ନୂଆଦିଲ୍ଲୀ,୨୭ /୦୧: ଋଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ସ୍ଥିତି ଉପୁଜିଛି । ୟୁକ୍ରେନକୁ ନେଇ ଋଷର ଆଭିମୁଖ୍ୟ ଏବେ ବିଶ୍ୱ ସମୁଦାୟର ଚିନ୍ତା ବଢାଇଛି । ଏହାରି ଭିତରେ ଆମେରିକାର ବୈଦେଶିକ ବ୍ୟାପାର ମନ୍ତ୍ରୀ ଅଣ୍ଟୋନୀ ବ୍ଲିଙ୍କେନ ଏହି ପ୍ରସଙ୍ଗରେ ଚୀନ ପ୍ରତିପକ୍ଷ ୱାଙ୍ଗ ୟିଙ୍କ ସହ କଥା ହୋଇଛନ୍ତି । ୟୁକ୍ରେନ ପ୍ରତି ଋଷର ଆଭିମୁଖ୍ୟ ‘ବୈଶ୍ୱିକ ସୁରକ୍ଷା ଏବଂ ଆର୍ଥିକ ସଙ୍କଟ’ ସୃଷ୍ଟି କରିବ ବୋଲି ବ୍ଲିଙ୍କେନ ଚୀନ ବିଦେଶ ମନ୍ତ୍ରୀଙ୍କୁ କହିଥିବା ଆମେରିକାର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।
ଏହାସହ ଚୀନ ବିଦେଶ ମନ୍ତ୍ରୀଙ୍କୁ ବ୍ଲିଙ୍କେନ କହିଛନ୍ତି, ସୈନ୍ୟ ଅପସାରଣ ଏବଂ କୂଟନୈତିକ ଉପାୟରେ ହିଁ ଏହି ବିବାଦର ସମାଧାନ କରାଯାଇ ପାରିବ ।
ଆମେରିକା ପୂର୍ବରୁ ବହୁବାର ଚେତବାନୀ ଜାରି କରିସାରିଛି ଯେ, ଋଷ ଆକ୍ରମଣ ଉଦ୍ଦେଶ୍ୟରେ ୟୁକ୍ରେନ ସୀମାରେ ୧,୦୦,୦୦୦ରୁ ସୈନ୍ୟ ମୁତୟନ କରିଛି । କିନ୍ତୁ ଋଷ ରାଷ୍ଟ୍ରପତି ବ୍ଲାଦିମିର ପୁଟିନ ଏହି ଅଭିଯୋଗକୁ ଖଣ୍ଡନ କରି କହିଥିଲେ, ଦେଶ ଭିତରେ ଋଷ ସେନା ଯେକୌଣସି ସ୍ଥାନକୁ ଯାଇପାରିବେ।
ଗତ ମାସରେ ଋଷ ସୁରକ୍ଷା ସମ୍ୱନ୍ଧୀୟ ଏକ ଦସ୍ତାବିଜ୍ ଆମେରିକା ଏବଂ ନାଟୋ ନିକଟରେ ଦାଖଲ କରିଥିଲା । ଏଥିରେ ଋଷର ପୂର୍ବାଞ୍ଚଳରେ ସେମାନଙ୍କ ସୀମା ବିସ୍ତାର ନକରିବାକୁ ଚେତାବନୀ ଦେଇଥିଲା । ତେବେ ବାଇଡେନ ପ୍ରଶାସନ ରୁଷିଆର ଏହି ସୁରକ୍ଷା ଦାବିକୁ ପ୍ରତ୍ୟାଖାନ କରିବା ସହ କୂଟନୈତିକ ସମାଧାନ ପାଇଁ ଆହ୍ୱାନ ଦେଇଥିଲା।
ଅନ୍ୟପଟେ ଚୀନ ବିଦେଶ ମନ୍ତ୍ରୀ ଋଷର ସମର୍ଥନରେ କହିଥିଲେ, ‘ଋଷ ସୁରକ୍ଷାକୁ ନେଇ ଥିବା ଚିନ୍ତାକୁ ଗୁରୁତର ସହ ନେଇ ଏହାର ସମାଧାନ ବାହାର କରିବା ଜରୁରୀ’। ଏହାସହ ୱାଙ୍ଗ କହିଥିଲେ, ‘ମିଲିଟାରୀ ଶକ୍ତିର ବୃଦ୍ଧି କିମ୍ୱା ବିସ୍ତାର ଆଞ୍ଚଳିକ ସୁରକ୍ଷାର ଗ୍ୟାରେଣ୍ଟୀ ପ୍ରଦାନ କରି ନଥାଏ’।
ଏହାରି ଭିତରେ ବୁଧବାର ପ୍ୟାରିସରେ ୟୁକ୍ରେନ ଏବଂ ରୁଷିଆର ଅଧିକାରୀ ବୈଠକ କରିଥିଲେ । ଏହାସହ ଆସନ୍ତା ଦୁଇ ସପ୍ତାହରେ ମଧ୍ୟରେ ବରଲିନରେ ପୁଣି ଆଲୋଚନା କରିବା ପାଇଁ ରାଜି ହୋଇଛନ୍ତି । ୟୁକ୍ରେନ ପକ୍ଷରୁ ଏହାକୁ ଭଲ ଖବର ବୋଲି ଦର୍ଶାଯାଇଥିଲା ।
ଅନ୍ୟପଟେ ୟୁକ୍ରେନ ଏବଂ ଋଷ ସୀମାରେ ଯୁଦ୍ଧ ପରିସ୍ଥିତିକୁ ନଜରରେ ରଖି ନାଟୋ ପକ୍ଷରୁ ୮ ହଜାର ୫ ଶହ ଯବାନ ମୁତୟନ କରାଯାଇଛି। ଏପରିକି ଆମେରିକା ଏବଂ ଇରୋପିଆନ ୟୁନିୟନ ଋଷକୁ ଭୟଙ୍କର ପରିଣାମ ଭୋଗିବା ପାଇଁ ପ୍ରସ୍ତୁତ ରହିବାକୁ ଚେତାବନୀ ଦେଇସାରିଛନ୍ତି ।