କାମ ଦେଲାନି ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ: କେରଳ ସାବରିମାଲା ମନ୍ଦିରରେ ଜଣେ ହେଲେ ମହିଳା କରିପାରିଲେନି ପ୍ରବେଶ

Published By : Prameya-News7 Bureau | October 18, 2018 IST

ଥିରୁବନନ୍ତପୁରମ୧୮|୧୦: ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ ବି କାମ ଦେଲାନି । କେରଳ ସାବରିମାଲା ମନ୍ଦିରରେ କେହି ଜଣେ ହେଲେ ବି ମହିଳା ପ୍ରବେଶ କରିପାରିଲେନି । ଏପରିକି ଆଜି ମଧ୍ୟ ମହିଳା ସାମ୍ବାଦିକା, ପୋଲିସ୍ ଏବଂ ସ୍ବାସ୍ଥ୍ୟକର୍ମୀ ଆୟାପ୍ପାଙ୍କ ଅନ୍ଧ ଭକ୍ତଙ୍କ ଆକ୍ରୋଶର ଶିକାର ହୋଇଛନ୍ତି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ବିରୋଧରେ ଆଜି କେରଳରେ ବନ୍ଦ ପାଳନ ହେଉଥିବା ବେଳେ ଖୋଲି ଯାଇଛି ବିଜେପି କୁଳଗୁରୁ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ମୁଖା ।  ଏ ଦେଶରେ ମହିଳାଙ୍କ ପ୍ରତି କେତେ ସମ୍ମାନ ରହିଛି, ତାହା ସ୍ପଷ୍ଟ ହୋଇଗଲା । ପ୍ରଥା, ପରମ୍ପରା, ଅନ୍ଧବିଶ୍ବାସ ଓ ଧର୍ମ ନାଁରେ ଏଠି ରାଜନୀତି ହିଁ ସବୁକିଛି । ଯାହାକୁ ସମ୍ପୂର୍ଣ୍ଣ ସ୍ପଷ୍ଟ କରିଦେଇଛି କେରଳ ସାବରିମାଳା ମନ୍ଦିର ପ୍ରସଙ୍ଗ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ବି ଜଣେ ହେଲେ ମହିଳା ମନ୍ଦିରରେ ପଶି ପାରିଲେନି । ଶହ ଶହ ପୋଲିସ୍ ଥାଇ ବି ସର୍ବୋଚ୍ଚ କୋର୍ଟଙ୍କ ନିର୍ଦ୍ଦେଶ ତିଳେ ମାତ୍ର କାର୍ଯ୍ୟକାରୀ ହୋଇ ପାରିଲାନି ।   ୧୦ରୁ ୫୦ ବର୍ଷର ମହିଳାଙ୍କୁ ସାବରିମାଲା ମନ୍ଦିର ମନା । ଶହ ଶହ ବର୍ଷ ଧରି ସ୍ବାମୀ ଆୟାପ୍ପାଙ୍କ ମନ୍ଦିରରେ ଏହି ପରମ୍ପରା ଚଳି ଆସୁଛି । ତେବେ ଧର୍ମୀୟ ଭାବନା ସହ ଶାରିରୀକ ଧର୍ମର କୌଣସି ସମ୍ପର୍କ ନଥିବା ଦର୍ଶାଇ, ମହିଳାମାନଙ୍କ ପ୍ରବେଶକୁ ଅନୁମତି ଦେଇଥିଲେ ସର୍ବୋଚ୍ଚ କୋର୍ଟ । କୋର୍ଟ ନିର୍ଦ୍ଦେଶ ଦେବାର ମାସକ ପରେ ଖୋଲିଲା ମନ୍ଦିର । କିନ୍ତୁ ମନ୍ଦିର ଠାରୁ ୨୦ କିଲୋମିଟର ଦୂରରୁ ମହିଳାମାନଙ୍କୁ ଫେରାଇ ଦିଆଗଲା । ଗତକାଲି କିଛି ମହିଳା ସମ୍ବାଦିକ ଆକ୍ରୋଶର ଶିକାର ହୋଇଥିଲେ । ଆଉ ଆଜି ମଧ୍ୟ ଅନୁରୂପ ଘଟଣା ଘଟିଲା । ନ୍ୟୁୟର୍କ ଟାଇମ୍ସ ଜଣେ ମହିଳା ସମ୍ବାଦିକ ଆକ୍ରୋଶର ଶିକାର ହୋଇଛନ୍ତି । ମହିଳା ପୋଲିସ୍ ଏବଂ ସ୍ବାସ୍ଥ୍ୟକର୍ମୀ ମାନେ ମଧ୍ୟ ବାଦ୍ ପଡ଼ି ନାହାନ୍ତି । ସାବରିମାଳା ପ୍ରସଙ୍ଗକୁ ନେଇ କେରଳରେ ଆଜି ବନ୍ଦ ପାଳନ କରାଯାଇଥିବା ବେଳେ ଖୋଲି ଯାଇଛି ବିଜେପି କୁଳଗୁରୁ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ମୁଖା । ଶହ ଶହ ବର୍ଷର ପରମ୍ପରା ଏବଂ ଆୟାପ୍ପା ଭକ୍ତଙ୍କ ମାନସିକତାକୁ ସୁପ୍ରିମକୋର୍ଟ ବିଚାରକୁ ନେଇ ନଥିବା କହିଛନ୍ତି ଆରଏସଏସ ମୁଖ୍ୟ ମୋହନ ଭାଗବତ । ଯାହାକୁ ଟ୍ୱିଟ୍ କରି ସମାଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ୍ । ସାବରିମାଳାରେ ମହିଳାଙ୍କ ପ୍ରବେଶକୁ ନେଇ ଆରଏସଏସ ଅସହିଷ୍ଣୁ ହୋଇ ପଡ଼ିଥିବା ସେ କହିଛନ୍ତି ।   ଆରଏସଏସ୍ ସଦସ୍ୟମାନେ ଆୟାପ୍ପା ଭକ୍ତ ବେଶରେ ବେଶରେ ମନ୍ଦିର ପାଖାପାଖି ଅଞ୍ଚଳରେ ବୁଲୁଥିବା ବେଳେ ପୋଲିସ୍ ସେମାନଙ୍କ ଉପରେ କଡ଼ା ନଜର ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.