୩ ଦିବସୀୟ ଯାତ୍ରାରେ UAE ପହଞ୍ଚିଲେ ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର

Published By : Prameya-News7 Bureau | August 31, 2022 IST

ଦୁବାଇ ୩୧।୮: ବୈଦେଶିକ ମନ୍ତ୍ରୀ ଏସ୍.ଜୟଶଙ୍କର ୩ ଦିବସୀୟ ୟୁଏଇ ଗସ୍ତରେ ବୁଧବାର ଦୁବାଇରେ ପହଞ୍ଚିଛନ୍ତି। ଏହି ଗସ୍ତ କାଳରେ ଜୟଶଙ୍କର ଉପସାଗରୀୟ ରାଷ୍ଟ୍ରଙ୍କ ବୈଦେଶିକ ମନ୍ତ୍ରୀ ଶେଖ ଅବଦୁଲ୍ଲା ବିନ ଜାୟେଦ୍ ଙ୍କ ସହ କଥାବାର୍ତ୍ତା କରିବେ ଓ ଦୁଇ ଦେଶଙ୍କ ମଧ୍ୟରେ ସମଗ୍ର ରଣନୈତିକ ଭାଗିଦାରୀର ସମୀକ୍ଷା କରିବେ। ଆବୁଧାବୀସ୍ଥିତ ଭାରତୀୟ ଦୂତାବାସ  ଜୟଶଙ୍କର ୟୁଏଇ ପହଞ୍ଚିଥିବାର ଖବର ପୁଷ୍ଟି କରିଛନ୍ତି।

ଜୟଶଙ୍କରଙ୍କ ୟୁଏଇ ପ୍ରବାସ କାଳରେ ଚତୁର୍ଦ୍ଦଶତମ ଭାରତ-ୟୁଏଇ ମିଳିତ ଆୟୋଗ (ଜିସିଏମ) ବୈଠକ ଓ ତୃତୀୟ ଭାରତ-ୟୁଏଇ ରଣନୈତିକ ବାର୍ତ୍ତାରେ ଜୟଶଙ୍କର ତାଙ୍କ ସମକକ୍ଷ ଶେଖ ଅବଦୁଲ୍ଲାଙ୍କ ସହ ସମୀକ୍ଷା କରିବେ। ଏହି ଗସ୍ତକାଳରେ ଜୟଶଙ୍କର ୟୁଏଇରେ ଅନ୍ୟ ଗଣ୍ୟମାନ୍ୟ ବ୍ୟକ୍ତିଙ୍କୁ ମଧ୍ୟ ଭେଟିବେ। ବୟାନ ଅନୁସାରେ ଭାରତ ଓ ୟୁଏଇ ମଧ୍ୟରେ ୨୦୨୨ରେ ନିୟମିତ ଉଚ୍ଚସ୍ତରୀୟ ବାର୍ତ୍ତା ହୋଇଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୁନ ୨୮ ତାରିଖରେ ଆବୁଧାବୀ ଗସ୍ତ କରିଥିଲେ। ଏହି ଗସ୍ତକାଳରେ ପ୍ରଧାନମନ୍ତ୍ରୀ ୟୁଏଇ ରାଷ୍ଟ୍ରପତି ଶେଖ ମହମ୍ମଦ ବିନ ଜାୟଦ ଅଲ ନାହ୍ୟାନଙ୍କୁ ଭେଟିଥିଲେ। ଏହା ପୂର୍ବରୁ ଉଭୟ ନେତା ଫେବୃଆରୀ ୧୮ ତାରିଖ ଦିନ ଡିଜିଟାଲ ମାଧ୍ୟମରେ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ କମ୍ପୋଜିଟ୍ ଇକୋନମିକ ପାର୍ଟନରସିପ୍ ଏଗ୍ରିମେଣ୍ଟ (ସିଇପିଏ) ସ୍ୱାକ୍ଷରିତ ହୋଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.