କୃଷ୍ଣସାଗରରେ ଯୁଦ୍ଧର କଳାବାଦଲ; ମୁହାଁମୁହିଁ ଦୁଇ ସୁପର ପାଓ୍ବାର, ଆମେରିକା ଡ୍ରୋନକୁ ମାରି ଖସାଇଲା ଋଷ ଜେଟ୍
15/03/2023 at 8:21 AM

ନୂଆଦିଲ୍ଲୀ: ବିଶ୍ବର ଦୁଇ ସୁପର ପାଓ୍ବାର ମଧ୍ୟରେ ବଢ଼ୁଛି ଉତ୍ତେଜନା । କୃଷ୍ଣସାଗର ଅନ୍ତରାଷ୍ଟ୍ରୀୟ ସୀମାରେ ଆମେରିକା ଓ ଋଷ ମଧ୍ୟରେ ସଂଘର୍ଷ । ବ୍ଲାକ୍ ସି’ ଆକାଶରେ ଆମେରିକା ଡ୍ରୋନକୁ ମାରି ଖସାଇଲା ଋଷ ଫାଇଟର ଜେଟ୍ । ୟୁଏସ ଏୟାରଫୋର୍ସ MQ-9 ରିପର ଡ୍ରୋନକୁ ଋଷ ଯୁଦ୍ଧ ବିମାନ ମାରି କୃଷ୍ଣସାଗରରେ ବୁଡ଼ାଇ ଦେଇଛି ।
ମଙ୍ଗଳବାର ଦୁଇ ସୁପର ପାଓ୍ବାର ମଧ୍ୟରେ ଏହି ସଂଘର୍ଷ ଘଟିଛି । କୃଷ୍ଣସାଗର ଅନ୍ତରାଷ୍ଟ୍ରୀୟ ଜଳ ସୀମାରେ ପାଟ୍ରୋଲିଂ କରୁଥିବା ବେଳେ ଋଷ ଏୟାରଫୋର୍ସ ଜେଟ୍ ଓ ଆମେରିକା ଏୟାରଫୋର୍ସ ଡ୍ରୋନ ମିହାଁମୁହିଁ ହୋଇଥିଲେ । ଆମେରିକା ଅଧିକାରୀଙ୍କ ସୂଚନା ଅନୁଯାୟୀ, ୟୁଏସ ଡ୍ରୋନ୍ ସାମ୍ନାକୁ ଜାଣିଶୁଣି ଋଷ ଯୁଦ୍ଧ ବିମାନ ଆସିଥିଲା ଏବଂ ଡ୍ରୋନକୁ ନଷ୍ଟ କରିବା ପାଇଁ ଜେଟରୁ ତେଲ ଢାଳିଥିଲେ । ଫଳରେ ଏଥିରେ ଡ୍ରୋନ ପ୍ରୋପେଲର କ୍ଷତିଗ୍ରସ୍ତ ହୋଇଛି ।
ଡ୍ରୋନର ଏହି ପ୍ରୋପେଲର କ’ଣ । ଡ୍ରୋନ ପ୍ରୋପେଲର ଏହି ଏହାର ପଛ ଅଂଶ ବା ପଙ୍ଖା। ଏହା ଡ୍ରୋନକୁ ଉଡ଼ିବାରେ ସହଯୋଗ କରିଥାଏ । ଋଷ ଫାଇଟର ଜେଟ୍ ଏହା ଉପରେ ତେଳ ପକାଇବା ପରେ ଆମେରିକା ଏୟାର ଫୋର୍ସ ବାଧ୍ୟ ହୋଇ ଡ୍ରୋନକୁ କୃଷ୍ଣସାଗରରେ ବୁ଼ଡ଼ାଇ ଦେଇଛନ୍ତି ।
କୃଷ୍ଣସାଗାରର ଜଳ ସୀମା ଋଷ ଏବଂ ୟୁକ୍ରେନକୁ ଲାଗି କରି ରହିଛି । ଯୁକ୍ରେନ ଓ ଋଷ ମଧ୍ୟରେ ଘମାଘୋଟ ଯୁଦ୍ଧ ଯୋଗୁ ଏହି କ୍ଷେତ୍ରରେ କିଛି ମାସ ହେଲା ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି । ଆମେରିକା ସମୟ ଅନୁସାରେ, ମଙ୍ଗଳବାର ୭ଟା ୩ ମିନିଟରେ ପାଟ୍ରୋଲିଂ ସମୟରେ ଋଷ ବିମାନ ଓ ଆମେରିକା ଡ୍ରୋନ ସାମ୍ନାସାମ୍ନି ହୋଇଥିଲେ। ଆମେରିକା ବାୟୁସେନାର MQ-9 ଡ୍ରୋନକୁ ଋଷର Su-27 ଯୁଦ୍ଧ ବିମାନ ନଷ୍ଟ କରିଦେଇଛି ।