କଂଗ୍ରେସ ଅଫିସରେ ଲାଗିଲା ସାବରକରଙ୍କ ପୋଷ୍ଟର; ପୁଣି ସରଗରମ ହେଲା ରାଜନୀତି; ବିଜେପି ନେତା କହିଲେ...

Published By : Prameya-News7 Bureau | August 22, 2022 IST

ବେଙ୍ଗାଲୁରୁ ୨୨/୦୮: କର୍ଣ୍ଣାଟକର ବିଜୟପୁରା କଂଗ୍ରେସ କାର୍ଯ୍ୟାଳୟରେ କିଛି ଅଜଣା ବ୍ୟକ୍ତିମାନେ ବିନାୟକ ଦାମୋଦର ସାବରକରଙ୍କ ପୋଷ୍ଟର ଲଗାଇଥିଲେ। ଏହାକୁ ନେଇ କୌଣସି ରାଜନୈତିକ ଅପ୍ରୀତିକର ପରିସ୍ଥିତି ଆରମ୍ଭ ହେବା ପୂର୍ବରୁ ପୋଲିସ ଏହି ପୋଷ୍ଟରକୁ ହଟାଇଦେଇଛି। ବର୍ତ୍ତମାନ ସତର୍କତା ଦୃଷ୍ଟିରୁ ସେଠାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ସୂଚନାଥାଉକି, ପୂର୍ବରୁ ମଧ୍ୟ କର୍ଣ୍ଣାଟକରେ ସାବରକରଙ୍କ ପୋଷ୍ଟରକୁ ନେଇ ରାଜନୀତି ଜୋର୍‌ ଧରିଥିଲା। ଏହି ପୋଷ୍ଟର ବିବାଦକୁ ନେଇ ସ୍ୱାଧୀନତା ଦିବସ ଦିନ ସେଠାରେ ୨ଟି ପ୍ରମୁଖ ରାଜନୈତିକ ଦଳ ମଧ୍ୟରେ ସଂଘର୍ଷ ହେବା ସହିତ ତୁମୁଳ କାଣ୍ଡ ଘଟିଥିଲା।

ଏହା ମଧ୍ୟରେ ବିଜେପିର ଜଣେ ପଦାଧିକାରୀ ସାବରକରଙ୍କ ଫଟୋ ପୋଷ୍ଟର ଲଗାଇବା କଥା ସ୍ୱୀକାର କରିଛନ୍ତି। ସେ କହିଛନ୍ତି ‘’ଆମେ ସେହିଲୋକ ଯେଉଁମାନେ ସାବରକରଙ୍କ ଫଟୋ ଲଗାଇଛନ୍ତି। ହୁବଲିରେ କଂଗ୍ରେସ ନେତାମାନେ ସାବରକରଙ୍କ ଫଟୋ ଜଳାଇଛନ୍ତି। କଂଗ୍ରେସ ନେତାମାନେ ବାରମ୍ୱାର ସାବରକରଙ୍କୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି କରୁଛନ୍ତି। କଂଗ୍ରେସିମାନେ ସାବରକରଙ୍କୁ ସମ୍ମାନ ଦେବା ଆବଶ୍ୟକ, ତାଙ୍କ ବିଷୟରେ ବିଭିନ୍ନ ବହି ପଢ଼ିବା ଆବଶ୍ୟକ। କଂଗ୍ରେସ୍‌ ସାବରକରଙ୍କ ଫଟୋକୁ ଜଳାଇ କେଉଁ ବାର୍ତ୍ତା ଦେବାକୁ ଚାହୁଁଛି’’।   

ଅନ୍ୟପଟେ ଏହାକୁ ନେଇ ପୂର୍ବରୁ କଂଗ୍ରେସ ପୋଲିସ ଓ ଜିଲ୍ଲା ପ୍ରଶାସନ ପାଖରେ ସାବରକରଙ୍କ ପୋଷ୍ଟରକୁ ହଟାଇବା ପାଇଁ ଅପିଲ୍‌ କରିଥିଲା। ଏନେଇ ଜଣେ ସ୍ଥାନୀୟ କଂଗ୍ରେସ ନେତା କହିଛନ୍ତି ‘’ବିଜେପି କାର୍ଯ୍ୟକର୍ତ୍ତାମାନେ ଆଜି ପୋଷ୍ଟର ଲଗାଇଛନ୍ତି କାଲି ନିଜେ ଚିରିଦେବେ, ଯାହା ଫଳରେ ଚିନ୍ତା ଜନକ ପରିସ୍ଥିତି ସୃଷ୍ଟିହେବ ଏହାକୁ ନେଇ ଆମେ ଚିନ୍ତିତ। କିନ୍ତୁ ସେମାନେ ପୋଷ୍ଟରର ସୁରକ୍ଷା ପାଇଁ ଅନେକ ପୋଲିସ ଅଧିକାରୀଙ୍କୁ ନିୟୋଜିତ କରିଛନ୍ତି। ଏହା ବହୁତ ଲଜ୍ୟାଜନକ କଥା।   ଏଥିପାଇଁ ଆମେ ଆପତ୍ତି କରୁଛୁ।‘’

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.