ଋଷ୍ ହିଁ ଭାଙ୍ଗିଛି କାଖୋଭକା ଡ୍ୟାମ୍; ଅଡିଓ କ୍ଲିପ୍ ଜାରି ଅଙ୍ଗୁଳି ଉଠାଇଲା ୟୁକ୍ରେନ ଏସବିୟୁ
10/06/2023 at 1:53 PM

ନୂଆଦିଲ୍ଲୀ: ୟୁକ୍ରେନ ଡ୍ୟାମ୍ ଭାଙ୍ଗିବା ଘଟଣାରେ ନୂଆ ମୋଡ଼ । ୟୁକ୍ରେନ୍ର ସିକ୍ୟୁରିଟି ସର୍ଭିସ୍ ଏକ ଅଡିଓ କ୍ଲିପ୍ ଜାରି କରି ରୁଷ୍ ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରିଛି । ରୁଷ୍ ହିଁ ବିସ୍ଫୋରଣ କରି କାଖୋଭକା ହାଇଡ୍ରୋଇଲେକ୍ଟ୍ରିକ୍ ପ୍ଲାଣ୍ଟ ଓ ଡ୍ୟାମ୍କୁ ଉଡ଼ାଇ ଦେଇଥିବା ଦାବି କରିଛି । ଦେଢ଼ ମିନିଟ୍ର ଅଡିଓ କ୍ଲିପ୍କୁ ଟେଲିଗ୍ରାମ୍ ଚ୍ୟାନେଲ୍ରେ ପୋଷ୍ଟ କରାଯାଇଛି । ଏଥିରେ ଦୁଇଜଣ ବ୍ୟକ୍ତି କଥା ହେଉଛନ୍ତି । ଜଣେ କହୁଛନ୍ତି ୟୁକ୍ରେନ୍ ଏହି ଡ୍ୟାମ୍କୁ ଭାଙ୍ଗି ନାହିଁ । ବରଂ ରୁଷ୍ର ‘ସାବୋଟେଜ୍ ଗ୍ରୁପ୍’ ହିଁ ଏହି କାର୍ଯ୍ୟ କରିଛି । ତେବେ ଅଡିଓ କ୍ଲିପରେ କଥା ହେଉଥିବା ୨ଜଣ ବ୍ୟକ୍ତି ରୁଷ୍ ସୈନ୍ୟ ବୋଲି ଏସବିୟୁ ଦାବି କରିଛି ।
କାଖୋଭକା ଡ୍ୟାମ ଭାଙ୍ଗିବା ପରେ ୟୁକ୍ରେନରେ ଭୟଙ୍କର ସ୍ଥିତି ସୃଷ୍ଟି ହୋଇଛି । ୟୁକ୍ରେନର ଯୁଦ୍ଧ ଭୂମିରେ ବିପର୍ଯ୍ୟୟ ମାଡ଼ି ଆସିଛି । ଦେଶ ପୂର୍ବ ଅପେକ୍ଷା ଅଧିକ ଗମ୍ଭୀର ପରିସ୍ଥିତିରେ ଜୁଝି ହେଉଛି । ତଳି ଅଞ୍ଚଳରେ କୃତିମ ବନ୍ୟା ଦେଖାଦେଇଛି । ଅବର ମହାସଚିବ ମାର୍ଟିନ ଗ୍ରିଫିଥ୍ସ କହିଛନ୍ତି, ଦେଶରେ ପ୍ରାୟ ୭୦ ହଜାର ଲୋକ ପ୍ରଭାବିତ ହୋଇଛନ୍ତି । ଆଗକୁ ପିଇବା ପାଣି ସମସ୍ୟା ଉତ୍କଟ ରୂପ ଧାରଣ କରିବ । ବନ୍ୟା ଯୋଗୁ ୟୁକ୍ରେନରେ ଶସ୍ୟ ଉତ୍ପାଦନ ହ୍ରାସ ପାଇବ ।
କାଖୋଭକା ଡ୍ୟାମ ଭାଙ୍ଗିବା ପରେ ନାଇପର ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ନଦୀ ଉପକୂଳରେ ଥିବା ପ୍ରାୟ ଡଜନେ ସହର ଜଳମଗ୍ନ ହୋଇଛି । ୬ ହଜାରରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ପ୍ରଶାସନିକ ଅଧିକାରୀଙ୍କ ସୂଚନା ମୁତାବକ, ବନ୍ୟା ଯୋଗୁ ପ୍ରାୟ ୨୦ଜଣଙ୍କ ମୃତ୍ୟୁ ହୋଇଛି । ହେଲେ ଏହାକୁ ସରକାରୀ ଭାବେ ଘୋଷଣା କରାଯାଇ ନାହିଁ । ସଂଯୁକ୍ତ ରାଷ୍ଟ୍ର, ୟୁକ୍ରେନର ବନ୍ୟା ପ୍ରଭାବିତ ୩୦ ହଜାର ଲୋକଙ୍କୁ ସହାୟତା ଯୋଗାଇ ଦେଇଛି । ଅନ୍ୟପଟେ ବନ୍ୟାଜଳରେ ଏକ ‘ସଫାରୀ ପାର୍କ’ରେ ପଶିବାରୁ ହଜାର ହଜାର ପଶୁ ପ୍ରାଣ ହରାଇଛନ୍ତି ।