ରୁଷ-ୟୁକ୍ରେନ୍‌ ଯୁଦ୍ଧ: ପୁଟିନଙ୍କ ଅଭିଯୋଗ, କହିଲେ ପଶ୍ଚିମ ଦେଶ ବଢ଼ାଉଛନ୍ତି ଯୁଦ୍ଧ

Published By : Prameya-News7 Bureau | February 21, 2023 IST

ନୂଆଦିଲ୍ଲୀ, ୨୧/୦୨: ରୁଷ-ୟୁକ୍ରେନ ମଧ୍ୟରେ ଏବେବି ଜାରି ରହିଛି ଯୁଦ୍ଧ। ନିକଟରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ୟୁକ୍ରେନ୍‌ ଗସ୍ତ କରିଛନ୍ତି। ଯାହାକୁ ନେଇ ଚର୍ଚ୍ଚା ପୁଣି ଜୋର୍‌ ଧରିଛି। ଏହାରି ମଧ୍ୟରେ ଆଜି ମଙ୍ଗଳବାର ରୁଷ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନ୍ ମଙ୍ଗଳବାର ରୁଷ ସଂସଦରେ ସମ୍ବୋଧନ କରିବା ସହ ପଶ୍ଚିମ ଦେଶଙ୍କ ଉପରେ ବର୍ଷିଛନ୍ତି।।

ପୁଟିନ୍‌ ସମ୍ବୋଧନରେ ନିଜ ଦେଶର ଲୋକଙ୍କ ସୁରକ୍ଷାଙ୍କୁ ଜରୁରୀ ବୋଲି କହିଛନ୍ତି। ଏହା ସହ ସେ କିଛି ଘୋଷଣା ମଧ୍ୟ କରିଛନ୍ତି। ନିଜ ସମ୍ବୋଧନ ସମୟରେ ପୁଟିନ କହିଛନ୍ତି ଯେ ସେ ଏଭଳି ସମୟରେ ଦେଶକୁ ସମ୍ବୋଧିତ କରୁଛନ୍ତି ଯେତେବେ​ଳେ ଦେଶ ପାଇଁ ଖରାପ ସମୟ ରହିଛି। ସମଗ୍ର ଦୁନିଆରେ ବଡ଼ ପରିବର୍ତ୍ତନ ହେଉଛି। ପୁଟିନ୍ ନିଜ ସମ୍ବୋଧନରେ ପଶ୍ଚିମ ଦେଶଙ୍କ ଉପରେ ଖୁବ୍ ବର୍ଷିଛନ୍ତି। ପୁଟିନ୍ କହିଛନ୍ତି ମସ୍କୋ ନାଟୋ ସହ ଶାନ୍ତି ବାର୍ତ୍ତାର ପ୍ରସ୍ତାବ ଦେଇତିଲା କିନ୍ତୁ ନାଟୋ ଏହାକୁ ଠିକ୍‌ ପ୍ରତିକ୍ରିୟା ଦେଇନଥିଲା।

ପଶ୍ଚିମ ଦେଶଙ୍କ ଉପରେ ଆଣିଲେ ଗମ୍ଭୀର ଅଭିଯୋଗ

ପୁଟିନ୍ କହିଛନ୍ତି ଡୋନବାସ ଅଞ୍ଚଳରେ ଶାନ୍ତି ସ୍ଥାପନ କରିବା ପାଇଁ ଆମେ ସବୁସମ୍ଭବ ପ୍ରୟାସ କରିଥିଲୁ। ଏହା ୨୦୧୪ ଠାରୁ ହିଁ ସମ୍ବେଦନଶୀଳ ପ୍ରସଙ୍ଗ ରହିଥିଲା। କିନ୍ତୁ ଆମ ପଛରେ ଷଡ଼ଯନ୍ତ୍ର କରାଯାଉଥିଲା। ପୁଟିନ୍‌ ପଶ୍ଚିମ ଦେଶଙ୍କ ଉପରେ ବୁଝାମଣାରୁ ପଛକୁ ହଟିବା, ଭୁଲ୍‌ ବୟାନବାଜି କରିବା ଏବଂ ନାଟୋର ବିସ୍ତାର କରିବା ଅଭିଯୋଗ ଆଣିଛନ୍ତି। ପୁଟିନ୍ କହିଛନ୍ତି ପଶ୍ଚିମ ଦେଶହିଁ ଏହି ଯୁଦ୍ଧର ଦୋଷୀ ଆଉ ଆମେ କେବଳ ଏହାକୁ ରୋକିବା ପାଇଁ ସେନାର ବ୍ୟବହାର କରୁଛୁ।

ସେ ଆହୁରି କହିଛନ୍ତି ୟୁକ୍ରେନ ଲୋକମାନେ ଏହାର ପଶ୍ଚିମ ଦେଶଙ୍କ ଗୁଲାମୀ କରୁଛନ୍ତି। ପଶ୍ଚିମ ଦେଶମାନେ ୟୁକ୍ରେନର ରାଜନୀତି, ଅର୍ଥବ୍ୟବସ୍ତା ଏବଂ ସେନା ଉପରେ କବ୍ଜା କରିନେଇଛନ୍ତି। ୟୁକ୍ରେନର ବର୍ତ୍ତମାନର ସରକାର ନିଜ ଦେଶର ହିତ ଦେଖୁନାହାଁନ୍ତି ଏବଂ ବିଦେଶୀ ଶକ୍ତିଙ୍କ ହିତ ପାଇଁ କାମ କରୁଛନ୍ତି।

ପୁଟିନ୍ କହିଛନ୍ତି ପଶ୍ଚିମ ଦେଶ ଜାଣିଛନ୍ତି ସେମାନେ ରୁଷକୁ ହରାଇ ପାରିବେନି ଏଥିପାଇଁ ସେମାନେ ରୁଷ ଉପରେ ଆକ୍ରାମକ ଉପାୟରେ ଟାର୍ଗେଟ କରୁଛନ୍ତି। ପୁଟିନ୍‌ ଡୋନେସ୍କ ଏବଂ ଲୁହାନସ୍କ କ୍ଷେତ୍ରର ଲୋକଙ୍କୁ ନିଜର ଭାଇ-ଭଉଣୀ କହିଛନ୍ତି ଏବଂ କହିଛନ୍ତି ଆମେ ସାଙ୍ଗରେ ଆହୁରି ମଜବୁତ ହେବା। ସେ କହିଛନ୍ତି ଏଭଳି ସୁରକ୍ଷିତ ଏବଂ ଅନ୍ତରାଷ୍ଟ୍ରୀୟ ପୈଠ ପ୍ରଣାଳୀ ତିଆରି କରିବାକୁ ଚାହୁଛନ୍ତି ଯାହାଦ୍ବାରା ପଶ୍ଚିମ ଦେଶଙ୍କ ଉପରେ ନିର୍ଭରଶୀଳତା ରହିବନି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.