ବାସ୍କେଟବଲ ଖେଳାଳି ଦରକାର ତ ଆମ 'ମୃତ୍ୟୁର ସୌଦାଗର'କୁ ଫେରାଅ, ରୁଷର ଦାବି ପରେ ଆମେରିକା କ୍ଷୁବ୍ଧ

Published By : Prameya-News7 Bureau | November 19, 2022 IST

ନୂଆଦିଲ୍ଲୀ: ୟୁକ୍ରେନରେ ଜାରି ଯୁଦ୍ଧ ଭିତିରେ ଆମେରିକା ଏବଂ ରୁଷ ଏକ ବୁଝାମଣା ଉପରେ ଆଲୋଚନା କରୁଛନ୍ତି । କଏଦୀଙ୍କ ଅଦଳ-ବଦଳକୁ ନେଇ ଏହି ଆଲୋଚନା ଜାରି ରହିଛି । ଉଲ୍ଲେଖଯୋଗ୍ୟ, ଆମେରିକାର ଜଣେ ପ୍ରସିଦ୍ଧ ବାସ୍କେଟବଲ ଖେଳାଳି ବ୍ରିଟନୀ ଗ୍ରାଇନର ବର୍ତ୍ତମାନ ସମୟରେ ରୁଷର ଜେଲରେ ବନ୍ଦୀ ଅଛନ୍ତି । ଆମେରିକା ବ୍ରିଟନୀଙ୍କୁ ଛଡାଇ ଆଣିବା ପାଇଁ ରୁଷର କିଛି କିଏଦୀଙ୍କୁ ଛାଡିବାକୁ ଯୋଜନା କରୁଛି । ଗ୍ରାଇନର ଡ୍ରଗ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ତାଙ୍କୁ ରୁଷର ଜେଲରେ ବନ୍ଦୀ କରି ରଖାଯାଇଛି।

ନିକଟରେ ରୁଷର ଉପ ବିଦେଶ ମନ୍ତ୍ରୀ ସର୍ଗେଇ ରାୟବକୋଭ ଦାବି କରିଥିଲେ ଯେ ଆମେରିକାର ବାସ୍କେଟବଲ ଖେଳାଳିଙ୍କୁ ମୁକ୍ତ କରିବା ପାଇଁ ନୂତନ ପର୍ଯ୍ୟାୟ ଆଲୋଚନା ଆରମ୍ଭ ହୋଇଛି । ଅନ୍ୟପଟେ ରୁଷର ଏହି ଦାବିକୁ ଆମେରିକା ଖଣ୍ଡନ କରିଛି।

ରୁଷ ମିଡିଆ ରିପୋର୍ଟ ଅନୁସାରେ, ସର୍ଗେଇ ରାୟବକୋଭ ହତିଆର ଡିଲର ଭିକ୍ଟର ବାଉଟଙ୍କୁ ଛାଡିବା ପାଇଁ ଆମେରିକା ଆଗରେ ଦାବି କରିଥିଲେ । ସେ କହିଥିଲେ ବାସ୍କେଟବଲ ଖେଳାଳି ବ୍ରିଟନୀ ଗ୍ରାଇନରଙ୍କ ପରିବର୍ତ୍ତେ ଆମେରିକାକୁ ଭିକ୍ଟର ବାଉଟଙ୍କୁ ଛାଡିବାକୁ ପଡ଼ିବ । ଭିକ୍ଟର ବାଉଟକୁ ମୃତ୍ୟୁର ସୌଦାଗର ମଧ୍ୟ କୁହାଯାଏ । ଭିକ୍ଟର ଜଣେ ରୁଷ ନାଗରିକ । ଗତ ୨୫ ବର୍ଷ ଧରି ସେ ଆମେରିକାର ଜେଲରେ ବନ୍ଦୀ ଅଛନ୍ତି । ରୁଷର ଏହି ଦାବି ପରେ ଆମେରିକା ଏବେ ଅଧିକ କ୍ଷୁବ୍ଧ ହୋଇଛି ।

ମୃତ୍ୟୁର ସୌଦାଗର ଭିକ୍ଟର ବାଉଟ ସାରା ଦୁନିଆରେ ହତିଆର ଯୋଗାଣ କରିବା ସହ ସବୁ ସ୍ଥାନରେ ହିଂସା ସୃଷ୍ଟି କରୁଥିଲା । ଦୀର୍ଘ ବର୍ଷ ଯାଏଁ ବେଆଇନ ଅସ୍ତ୍ରଶସ୍ତ୍ର ଚୋରାଚାଲଣରେ ଦୁନିଆର ଏକ ପ୍ରମୁଖ ବ୍ୟକ୍ତି ଥିଲା କୁଖ୍ୟାତ ଭିକ୍ଟର । ଭିକ୍ଟରର ସାମ୍ରାଜ୍ୟ ଆଫଗାନିସ୍ତାନ, ପାକିସ୍ତାନ, ଇରାକ, ସୁଡାନ, ଅଙ୍ଗୋଲା, କାଙ୍ଗୋ, ଲାଇବେରିଆ, ଫିଲିପିନ୍ସ, ରୱାଣ୍ଡା ଏବଂ ସିଏରା ଲୋୟନ ଯାଏଁ ବ୍ୟାପିଥିଲା । ୨୦୦୮ ମସିହାରେ ଭିକ୍ଟର ବାଉଟକୁ ଗିରଫ କରାଯାଇଥିଲା।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.