ଏସୀୟ ଚାମ୍ପିଅନସିପ ଟ୍ରଫିରେ ଚାମ୍ପିଅନ ଭାରତୀୟ ହକି ଦଳକୁ ସଚିନଙ୍କ ଶୁଭେଚ୍ଛା, ପିଆର ଶ୍ରୀଜେଶ କହିଲେ…
13/08/2023 at 6:47 PM

ନୂଆଦିଲ୍ଲୀ: ଭାରତୀୟ ହକି ଦଳ ଏସୀୟ ଚାମ୍ପିଅନ୍ସ ଟ୍ରଫି(ଏସିଟି) ୨୦୨୩ ଚାମ୍ପିଅନ ଆଖ୍ୟା ଅର୍ଜନ କରିଛି। ଭାରତ ଶନିବାର ଖେଳା ଯାଇଥିବା ସଂଘର୍ଷପୂର୍ଣ୍ଣ ମୁକାବିଲାରେ ମାଲେସିଆକୁ ୪-୩ ଗୋଲ୍ରେ ହରାଇଛି। ଏଥିସହ ଭାରତ ଚତୁର୍ଥ ଥର ଏସିଟି ଟାଇଟଲ୍ ଜିତିବାରେ ସଫଳ ହୋଇଛି। ଏହାପରେ ଭାରତୀୟ ହକି ଦଳକୁ ଚାରିଆଡ଼ୁ ଶୁଭେଚ୍ଛାର ସୂଅ ଛୁଟିବାରେ ଲାଗିଛି। ଏହି କ୍ରମରେ ମହାନ କ୍ରିକେଟର ସଚିନ ତେନ୍ଦୁଲକର ରବିବାର ଟୁଇଟ୍ କରି ଦଳର ପ୍ରଶଂସା କରିଛନ୍ତି।
ସଚିନ ଖେଳାଳିଙ୍କ ଉତ୍ସବ ମନାଇବାର ଭିଡିଓ ସେୟାର କରି ଲେଖିଛନ୍ତି, ଭାରତୀୟ ହକି ଦଳ ପାଇଁ ଆଉ ଏକ ଗୌରବପୂର୍ଣ୍ଣ ମୁହୂର୍ତ୍ତ। ଏସୀୟ ଚାମ୍ପିଅନସିପ୍ ଟ୍ରଫିରେ ଦମଦାୟ ବିଜୟ ପାଇଁ ଭାରତୀୟ ପୁରୁଷ ହକି ଦଳକୁ ଶୁଭେଚ୍ଛା। ଭାରତୀୟ ହକି ଦଳର ବରିଷ୍ଠ ଗୋଲ୍ କିପର ପିଆର ଶ୍ରୀଜେଶ ସଚିନଙ୍କ ପୋଷ୍ଟ ଉପରେ ପ୍ରତିକ୍ରିୟା ଦେଇ ଲେଖିଛନ୍ତି, ଥାଙ୍କ୍ୟୁ ଭାଇ।
Also read- କ୍ରିକେଟ ଇତିହାସରେ ପ୍ରଥମ, ଭାରତ ଜର୍ସିରେ ଲେଖାଯିବ ପାକିସ୍ତାନ
ଫାଇନାଲ୍ରେ ଭାରତ ପକ୍ଷରୁ ଜୁଗରାଜ ସିଂ(୯ମ), ଅଧିନାୟକ ହରମନପ୍ରୀତ ସିଂ(୪୫ମ), ଗୁରଜନ୍ତ ସିଂ(୪୫ମ) ଓ ଆକାଶଦୀପ ସିଂ(୫୬ମ) ଗୋଲ୍ ଦେଇଛନ୍ତି। ମାଲେସିଆ ପକ୍ଷରୁ ଅବୁ କମାଲ ଅଜରାଇ(୧୪ମ), ରହିମ ରାଜୀ(୧୮ମ) ଓ ମହମ୍ମଦ ଅମିନୁଦ୍ଦୀନ(୨୮) ଗୋଲ୍ ସ୍କୋର କରିଥିଲେ।
ଏସିଟି ଫାଇନାଲ୍ରେ ଗୋଟିଏ ସମୟରେ ଭାରତୀୟ ଦଳ ବହୁ ପଛରେ ରହିଥିଲା। ଲାଗୁଥିଲା ମାଲେସିଆ ବାଜି ମାରି ନେବ। ହେଲେ ଭାରତ ଅନ୍ତିମ କ୍ଷଣରେ ଅବିଶ୍ଵସନୀୟ ପ୍ରଦର୍ଶନ କରି ମ୍ୟାଚ୍କୁ ପ୍ରତ୍ୟାବର୍ତ୍ତନ କରିଥିଲା। ପ୍ରଥମାର୍ଦ୍ଧ ସୁଦ୍ଧା ଭାରତ ୩-୧ରେ ପଛୁଆ ଥିଲା। କିନ୍ତୁ ତୃତୀୟ କ୍ଵାର୍ଟରରେ ଭାରତ ଦମଦାର ପ୍ରତ୍ୟାବର୍ତ୍ତନ କରିଥିଲା। ଭାରତ ଗୋଟିଏ ମିନିଟ୍ ବ୍ୟବଧାନରେ ଦୁଇଟି ଗୋଲ୍ ଦେଇଥିଲା ଏବଂ ମାଲେସିଆକୁ ମ୍ୟାଚ୍ରେ ଫେରିବାକୁ ସୁଯୋଗ ଦେଇ ନ ଥିଲା। ଶେଷରେ ଆକାଶଦୀପ ସିଂ ନିର୍ଣ୍ଣାୟକ ଗୋଲ୍ ଦେଇ ଭାରତକୁ ଅବିଶ୍ଵସନୀୟ ବିଜୟ ଦେଇଥିଲେ।