ନୂଆଦିଲ୍ଲୀ: ଋଷ୍-ୟୁକ୍ରେନ ମଧ୍ୟରେ ଭୀଷଣ ଯୁଦ୍ଧ । ସାମାନ୍ୟ ଶାନ୍ତ ପଡ଼ିଥିବା ଯୁଦ୍ଧ ପୁଣିରେ ତେଜିଛି । ଲଗାତାର ତିନି ଦିନ ହେଲା ୟୁକ୍ରେନ ସୈନ୍ୟଙ୍କ ଆକ୍ରୋଶର ଶିକାର ହୋଇଛି ରୁଷିଆ । ୟୁକ୍ରେନୀୟ ସେନା ଋଷ୍ ସୀମା ପାର୍ କରି କୁର୍ସକ୍ ଅଞ୍ଚଳରେ ଧଶେଇ ପଶିଛନ୍ତି । ଟ୍ୟାଙ୍କ, ବୁଲେଟ୍ ପ୍ରୁଫ୍ ଗାଡ଼ି ଏବଂ ଗୋଳାବାରୁଦ ସହିତ କୁର୍ସକରେ ପ୍ରବେଶ କରି ଭୀଷଣ ହମଲା କରିଛନ୍ତି । ଜଣେ ଋଷ୍ ଅଧିକାରୀ କହିଛନ୍ତି, ଦୁଇ ବର୍ଷ ପୁରୁଣା ଯୁଦ୍ଧରେ ଏହା ୟୁକ୍ରେନର ସବୁଠୁ ଭୀଷଣ ଯୁଦ୍ଧ । ଅଗଷ୍ଟ ୬ ତାରିଖରେ ହଜାରେରୁ ଅଧିକ ୟୁକ୍ରେନ ସୈନ୍ୟ ଟ୍ୟାଙ୍କ ଏବଂ ଗୋଳାବାରୁଦ ସହିତ ଋଷ୍ ସୀମାରେ ପ୍ରବେଶ କରିଛନ୍ତି । ଡ୍ରୋନ ଏବଂ ମିସାଇଲ୍ ମାଧ୍ୟମରେ ଆକ୍ରମଣ ହୋଇଛି ।
କୁର୍ସକ କ୍ଷେତ୍ରର ସୁଦଜା ସହରରେ ଏହି ହମଲା ହୋଇଛି । ଏହି ଆକ୍ରମଣ ଯୋଗୁ ଋଷ୍ ପ୍ରାକୃତିକ ଗ୍ୟାସ୍ ପ୍ଲାଣ୍ଟ ପ୍ରଭାବିତ ହୋଇଛି । ଫଳରେ ୟୁରୋପର ଟ୍ରାଞ୍ଜିଟ୍ ଫ୍ଲୋ ଅଚାନକ ବନ୍ଦ ହେବା ଆଶଙ୍କା ଦେଖା ଦେଇଛି । ଋଷ୍ ରାଷ୍ଟ୍ରପତି ଭ୍ଲଦିମିର ପୁଟିନଙ୍କ ଦ୍ବାରା ୨୦୨୨ରେ ୟୁକ୍ରେନକୁ ସୈନ୍ୟ ପଠାଇବାର ପ୍ରାୟ ଦୁଇ ବର୍ଷ ପରେ ୟୁକ୍ରେନ ସେନାର ଅନୁପ୍ରବେଶ ଋଷ୍ ପାଇଁ ବଡ଼ ଝଟକା । ୟୁକ୍ରେନ ସେନାର ଏହି କାମକୁ ଯୁଦ୍ଧ ଉସୁକାଇବା ଭଳି କାର୍ଯ୍ୟ ବୋଲି ଋଷ୍ ରାଷ୍ଟ୍ରପତି ଭ୍ଲଦିମିର୍ ପୁଟିନ୍ କହିଛନ୍ତି ।
କୁର୍ସକ କ୍ଷେତ୍ରର ଗଭର୍ଣ୍ଣର ଏଲକ୍ସି ସ୍ମିରନଭୋ କହିଛନ୍ତି, ୟୁକ୍ରେନ ସୈନ୍ୟ ହମଲା ଯୋଗୁ ହଜାରରେ ଅଧିକ ଲୋକଙ୍କୁ ଘରୁ ବିତାଡିତ କରାଯାଇଛି । ହ୍ବାଇଟ୍ ହାଉସ୍ କହିଛି, ଆକ୍ରମଣକୁ ନେଇ ପୂର୍ବରୁ ଆମେରିକାକୁ କୌଣସି ଖବର ମିଳିନଥିଲା ଏବଂ ସେମାନେ କୀଭକୁ ରିପୋର୍ଟ ମାଗିଛନ୍ତି ।