁର
20/08/2023 at 4:27 PM

ନୂଆଦିଲ୍ଲୀ: ଆସନ୍ତା ୨୦୨୪ ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ ଆଞ୍ଚଳିକ ଓ ଜାତୀୟ ସ୍ତରରେ ଦଳରେ ବଡ଼ ବଡ଼ ପରିବର୍ତ୍ତନ କରୁଛି କଂଗ୍ରେସ। ଦଳର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ କଂଗ୍ରେସ ୱାର୍କିଂ କମିଟିର ଘୋଷଣା କରିଛନ୍ତି। ଏଥର କମିଟିରେ ସୋନିଆଙ୍କ ନେତୃତ୍ୱ ନେଇ ପ୍ରଶ୍ନ ଉଠାଇଥିବା ଜି-୨୩ ନେତାଙ୍କୁ ମଧ୍ୟ ସାମିଲ୍ କରାଯାଇଛି। ସବୁଠାରୁ ବଡ କଥା ହେଲା, ଜାତୀୟ ସ୍ତରରେ ବରିଷ୍ଠ ନେତା ଶଶି ଥରୁର ଓ ରାଜସ୍ଥାନ ଯୁବ ନେତା ସଚିନ ପାଇଲଟଙ୍କ ଗୁରୁତ୍ୱ ବଢ଼ିଛି।
ନିକଟରେ କେତେକ ରାଜ୍ୟରେ ମୁଖିଆ ପରିବର୍ତ୍ତନ କରିଥିଲା ଦଳ। ଏବେ ପୂରା କଂଗ୍ରେସ କାର୍ଯ୍ୟକାରିଣୀ କମିଟିରେ ପରିବର୍ତ୍ତନ କରିଛନ୍ତି ଖଡଗେ।
ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କ ନେତୃତ୍ୱରେ ହୋଇଥିବା ପରିବର୍ତ୍ତନରେ କଂଗ୍ରେସ କାର୍ଯ୍ୟକାରୀ କମିଟିରେ ଶଶି ଓ ସଚିନଙ୍କୁ ସାମିଲ୍ କରାଯାଇଛି। ଫଳରେ ଦଳର ସମସ୍ତ କାର୍ଯ୍ୟପନ୍ଥା ନେଇ ଏହି ଦୁଇ ନେତା ସେମାନଙ୍କର ପରାମର୍ଶ ଦେଇପାରିବେ।
ସିଡବ୍ଲୁସିରେ ପରିବର୍ତ୍ତନ ହେବା ନେଇ ସୂଚନା ଦେଇଛନ୍ତି କଂଗ୍ରେସ ନେତା ଶଶି ଥରୁର। ସେ ତାଙ୍କ ସୋସିଆଲ୍ ମିଡିଆ ସାଇଟ୍ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି ଯେ ତାଙ୍କୁ ଦଳର କାର୍ଯ୍ୟକାରଣୀ କମିଟିରେ ସାମିଲ୍ କରିଥିବାରୁ ସେ ନିଜକୁ ଧନ୍ୟ ମନେ କରୁଛନ୍ତି। ଦୀର୍ଘ ୧୩୮ ବର୍ଷ ହେବ ସିଡବ୍ଲୁସି ଯେଉଁଭଳି ଭାବେ ଦଳର ମାର୍ଗ ଦର୍ଶନ କରି ଆସିଛି ଏ ବିଷୟରେ ଜାଣି, ଏଥିରେ ସାମିଲ୍ ହେବା ପରେ ନିଜକୁ ଧନ୍ୟ ମନେ କରୁଛି। ସାଥିମାନଙ୍କ ସହ ମିଶି ଦଳର ଉନ୍ନତି ପାଇଁ କାମ କରିବାକୁ ମୁଁ ଆଗ୍ରହୀ ବୋଲି ଥରୁର ଲେଖିଛନ୍ତି।
ପଢନ୍ତୁ-ମନ୍ତ୍ରୀ ନୁହେଁ, ଆର୍ଏସ୍ଏସ ନିଯୁକ୍ତ ପ୍ରତିନିଧି ଚଳାଉଛନ୍ତି ମନ୍ତ୍ରଣାଳୟ: ରାହୁଲ ଗାନ୍ଧୀ
