ଗୋଟିଏ ବୈଠକରେ ସବୁ ବାଦ ବିବାଦ ଶେଷ: ଏକାଠି ନିର୍ବାଚନ ଲଢ଼ିବେ ଗେହଲଟ ଓ ପାଇଲଟ
6/07/2023 at 6:10 PM

ନୂଆଦିଲ୍ଲୀ: ରାଜସ୍ଥାନ କଂଗ୍ରେସରେ ଏତେ ବାଦ ବିବାଦ, ବିକ୍ଷୋଭ, ଧାରଣା, ପରଷ୍ପରକୁ ଟାର୍ଗେଟ୍। ଗୋଟିଏ ବୈଠକରେ ସବୁ ଶେଷ। ପୁଣି ଏକାଠି ନିର୍ବାଚନ ଲଢ଼ିବେ ଗେହଲଟ ଓ ପାଇଲଟ। କଂଗ୍ରେସର ବୈଠକ ପରେ ଏହି ସୂଚନା ଦେଇଛନ୍ତି ଉଭୟ ନେତା। ରାଜସ୍ଥାନରେ ଗତ ୨୫ ବର୍ଷ ହେଲା ରାଜସ୍ଥାନରେ ଚାଲି ଆସୁଥିବା ଥରେ ବିଜେପି ଥରେ କଂଗ୍ରେସ ଧାରା ଭାଙ୍ଗି ଏଥର କଂଗ୍ରେସ ଦ୍ୱିତୀୟ ଥର ପାଇଁ ସରକାର ଗଢିବ ବୋଲି ସଚିନ ପାଇଲଟ କହିଛନ୍ତି।
ଆସନ୍ତା ବିଧାନସଭା ଓ ଲୋକସଭା ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିବାକୁ ଆଜି କଂଗ୍ରେସର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ଦଳର ସଭାପତି ମଲ୍ଲିକାର୍ଜୁନ ଖାଡ଼ଗେ ଏବଂ ପୂର୍ବତନ ଦଳ ମୁଖ୍ୟ ରାହୁଲ ଗାନ୍ଧୀଙ୍କ ସମେତ ରାଜସ୍ଥାନର ବହୁ ବରିଷ୍ଠ ନେତାମାନେ ଯୋଗ ଦେଇଥଲେ। ରାଜ୍ୟ ଅଖିଳଭାରତୀୟ କଂଗ୍ରେସ କମିଟି ଦାୟିତ୍ୱରେ ଥିବା ସୁଖଜିନ୍ଦର ରନ୍ଧୱା ଏହି ବୈଠକ ଡାକିଥିଲେ।
ଚଳିତ ବର୍ଷ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବାରୁ ଭୋଟିଂ ରଣନୀତି ଏବଂ ପ୍ରସ୍ତୁତି ସମ୍ପର୍କରେ ବୈଠକରେ ଆଲୋଚନା ହୋଇଛି। ଏଥିସହିତ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଓ ଦଳର ନେତା ସଚିନ ପାଇଲଟଙ୍କ ମଧ୍ୟରେ ଥିବା ବିବାଦର ସମାଧାନ କରିବା ମଧ୍ୟ ବୈଠକର ମୁଖ୍ୟ ଲକ୍ଷ ଥିଲା।
ବୈଠକ ପରେ ପୁଣିଥରେ ମିଶିକି ନିର୍ବାଚନ ଲଢ଼ିବୁ ବୋଲି ଗେହଲଟ ଓ ପାଇଳଟ ମିଳିତ ବିବୃତ୍ତି ପ୍ରକାଶ କରିଛନ୍ତି। ବୈଠକରେ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ କହିଥିଲେ ଯାହା ଘଟି ଯାଇଛି ତାହା ଘଟିଛି। ତାକୁ ନ ଧରି ପୁଣି ମିଶ ନିର୍ବାଚନ ଲଢ଼ିବା ବୋଲି ଖଡ଼ଗେ କହିଥିବେ ପାଇଲଟ କହିଛନ୍ତି। ସୂଚନା ଥାଉକି ଏଥର କଂଗ୍ରେସ ଜିତିଲେ ରାଜ୍ୟ ସଂଗଠନରେ ପାଇଲଟଙ୍କୁ ଏକ ବଡ଼ ଦାୟିତ୍ୱ ମିଳିପାରେ ବୋଲି କୁହାଯାଉଛି।
