ଋଷ ତିଆରି କଲା କରୋନା ଭାଇରସର ଦ୍ବିତୀୟ ଭାକସିନ, ଖୁବଶୀଘ୍ର ହେବ ରେଜିଷ୍ଟର
24/09/2020 at 3:30 PM

ନୂଆଦିଲ୍ଲୀ ୨୪/୦୯: କରୋନା ଭାଇରସ ଭାକସିନ ଦିଗରେ ତମାମ ଦେଶ କାମ କରୁଛି। ଏହି ଦୌଡ଼ରେ ସାମିଲ ଅଛି ଋଷ। ପ୍ରଥମେ ଋଷ କରୋନା ଭାକସିନ୍ ତିଆରି କରିଥିବା ଦାବି କରିଥିଲା। ଏବେ ପୁଣି ଆଉ ଗୋଟିଏ କରୋନା ଭାକସିନ ତିଆରି କରିଥିବା ଦାବି କରିଛି । ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ କହିଛନ୍ତି ଖୁବଶୀଘ୍ର ସେ ଦ୍ବିତୀୟ ଭାକସିନ୍ ପଞ୍ଜୀକରଣ କରିବେ। ବେକ୍ଟର ରିସର୍ଚ ସେଣ୍ଟର କରୋନାର ଅନ୍ୟ ଏକ ଭାକସିନ ତିଆରି କରିଛି। ଏହାକୁ ‘ଏପିବ୍ୟାକ୍ କରୋନା’ ନାଁରେ ଅକ୍ଟୋବରକୁ ରେଜିଷ୍ଟର କରାଯିବ।
ଏହି ଭାକସିନ ବାବଦରେ ସୂଚନା ଦେଇ ପୁଟିନ୍ ହେଲଥ ସିଷ୍ଟମର ପ୍ରଶଂସା କରିଛନ୍ତି। ମହାମାରୀ କାଳରେ ପ୍ରତିଟି ଜୀବନ ମୂଲ୍ୟବାନ। ସେଥିପାଇଁ ଜୀବନ ରକ୍ଷା ଦିଗରେ ଚେଷ୍ଟା ଚାଲିଥିବା ପୁଟିନ୍ କହିଛନ୍ତି। ସମାଜ ଓ ଦେଶ ପାଇଁ ସ୍ବାସ୍ଥ୍ୟ ସେବା ବଡ଼ ଗୁରୁତ୍ବପୂଣ୍ର୍ଣ ଭୂମିକା ଗ୍ରହଣ କରିଛି। ସୂଚନାଯୋଗ୍ୟ ଋଷ ହେଉଛି ପ୍ରଥମ ଦେଶ ଯେ କି କରୋନା ଭାକସିନ ପ୍ରସ୍ତୁତ କରିଥିବା ଦାବି କରିଥିଲା। ଅଗଷ୍ଟ ମାସରେ ଋଷ ଏହି କଥା ଘୋଷଣା କରିଥିଲା।
ଗୋଟେ ପଟେ ଋଷ ଦ୍ବିତୀୟ କରୋନା ଭାକସିନ୍ ପ୍ରସ୍ତୁତ କରିଥିବା ଦାବି କରୁଥିବା ବେଳେ ଆମେରିକା କମ୍ପାନିର କରୋନା ଭାକସିନ କ୍ଲିନିକାଲ ଟ୍ରାଏଲର ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏ ନେଇ ଖୁସି ବ୍ୟକ୍ତ କରିଛନ୍ତି। ଆମେରିକା କମ୍ପାନି ଜନସନ ଆଣ୍ଡ ଜନସନ ଏହି ସଫଳତା ହାସିଲ କରିବାକୁ ଯାଉଛି।