କଂଗ୍ରେସ କାର୍ଯ୍ୟକାରିଣୀ କମିଟିରେ ହୋଇଥିବା ପରିବର୍ତ୍ତନରେ ୩୯ ଜଣ ସଦସ୍ୟ ଅଛନ୍ତି। ଏମାନଙ୍କ ମଧ୍ୟରେ ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ଶଶି ଥରୁର ଓ ସିଚନ ପାଇଲଟ ପ୍ରମୁଖ ଅଛନ୍ତି। ରାଜସ୍ଥାନ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବାରୁ ଅଶୋକ ଗେହଲୋଟ ଓ ପାଇଲଟଙ୍କ ମଧ୍ୟରେ ତିକ୍ତତା କମ୍ କରିବାକୁ ପାଇଲଟଙ୍କୁ କଂଗ୍ରେସର କାର୍ଯ୍ୟକାରିଣୀ କମିଟିରେ ସ୍ଥାନ ମିଳିଛି ବୋଲି ଚର୍ଚ୍ଚା ହେଉଛି।
ଏପଟେ ଯଦି ଶଶି ଥରୁରଙ୍କ କଥା ଦେଖିବା ସେ ମଧ୍ୟ ସୋନିଆ ଗାନ୍ଧୀଙ୍କ ନେତୃତ୍ୱକୁ ନାପସନ୍ଦ କରୁଥିବା ନେତାଙ୍କ ମଧ୍ୟରେ ସାମିଲ ଥିଲେ। କଂଗ୍ରେସରେ ପରିବର୍ତ୍ତନ କରିବାକୁ ଯେଉଁ ୨୩ ନେତା ସହମତି ପ୍ରକାଶ କରିଥିଲେ ସେମାନଙ୍କ ମଧ୍ୟରେ ଶଶି ଥରୁର ମଧ୍ୟ ରହିଥିଲେ। ଥରୁରଙ୍କ ସହିତ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନି ଓ ପ୍ରତିଭା ସିଂହଙ୍କୁ ମଧ୍ୟ କମିଟିରେ ସାମିଲ୍ କରାଯାଇଛି।
CWCରେ ମଲ୍ଲିକାର୍ଜୁନ ଖଡ଼ଗେ, ସୋନିଆ ଗାନ୍ଧୀ, ମନମୋହନ ସିଂ, ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ଏ.କେ ଆଣ୍ଟୋନି, ଅମ୍ବିକା ସୋନି, ଅଧିର ରଂଜନ ଚୌଧୁରୀ, ଦିଗବିଜୟ ସିଂ, ଚରଣଜିତ ସିଂ ଚନ୍ନି, ଆନନ୍ଦ ଶର୍ମାଙ୍କ ସମେତ ମୋଟ ୩୯ ନେତା ଅଛନ୍ତି। ଏଥିରେ ପାଇଲଟ, ଓ ଥରୁରଙ୍କ ସମେତ ଅଶୋକ ଚୌହାନ, ଦୀପକ ବାୱରିଆ ନୂଆ କରି ଯୋଡ଼ି ହୋଇଛନ୍ତି। ଗୌରବ ଗୋଗୋଇ, ନାସିର ହୁସେନ୍, ଦୀପା ଦାଶ ମୁନ୍ସିଙ୍କୁ ମଧ୍ୟ CWCରେ ସାମିଲ କରାଯାଇଛି।

ପଢନ୍ତୁ-ଏହି ଆସନରୁ ୨୦୨୪ ଲୋକସଭା ନିର୍ବାଚନ ଲଢ଼ିବେ ରାହୁଲ ଗାନ୍ଧୀ; ଖୁଲାସା କଲେ ୟୁପି କଂଗ୍ରେସ ମୁଖ୍ୟ
ବିଶେଷ ଆମନ୍ତ୍ରିତ ଅତିଥି ଭାବରେ ପବନ ଖେଡ଼ା, ସୁପ୍ରିୟା ସିନ୍ଦେ ଏବଂ ଅଳକା ଲାମ୍ବା ଅଛନ୍ତି। ଏହା ବ୍ୟତୀତ ୩୨ ସ୍ଥାୟୀ ଆମନ୍ତ୍ରିତ ସଦସ୍ୟ, ୯ ଜଣ ବିଶେଷ ଆମନ୍ତ୍ରିତ ସଦସ୍ୟ, ନିମନ୍ତ୍ରଣକାରୀ, ଯୁବ କଂଗ୍ରେସ, ଏନଏସୟୁଆଇ, ମହିଳା କଂଗ୍ରେସ ଏବଂ ସେବା ଦଳ ସଭାପତିଙ୍କୁ ମଧ୍ୟ ସ୍ଥାନ ଦିଆଯାଇଛି।
କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ପୂର୍ବରୁ ସୋନିଆ ଗାନ୍ଧୀଙ୍କ ଦ୍ୱାରା ଗଠିତ ସୢବ୍ଲୁସି କମିଟି ସହ କାମ କରୁଥିଲେ। ହେଲେ ଏଥିରେ ପରିବର୍ତ୍ତନ କରି ବର୍ତ୍ତମାନ ଗଠିତ ହୋଇଥିବା କମିଟିରେ ମଧ୍ୟ ବେଶି କିଛି ପରିବର୍ତ୍ତନ କରାଯାଇ ନାହିଁ।
କିଏ ହୁଅନ୍ତ ୱାର୍କିଂ କମିଟି ସଦସ୍ୟ?
