ଋତୁରାଜଙ୍କ ବ୍ୟାଟ୍‌ରୁ ରନ ବର୍ଷା, ଏମିତି କରିବାରେ ହେଲେ ପ୍ରଥମ ବ୍ୟାଟର

Published By : Prameya-News7 Bureau | December 02, 2022 IST

ନୂଆଦିଲ୍ଲୀ: ବିଜୟ ହଜାରେ ଟ୍ରଫି ୨୦୨୨ର ଫାଇନାଲ ମୁକାବିଲାରେ ସୌରାଷ୍ଟ୍ର ମହାରାଷ୍ଟ୍ରକୁ ହରାଇ ଚାମ୍ପିଅନ ହୋଇଛି। ମହାରାଷ୍ଟ୍ରର ଅଧିନାୟକ ଋତୁରାଜ ଗାଏକଓ୍ଵାଡ ଆଉ ଏକ ଶତକ ହାସଲ କରି ଦଳକୁ ସମ୍ମାନଜନକ ସ୍କୋରରେ ପହଞ୍ଚାଇଥିଲେ। ବିଜୟ ହଜାରେ ଟ୍ରଫିରେ ବର୍ତ୍ତମାନ ସିଜିନରେ ଋତୁରାଜ ଗାଏକଓ୍ଵାଡ ଗତ ପାଞ୍ଚଟି ଇନିଂସରେ ଚତୁର୍ଥ ଶତକ ହାସଲ କରିଛନ୍ତି। ହେଲେ ତାଙ୍କର ଏହି ଶତକ ଦଳକୁ ଜିତାଇ ପାରି ନାହିଁ। ଫାଇନାଲ୍ ମ୍ୟାଚ୍‌ରେ ସେ ଧିମା ଆରମ୍ଭ କରିଥିଲେ ହେଁ ଶେଷ ଆଡକୁ ଦ୍ରୁତ ବ୍ୟାଟିଂ କରିଥିଲେ।

ଚଳିତ ବିଜୟ ହଜାରେ ଟ୍ରଫିରେ ଋତୁରାଜ ଅପରାଜିତ ୧୨୪, ୪୦, ଅପରାଜିତ ୨୨୦, ୧୬୮ ଏବଂ ୧୦୮ ରନର ଚତ୍ମକାର ଇନିଂସ ଖେଳିଛନ୍ତି। ସୌରାଷ୍ଟ୍ର ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଜବାବରେ ମହାରାଷ୍ଟ୍ରର ଇନିଂସ ପ୍ରଥମରୁ ନିରାଶଜନକ ରହିଥିଲା। ପବନ ଶାହ ମାତ୍ର ୪ ରନ କରି ଆଉଟ୍ ହୋଇଥିଲେ। ସତ୍ୟଜିତ ବଛାଓ୍ଵ ଋତୁରାଜଙ୍କ ସହ ମିଶି ସ୍କୋରକୁ ୭୪ ରନରେ ପହଞ୍ଚାଇଥିଲେ। ମାତ୍ର ମହାରାଷ୍ଟ୍ରର ରନ ରେଟ୍ ବହୁତ ଧିମା ରହିଥିଲା।

ଏହା ପରେ ଋତୁରାଜ ଗାଏକଓ୍ଵାଡ ଆଭିମୁଖ୍ୟ ବଦଳାଇ ଦ୍ରୁତ ବ୍ୟାଟିଂ କରିଥିଲେ। ଏହା ପୂର୍ବରୁ ଋତୁରାଜ କ୍ଵାର୍ଟର ଫାଇନାଲ୍‌ରେ ଦ୍ଵିଶତକ, ସେମି ଫାଇନାଲ୍‌ରେ ୧୫୦ରୁ ଉର୍ଦ୍ଧ୍ଵ ଏବଂ ଫାଇନାଲ୍‌ରେ ଶତକ ଅର୍ଜନ କରିଛନ୍ତି। ୨୦୨୧ରୁ ଏ ପର୍ଯ୍ୟନ୍ତ ବିଜୟ  ହଜାରେ ଟ୍ରଫିରେ ଋତୁରାଜ ଗାଏକଓ୍ଵାଡଙ୍କ ବ୍ୟାଟ୍ ରନ ବର୍ଷା କରି ଚାଲିଛି। ଏହା ଗାଏକଓ୍ଵାଡଙ୍କ ବିଜୟ  ହଜାରେ ଟ୍ରୃଫିରେ ୧୨ମ ଶତକ। ସେ ଏହି ଟୁର୍ଣ୍ଣାମେଣ୍ଟର ଇତିହାସରେ ସର୍ବାଧିକ ଶତକ ହାସଲ କରିବା ମାମଲାରେ ଅଙ୍କିତ ବାବନେ ଏବଂ ରବିନ ଉଥପ୍ପାଙ୍କୁ ପଛରେ ପକାଇ ଏକ ନମ୍ବରରେ ରହିଛନ୍ତି। ଅଙ୍କିତ୍ ଏବଂ ଉଥପ୍ପା ବିଜୟ ହଜାର ଟ୍ରଫିରେ ମୋଟ୍ ୧୧ଟି ଲେଖାଏଁ ଶତକ  ହାସଲ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.