ବିବାହ ବନ୍ଧନରେ ବାନ୍ଧି ହେଲେ ସାଚେତ-ପରମ୍ପରା : ଇନଷ୍ଟାଗ୍ରାମରେ ଲେଖିଲେ ,‘ ମୋତେ ଜଣାନଥିଲା କି ଆମେ ପରସ୍ପର ପାଇଁ ହୋଇଛୁ’
2/12/2020 at 8:52 AM

ନୂଆଦିଲ୍ଲୀ ୨/୧୨: ଶାହିଦ କପୁର ଏବଂ କିୟାରା ଆଡଭାନି ଅଭିନୀତ କବୀର ସିଂହର ବେଖୟାଲି ଗୀତରୁ ଚର୍ଚ୍ଚାରେ ଆସିଥିବା ସାଚେତ ଟଣ୍ଡନ ଏବଂ ପରମ୍ପରା ଠାକୁର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ସେମାନଙ୍କ ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି।
ସାଚେତ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ନିଜ ବିବାହର ଫଟୋ ସେୟାର କରି ଏହି ଖୁସି ଖବର ଜଣାଇଛନ୍ତି। ସାଚେତ ଇନଷ୍ଟାଗ୍ରାମରେ ଫଟୋ ପୋଷ୍ଟ୍ କରି ପରମ୍ପରାଙ୍କ ପାଇଁ ଲେଖିଛନ୍ତି ଯେ ଗତ ୫ବର୍ଷରୁ ତାଙ୍କ ସହ ରହିବା ପାଇଁ ଧନ୍ୟବାଦ। ସେ ଯଦି ଆଗରୁ ପରମ୍ପରାଙ୍କୁ ଭେଟିଥାଆନ୍ତେ ତାହେଲେ ଆହୁରି ସମୟ କଟାଇ ପାରିଥାନ୍ତେ।

ସାଚେତ ନିଜ ସୋସିଆଲ୍ ମିଡିଆ ପୋଷ୍ଟରେ ଆଗକୁ ଲେଖିଛନ୍ତି ଯେ,‘ଆମେ ଗୋଟିଏ ଦିନରେ ହିଁ ସଫଳତା ହାସିଲ କରିଦେବୁ ଭାବି ନିଜର ଅନେକ ଦୁଃଖ ଏବଂ ପରାଜୟକୁ ହସରେ ଉଡ଼ାଇ ଦେଇଛୁ। ଆଜି ସେ ସେହି ରାତିଗୁଡ଼ିକ ମନେ ପକାଉଛନ୍ତି ଯାହା ସେମାନେ ନିଜ ଲକ୍ଷ୍ୟକୁ ହାସଲ କରିବା ପାଇଁ ନ ଶୋଇ ବିତାଇଛନ୍ତି।
ନିଜ ପ୍ରେମ ଏବଂ ଇଚ୍ଛା ଆଗକୁ ପ୍ରକାଶ କରି ସାଚେତ ଲେଖିଛନ୍ତି,‘ ସେ ଜାଣିନଥିଲେ ଯେ ସେମାନେ ପରସ୍ପରର ହେବା ପାଇଁ ଜନ୍ମ ହୋଇଛନ୍ତି। ଯେତେବେଳେ ପୂରା ଦୁନିଆ ସେମାନଙ୍କୁ ବିରୋଧ କରୁଥିଲା ସେତେବେଳେ ତାଙ୍କ ସହ ରହିବା ପାଇଁ ଧନ୍ୟବାଦ। ସାଚେତ ଏବଂ ପରମ୍ପରା କିଛି ଦିନ ତଳେ ନିର୍ବନ୍ଧ କରି ସମସ୍ତ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲେ।

ସାଚେତ ଏବଂ ପରମ୍ପରା ୨୦୧୫ମସିହାରେ ଏକ ସିଙ୍ଗିଂ ରିୟଲିଟି ଶୋରେ ଏକାଠି ନଜର ଆସିଥିଲେ। ଦୁହେଁ କବୀର ସିଂହ,ଟୟେଲେଟ୍ ଏକ ପ୍ରେମ କଥା ଏବଂ ପଲ ପଲ ଦିଲ କେ ପାସ୍ ଫିଲ୍ମର ସଙ୍ଗୀତ ଦେଇଛନ୍ତି। ଏବେ ଏହି ଯୋଡ଼ିଙ୍କ ପରବର୍ତ୍ତୀ ପ୍ରୋଜେକ୍ଟ ଶାହିଦ କପୁରଙ୍କ ଅଭିନୀତ ‘ଜର୍ସି’।