ଉଲ୍ଲେଖନୀୟ ଯେ, ଚଳିତ ବର୍ଷ ଫେବୃଆରୀ ମାସରେ ଛତିଶଗଡ ରାୟପୁର ସାଧାରଣ ସମ୍ମିଳନୀରେ କଂଗ୍ରେସ ଏହାର ସମ୍ବିଧାନରେ ସଂଶୋଧନ କରିଥିଲା। କଂଗ୍ରେସ ସମ୍ବିଧାନର ବ୍ୟବସ୍ଥା ଅନୁଯାୟୀ, ଦଳର ସଭାପତି, ପୂର୍ବତନ ଅଧ୍ୟକ୍ଷ ଏବଂ ଦଳର ବର୍ତ୍ତମାନର କିମ୍ବା ପୂର୍ବତନ ପ୍ରଧାନମନ୍ତ୍ରୀ କାର୍ଯ୍ୟ କମିଟିର ସଦସ୍ୟ ରହିବେ।

କୌଣସି ମୁଖ୍ୟମନ୍ତ୍ରୀଙ୍କୁ ମିଳିଲାନି ଜାଗା
ଯଦିଓ ପୂର୍ବରୁ କଂଗ୍ରେସ ଶାସିତ ରାଜ୍ୟମାନଙ୍କର ମୁଖ୍ୟମନ୍ତ୍ରୀ ଦଳୀୟ କାର୍ଯ୍ୟକାରିଣୀ କମିଟିରେ ସ୍ଥାନ ଦିଆଯାଉଥିଲା ହେଲେ ଏଥର କିନ୍ତୁ କୌଣସି କଂଗ୍ରେସ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ କାର୍ଯ୍ୟକାରିଣୀ କମିଟିରେ ସ୍ଥାନ ଦିଆଯାଇ ନାହାନ୍ତି। ବର୍ତ୍ତମାନ କର୍ଣ୍ଣାଟକ, ରାଜସ୍ଥାନ, ଛତିଶଗଡ ଏବଂ ହିମାଚଳ ପ୍ରଦେଶରେ କଂଗ୍ରେସର ସରକାର ରହିଛି।
କମିଟିରେ ରହିଛନ୍ତି ୧୫ ଜଣ ମହିଳା ଅନ୍ତର୍ଭୁକ୍ତ
କଂଗ୍ରେସ କାର୍ଯ୍ୟକାରିଣୀ କମିଟିରେ ମୋଟ ୧୫ ଜଣ ମହିଳା ସ୍ଥାନ ପାଇଛନ୍ତି। ଏଥିମଧ୍ୟରେ ସୋନିଆ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, କୁମାରୀ ଶୈଳଜା, ଅମ୍ବିକା ସୋନି, ମୀରା କୁମାର ଏବଂ ଦୀପା ଦାସମୁନ୍ସି ଅଛନ୍ତି। ଏଥି ସହିତ ପ୍ରତୀଭା ସିଂ, ମୀନାକ୍ଷୀ ନଟରାଜନ୍, ଫୁଲୋ ଦେବୀ ନେତମ ଏବଂ ରଜନୀ ପାଟିଲ ସ୍ଥାୟୀ ଆମନ୍ତ୍ରିତ ସଦସ୍ୟ ରହିବେ। ସେହିପରି ଯଶୋମତି ଠାକୁର, ସୁପ୍ରିୟା ଶ୍ରୀନେତ, ପରିଣିତ ସିନ୍ଦେ, ଅଳକା ଲାମ୍ବା ଏବଂ ନେଟା ଡିସୁଜାଙ୍କୁ ବିଶେଷ ଅମନ୍ତ୍ରିତ ସଦସ୍ୟ ରୂପେ କମିଟିରେ ସ୍ଥାନ ଦିଆଯାଇଛି।
ତିନିଜଣ ଯୁବ ନେତା ସ୍ଥାନ ପାଇଲେ
ଉଦୟପୁରର କଂଗ୍ରେସ ଚିନ୍ତନ ଶିବିର ତଥା ରାୟପୁରର ସାଧାରଣ ସମ୍ମିଳନୀରେ ସଂଗଠନର ସମସ୍ତ ସ୍ତରରେ ୫୦ ବର୍ଷରୁ କମ୍ ନେତାମାନଙ୍କୁ ୫୦ ପ୍ରତିଶତ ସିଟ୍ ଦେବାର ସୂତ୍ର ବିଷୟରେ କହିଥିଲା ଦଳ, କିନ୍ତୁ ଏହି କାର୍ଯ୍ୟ କମିଟିରେ ଅନ୍ତର୍ଭୁକ୍ତ ୩୯ ସଦସ୍ୟ ତିନି ନେତାଙ୍କ ବୟସ ୫୦ ବର୍ଷରୁ କମ୍। ସେମାନଙ୍କ ମଧ୍ୟରେ ରାଜସ୍ଥାନର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ(୪୬ ବର୍ଷ), ଲୋକସଭାରେ ଦଳର ଡେପୁଟି ନେତା ଗୌରବ ଗୋଗୋଇ(୪୩ ବର୍ଷ) ଏବଂ ମଧ୍ୟପ୍ରଦେଶର ପୂର୍ବତନ ମନ୍ତ୍ରୀ ତଥା ବିଧାୟକ କମଲେଶ୍ୱର ପଟେଲ(୪୯) ଅଛନ୍ତି। କାର୍ଯ୍ୟକାରିଣୀ କମିଟିର ମୁଖ୍ୟ ଚେହେରା ରାହୁଲ ଗାନ୍ଧୀଙ୍କୁ ୫୩ ବର୍ଷ ହୋଇଥିବାବେଳେ କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ୫୧ ବର୍ଷ ବୟସ ହୋଇଛି।
ବରିଷ୍ଠ ନେତାମାନଙ୍କୁ ଗୁରୁତ୍ୱ
କଂଗ୍ରେସ ସବୁଥର ପରି ଏଥର ବି କମିଟିରେ ବରିଷ୍ଠ ନେତାମାନଙ୍କୁ ପ୍ରାଧାନ୍ୟ ଦେଇଛି। ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ୯୦ ବର୍ଷ ହୋଇଥିବାବେଳେ ବରିଷ୍ଠ ନେତା ଏ.କେ ଆଣ୍ଟୋନି ୮୨, ଅମ୍ବିକା ସୋନି ୮୦ ଏବଂ ମୀରା କୁମାରଙ୍କୁ ୭୮ ବର୍ଷ ବୟସ ହୋଇଛି। ଦଳ ସଭାପତି ସଭାପତି ମଲ୍କିକାର୍ଜୁନ ଖଡଗେଙ୍କୁ ୮୧ ବର୍ଷ ହୋଇଥିବାବେଳେ କଂଗ୍ରେସ ସଂସଦୀୟ ଦଳର ମୁଖ୍ୟ ସୋନିଆ ଗାନ୍ଧୀଙ୍କୁ ୭୬ ବର୍ଷ ବୟସ ହୋଇଛି। CWCରେ ଜୟରାମ ରମେଶ, ଦିଗବିଜୟ ସିଂ, ପି ଚିଦାମ୍ବରମ୍, ଆନନ୍ଦ ଶର୍ମା ଏବଂ ଅନ୍ୟ କେତେକ ବରିଷ୍ଠ ନେତାଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି।ଏମାନଙ୍କ ସମସ୍ତଙ୍କର ବୟସ ୭୦ରୁ ଉପରେ ରହିଛି।

ସିଡବ୍ଲୁସିରେ ମୁସଲିମ ଚେହେରା
କଂଗ୍ରେସ କାର୍ଯ୍ୟକାରିଣୀ କମିଟିରେ ଦଳର ସାଧାରଣ ସମ୍ପାଦକ ମୁକୁଲ ୱାସନିକ, ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି, ବରିଷ୍ଠ ନେତ୍ରୀ ମୀରା କୁମାର ଏବଂ କୁମାରୀ ଶୈଳଜା ପ୍ରମୁଖ ଦଳିତ ଚେହେରା ରୂପରେ ସ୍ଥାନ ପାଇଛନ୍ତି। ସେହିପରି 39 ଜଣ ସଦସ୍ୟ ବିଶିଷ୍ଟ CWC କମିଟିରେ ମୁସ୍ଲିମ ଚେହେରା ଭାବେ ତାରିକ ଅନୱାର, ସଲମାନ ଖୁରସିଦ, ଗୁଲାମ ଅହମ୍ମଦ ମିର ଏବଂ ସୟଦ ନାସିର ହୁସେନଙ୍କୁ ସ୍ଥାନ ମିଳିଛି।