ଜାପୋରିଜିଆ ଆଣବିକ ଶକ୍ତି କେନ୍ଦ୍ର ନିକଟରେ ମିଶାଇଲ ମାଡ କଲା ରୁଷ, ୧୩ ଜଣଙ୍କ ମୃତ୍ୟୁ ହୋଇଥିବା ୟୁକ୍ରେନର ଦାବି

Published By : Prameya-News7 Bureau | August 10, 2022 IST

ନୂଆଦିଲ୍ଲୀ: ୟୁକ୍ରେନ ଉପରେ ଘନ ଘନ ମିଶାଇଲ ମାଡ କରିବା ଜାରି ରଖିଛି ରୁଷ । ରୁଷ ନିୟନ୍ତ୍ରଣରେ ଥିବା ପାୱର ପ୍ଲାଣ୍ଟ ନିକଟରେ ନିଜେ ରୁଷ ମିଶାଇଲ ମାଡ କରିଥିବା ୟୁକ୍ରେନ ଦାବି କରିଛି । ଏଥିରେ ୧୩ ଜଣ ସାଧାରଣ ଲୋକଙ୍କ ଜୀବନ ଯାଇଥିବା ୟୁକ୍ରେନ ଅଧିକାରୀ ଦାବି କରିଛନ୍ତି । ଏହି ଆକ୍ରମଣରେ ଅନ୍ୟ ୧୧ ଜଣ ଆହତ ହୋଇଛନ୍ତି, ଏଥିରେ ୫ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ୟୁରୋପର ବୃହତ ଆଣବିକ ଶକ୍ତି କେନ୍ଦ୍ର ଉପରେ ଏହି ଆକ୍ରମଣ ପୁଣି ଥର ଆଣବିକ ବିନାଶର ଭୟ ସୃଷ୍ଟି କରିଛି ।

ୟୁକ୍ରେନ ଆଞ୍ଚିଳକ ଗଭର୍ଣ୍ଣର ଭାଲେନଟିନ କହିଛନ୍ତି, ସମ୍ପୃକ୍ତ ଅଞ୍ଚଳରେ ରୁଷ ସୈନିକ ୮୦ରୁ ଅଧିକ ରକେଟ ମାଡ କରିଛନ୍ତି । ଅଧିକାଂଶ ଆହତ ଜାପୋରିଜିଆ ଆଣବିକ ଶକ୍ତି କେନ୍ଦ୍ର ନିକଟସ୍ଥ ମାର୍ଗାନେଟ ଅଞ୍ଚଳର ହୋଇଥିବା ସେ କହିଛନ୍ତି । ସ୍ଥାନୀୟ ଅଧିକାରୀଙ୍କ ସୂଚନା ଅନୁସାରେ ଏହି ମିଶାଇଲ ମାଡ ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ବିଦ୍ୟୁତ ସେବା ବନ୍ଦ ରହିଛି । ହଜାର ହଜାର ଲୋକେ ବିନା ବିଜୁଳିରେ ଅଛନ୍ତି ।

ଜାପୋରିଜିଆ ଆଣବିକ ଶକ୍ତି କେନ୍ଦ୍ର ନିକଟରେ ରୁଷର ଆକ୍ରମଣକୁ ଜି ୭ ସଦସ୍ୟ ରାଷ୍ଟ୍ର ନିନ୍ଦା କରିଛନ୍ତି । ଏହାସହ ଏହି ଆଣବିକ ଶକ୍ତି କେନ୍ଦ୍ରର ନିୟନ୍ତ୍ରଣକୁ ୟୁକ୍ରେନକୁ ହସ୍ତାନ୍ତର କରିବା ପାଇଁ ମସ୍କୋକୁ କହିଛନ୍ତି । ଜି ୭ ବିଦେଶ ମନ୍ତ୍ରୀ କହିଛନ୍ତି, ଆଣବିକ ଶକ୍ତି କେନ୍ଦ୍ରରେ କାମ କରୁଥିବା ୟୁକ୍ରେନ କର୍ମଚାରୀ ବିନା କୌଣସି ଚାପ ଏବଂ ଭୟରେ କାମ କରିବାର ଆବଶ୍ୟକତା ରହିଛି । ରୁଷ ଏହାକୁ ନିୟନ୍ତ୍ରଣରେ ରଖିବା ଅଞ୍ଚଳରେ ବିପଦକୁ ଅଧିକ ବଢାଇଛି ।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.