ବେଲାରୁଷ ଗସ୍ତରେ ପୁଟିନ, ଏପଟେ କିଭ୍ ଉପରେ ୨୦ରୁ ଅଧିକ ଡ୍ରୋନ ମାଡ କଲା ରୁଷ
19/12/2022 at 6:40 PM

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ସୋମବାର ବେଲାରୁଷରେ ପହଞ୍ଚିଛନ୍ତି । ୟୁକ୍ରେନ ଯୁଦ୍ଧ ଭିତରେ ପୁଟିନଙ୍କ ଏହି ଯାତ୍ରା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଦାବି କରାଯାଉଛି । ଅନ୍ୟପଟେ ୟୁକ୍ରେନ ଅଧିକାରୀ ଦାବି କରିଛନ୍ତି ଯେ ସୋମବାର ରାଜଧାନୀ କିଭ୍ ଉପରେ ରୁଷ ୨୦ରୁ ଅଧିକ ଇରାନ ନିର୍ମିତ ଡ୍ରୋନରେ ଆକ୍ରମଣ କରିଛି । ଆକାଶମାର୍ଗରୁ ହୋଇଥିବା ଏହି ଆକ୍ରମଣର ୟୁକ୍ରେନ ଜବାବ ଦେଇଥିଲା । ଏଥିରେ ରୁଷର ୧୫ ଡ୍ରୋନ ନଷ୍ଟ ହୋଇଛି । ତିନି ଦିନ ତଳେ ମଧ୍ୟ କିଭ ସହ ଅନେକ ସହରରେ ୭୦ରୁ ଅଧିକ ମିଶାଇଲ ମାଡ କରିଥିଲା ରୁଷ ।
କିଭ୍ ମେୟର ବିଟାଲୀ କ୍ଲିଟକ୍ସୋ ଟେଲିଗ୍ରାମରେ କହିଛନ୍ତି ଯେ ଦୁଇ ଜିଲ୍ଲା ସେବଚନକିସ୍କକି ଏବଂ ସୋଲୋମ୍ୟକ୍ସିରେ ବିସ୍ଫୋରଣର ଶବ୍ଦ ଶୁଣିବାକୁ ମିଳିଥିଲା। ତେବେ ସେ କହିଥିଲେ ଯେ ଏଥିରେ ମୃତାହତ ନେଇ ତତ୍କାଳ କୌଣସି ସୂଚନା ମିଳିପାରି ନାହିଁ ।
ୟୁକ୍ରେନ ବାୟୁସେନା ଟେଲିଗ୍ରାମରେ ସୂଚନା ଦେଇ କହିଛି ଯେ ରୁଷ ଦ୍ୱାରା ଅଜୋବ ସାଗର କୂଳରେ ମାଡ କରାଯାଇଥିବା ୩୫ ବିସ୍ଫୋରକ ଡ୍ରୋନ ଭିତରୁ ୩୦କୁ ନଷ୍ଟ କରାଯାଇଛି । ରୁଷ ଡ୍ରୋନକୁ ନଷ୍ଟ କରିବାରେ ୟୁକ୍ରେନ ସେନା ଲଗାତାର ସଫଳ ହେଉଥିବା ବାୟୁସେନା କହିଛି ।
ଉର୍ଜା ପ୍ଲାଣ୍ଟ ଗୁଡିକୁ ଟାର୍ଗେଟ କରି ୟୁକ୍ରେନବାସୀଙ୍କ ଅସୁବିଧା ବଢାଇବା ପାଇଁ ରୁଷ କିଭ ସହ ଅନ୍ୟ ସ୍ଥାନରେ ଭିତ୍ତିଭୂମିକୁ ଟାର୍ଗେଟ କରୁଛି । ରୁଷର ମିଶାଇଲ ମାଡରେ ୟୁକ୍ରେନ ଅନେକ ସ୍ଥାନରେ ବିଜୁଳ ସେବା ବନ୍ଦ ରହିଛି ।