ପଢ଼ନ୍ତୁ-ମାନହାନୀ ମାମଲାରେ ବଢ଼ିଲା ଗେହଲଟଙ୍କ ଅଡ଼ୁଆ; ଦିଲ୍ଲୀ କୋର୍ଟରେ ହାଜର ହେବା ପାଇଁ ନିର୍ଦ୍ଦେଶ
ଏହି ବୈଠକରେ ପାଇଲଟଙ୍କ ସମେତ କେନ୍ଦ୍ରୀୟ ନେତୃତ୍ୱ ଉପସ୍ଥିତ ଥିଲେ ହେଁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଗେହଲଟ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଯୋଗ ଦେଇଥିଲେ। ତାଙ୍କ ଦୁଇ ଗୋଡ଼ ଆଙ୍ଗୁଠିରେ ଆଘାତ ଲାଗିବାରୁ ସେ ବୈଠକକୁ ଆସିସାପିରି ନାହାନ୍ତି। ଚିକିତ୍ସିତ ହେଉଛନ୍ତି। ବୈଠକ ସମ୍ପର୍କରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ସେ ଟ୍ୱିଟ୍ କରି ଲେଖିଛନ୍ତି
“ଜନସେବା, ସମସ୍ତଙ୍କ ଆଶ୍ୱସ୍ତି ଏବଂ ଉତ୍ଥାନା, ପ୍ରଗତି ପଥରେ ରାଜସ୍ଥାନ। କଂଗ୍ରେସ ସମୁହ ବିକାଶ ଏବଂ ଜନ କଲ୍ୟାଣ ଯୋଜନାକୁ ରାଜସ୍ଥାନର ପ୍ରତ୍ୟେକ ଘରେ ପହଞ୍ଚାଇଛି। ଆଗାମୀ ନିର୍ବାଚନରେ ଦଳ ଏକଜୁଟ ହୋଇ ଜନସାଧାରଣଙ୍କ ପାଖକୁ ଯିବ। ରାଜସ୍ଥାନର ପ୍ରତ୍ୟେକ ବିଭାଗ – କୃଷକ, କୃଷି ଶ୍ରମିକ, ଯୁବକ, ମହିଳା ଏବଂ ସମାଜର ପ୍ରତ୍ୟେକ ବିଭାଗ କଂଗ୍ରେସ ଦଳ ଉପରେ ନିଜର ବିଶ୍ୱାସ ରଖିଛନ୍ତି। ଆମେ ସମସ୍ତଙ୍କର ଆକାଂକ୍ଷାର ଧ୍ୟାନ ଦେବୁ| ରାଜସ୍ଥାନର ଉଭୟ ବର୍ତ୍ତମାନ ଏବଂ ଭବିଷ୍ୟତ କଂଗ୍ରେସ ହାତରେ ସୁରକ୍ଷିତ। ଇତିହାସ ଏଥର ବଦଳିଯିବ|” ଟ୍ୱିଟ୍ରେ ଏକ ଭିଡିଓ ପୋଷ୍ଟ କରି ଏହି ସୂଚନା ଦେଇଛନ୍ତି ଖଡ଼ଗେ।
କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ଟ୍ୱିଟ୍ କରି ରାଜସ୍ଥାନରେ ପୁଣିଥରେ କଂଗ୍ରେସ ସରକାର ଆସିବା ନେଇ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ସେ ଟ୍ୱିଟ୍ କରି ଲେଖିଛନ୍ତି “ଆଜି କଂଗ୍ରେସ ସଭାପତି ଶ୍ରୀ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ନେତୃତ୍ୱରେ ରାଜସ୍ଥାନ କଂଗ୍ରେସ ନେତାଙ୍କ ସହ ଏକ ବୈଠକ ହୋଇଥିଲା। କଂଗ୍ରେସ ପୁଣି ଥରେ ରାଜସ୍ଥାନରେ ସରକାର ଗଠନ କରିବ ଏବଂ ଲୋକଙ୍କ ଭବିଷ୍ୟତ ପାଇଁ କାର୍ଯ୍ୟ ଜାରି ରଖିବ।”
