ୟୁକ୍ରେନରେ ତାଣ୍ଡବ ରଚୁଛି ରୁଷ କ୍ଷେପଣାସ୍ତ୍ର, ୧୦୦ରୁ ଅଧିକ ମିଶାଇଲ ମାଡ, ବିସ୍ଫୋରଣରେ ଥରି ଉଠିଲା ରାଜଧାନୀ କିଭ୍
29/12/2022 at 4:01 PM

ନୂଆଦିଲ୍ଲୀ: ଗୁରୁବାର ୟୁକ୍ରେନ ଉପରେ ଆଖିବୁଜା ମିସାଇଲ ମାଡ଼ କରିଛି ରୁଷ । ରୟଟର୍ସର ରିପୋର୍ଟ ଅନୁସାରେ ୟୁକ୍ରେନର ରାଜଧାନୀ କିଭ୍ ଉପରେ ରୁଷ ୧୦୦ରୁ ଅଧିକ ମିସାଇଲ ମାଡ କରିଛି । ବିସ୍ଫୋରଣ ଶବ୍ଦରେ ପୂରା କିଭ୍ ଥରି ଉଠିଛି । ଲୋକମାନେ ଭୟରେ ଦୌଡାଦୌଡି କରିବା ଆରମ୍ଭ କରିଥିଲେ । ରାଷ୍ଟ୍ରପତି କାର୍ଯ୍ୟାଳୟର ପରାମର୍ଶଦାତା ଓଲେସ୍କି ଏରେଷ୍ଟୋଭିକ ସୋସିଆଲ ମିଡିଆରେ ଆକ୍ରମଣ ନେଇ ସୂଚନା ଦେଇଛନ୍ତି । ଅନ୍ୟପଟେ ୟୁକ୍ରେନର ମାୟକୋଲଇଭର ମୁଖ୍ୟ ମଧ୍ୟ ଏହି ସୂଚନା ଦେଇଛନ୍ତି । ରିପୋର୍ଟ ଅନୁସାରେ, କିଭ୍, ଜାଇଣ୍ଟାମିର ଏବଂ ଓଡେସାରେ ବିସ୍ଫୋରଣ ଶବ୍ଦ ଶୁଣିବାକୁ ମିଳିଛି । ଅନ୍ୟପଟେ ଓଡେସା ଏବଂ ନିପ୍ରାଟେଟ୍ରୋସ ଅଞ୍ଚଳରେ ବିଜୁଳି କାଟ ନେଇ ଘୋଷଣା କରାଯାଇଛି, ଉର୍ଜା କେନ୍ଦ୍ର ଗୁଡିକ ଉପରେ ହେବାକୁ ଥିବା ସମ୍ଭାବିତ କ୍ଷତି କମ କରିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି ।
ଏହା ପୂର୍ବରୁ ରୁଷ ବୁଧବାର ମଧ୍ୟ ଖେରସେନରେ ସାଧାରଣ ଲୋକଙ୍କ ଜନବସତି ଉପରକୁ ରକେଟ୍ ଲଞ୍ଚରରୁ ୩୩ଟି ମିଶାଇଲ ମାଡ କରିଥିଲା । ତେବେ ନାଗରିକଙ୍କୁ ନିଶାନା କରାଯିବା ଖବରକୁ ରୁଷ ଖଣ୍ଡନ କରିଛି । ୟୁକ୍ରେନ ନିୟନ୍ତ୍ରଣରେ ଥିବା ସହର ବଖମୁତ ନିକଟରେ ମଧ୍ୟରେ ଲଢେଇ ଜୋରଦାର ଚାଲିଛି । ୟୁକ୍ରେନ ସୋସିଆଲ ମିଡିଆ ରିପୋର୍ଟ ଅନୁସାରେ ପଡୋଶୀ ଦେଶ ବେଲାରୁଷରେ ମୁତୟନ ରୁଷ ଯୁଦ୍ଧ ବିମାନ ଉଡାଣ ଭାରିବା ପରେ ସାରା ଦେଶରେ ଅଲର୍ଟ ଜାରି କରାଯାଇଛି । ବ୍ରିଟେନ ପ୍ରତିରକ୍ଷା ମନ୍ତ୍ରାଳୟ ଅନୁସାରେ ଡୋନୋଟସ୍କ ପ୍ରାନ୍ତର ପୂର୍ବରେ ଥିବା ବଖମୁତ ଏବଂ ଉତ୍ତରରେ ଲୁହାନସ୍କ ପ୍ରାନ୍ତର ସ୍ୱାତୋଭ ନିକଟରେ ବଡ଼ ଯୁଦ୍ଧ ଚାଲିଛି ।
ଏହା ପୂର୍ବରୁ ଡିସେମ୍ୱର ୧୬ରେ ୭୦ ମିଶାଇଲ ମାଡ କରି ୟୁକ୍ରେନର ତିନି ସହରକୁ ଧ୍ୱଂସ କରି ଦେଇଥିଲା । କ୍ରିବୀ ରିହର ଏକ ଜନବସତି ଉପରେ ମିଶାଇଲ ମାଡରେ ତିନି ଜଣଙ୍କ ମୃତ୍ୟୁ ହୋଇଥିଲା ।