ସୂଚନାନୁସାରେ, ସଚିନ ପାଇଲଟ ଏଆଇସିସିରେ କୌଣସି ଦାୟିତ୍ୱ ନେବାକୁ ଇଚ୍ଛୁକ ନୁହଁନ୍ତି। ସେ କେବଳ ରାଜସ୍ଥାନ ରାଜନୀତିରେ ଭୂମିକା ନିର୍ବାହ କରିବାକୁ ଚାହୁଁଛନ୍ତି। ଟିକେଟ ବଣ୍ଟନ ନେଇ ଯେମିତି ସେ ତାଙ୍କର ମତ ଦେଇପାରିବେ ସେଭଳି ରୋଲ୍ ଚାହୁଁଛନ୍ତି ପାଇଲଟ୍। ତେବେ ତାଙ୍କୁ ପୁଣିଥରେ ଦଳର ସଭାପତି କରାଯିବା ଉଚିତ ବୋଲି ତାଙ୍କ ସମର୍ଥକମାନେ ମତ ଦେଇଛନ୍ତି।
କେବଳ ସେତିକି ନୁହେଁ ସଚିନ୍ ପାଇଲଟ୍ ମଧ୍ୟ ତାଙ୍କର ସମସ୍ତ ତିନୋଟି ଦାବି ଉପରେ କାର୍ଯ୍ୟାନୁଷ୍ଠାନ ଚାହୁଁଛନ୍ତି। ହେଲେ ମୁଖ୍ୟମନ୍ତ୍ରୀ ଗେହଲଟ ସେହି ଦାବିଗୁଡିକ ଉପରେ କାର୍ଯ୍ୟାନୁଷ୍ଠାନ କରିବା ନେଇ ଏପର୍ଯ୍ୟନ୍ତ କୌଣସି ତତ୍ପରତା ଦେଖାଉ ନାହାନ୍ତି। ତେବେ କେନ୍ଦ୍ରୀୟ ନେତୃତ୍ୱ ଯଥାଶୀଘ୍ର ଏହାର ସମାଧାନ କରିବାକୁ ଚାହୁଁଛନ୍ତି। ଫଳରେ ଦଳ ଆସନ୍ତା ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିବ ଏବଂ ପରବର୍ତ୍ତୀ ନିର୍ବାଚନରେ ମିଳିତ ଭାବରେ ପ୍ରତିଦ୍ୱନ୍ଦ୍ୱିତା କରିପାରିବ।

କହି ରଖୁଛୁ ଯେ ଡିସେମ୍ବର ୨୦୧୮ରେ ରାଜସ୍ଥାନରେ କଂଗ୍ରେସ ସରକାର ଗଠନ କରିବା ଦିନଠାରୁ ଗେହଲଟ୍ ଏବଂ ପାଇଲଟଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ପଦବୀକୁ ନେଇ ବିବାଦ ଲାଗି ରହିନ୍ତି। କ୍ଷମତା ପାଇଁ ଦୁଇ ନେତାଙ୍କ ମଧ୍ୟରେ ଚାଲିଥିବା ଲଢ଼େଇ ଜୁଲାଇ ୨୦୨୦ରେ ପ୍ରଥମ ଥର କରି ସର୍ବସାଧାରଣ ସମ୍ମୁଖକୁ ଆସିଥିଲା। ସେତେବେଳେ ପାଇଲଟ୍ ରାଜ୍ୟରେ ନେତୃତ୍ୱ ପରିବର୍ତ୍ତନ ପାଇଁ ବିଦ୍ରୋହ କରିଥିଲେ।
ଦୁଇ ନେତାଙ୍କ ମଧ୍ୟରେ ଉତ୍ତେଜନାକୁ ଦୂର କରିବା ପାଇଁ କଂଗ୍ରେସ ମୁଖ୍ୟ ଖଡ଼ଗେ ଏବଂ ରାହୁଲ ଗାନ୍ଧୀ ମେ ମାସରେ ଉଭୟ ନେତାଙ୍କ ସହ ପୃଥକ ପୃଥକ ମାରାଥନ୍ ଆଲୋଚନା କରିଥିଲେ। ହେଲେ ଆଲୋଚନା କେବଳ ଆଲୋଚନାରେ ରହିଲା। ଏବେ ବି ଦୁଇ ନେତାଙ୍କ ମଧ୍ୟରେ ବୈରୀ ଭାବ କୁହୁଳିଥିବା ବେଳେ କଂଗ୍ରେସ ତାକୁ ଥାପି ଦେଇ ପୁଣି ନିର୍ବାଚନ ଲଢିବାକୁ ବାହାରିଛି। ଗତଥର ଭଳି ଏଥର କଂଗ୍ରେସ ସଫଳ ହେଉଛି ନା ରାଜସ୍ଥାନ ସଚେତନ ଜନତା ପାଳିକୁ ପାଳି ସରକାର ବଦଳାଇଲା ଭଳି ଏଥର କ୍ଷମତା ବିଜେପିକୁ ହାତକୁ ଟେକି ଦେଉଛନ୍ତି ତାହା ଦେଖିବା ବାକି ରହିଲା।