ପ୍ରାଇସ୍ କ୍ୟାପ୍କୁ ବିରୋଧ: ୨୦୨୩ ଆରମ୍ଭରୁ ତୈଳ ରପ୍ତାନୀ କମାଇବ ଋଷ, ଅନ୍ତର୍ଜାତୀୟ ବଜାରରେ ବଢ଼ିଲା ଦର
23/12/2022 at 7:15 PM

ମସ୍କୋ: ଆମେରିକା ଓ ପଶ୍ଚିମ ଦେଶଗୁଡ଼ିକ ମିଶି ଋଷ ତେଲ ଉପରେ ପ୍ରାଇସ୍ କ୍ୟାପ୍ ଲଗାଇବା ପରେ ତେଲ ରପ୍ତାନୀ କମ କରିବାକୁ ଚେତାବନୀ ଦେଇଛି ଋଷ। ଫଳରେ ଅନ୍ତର୍ଜାତୀୟ ମାର୍କେଟ୍ରେ ତୈଳ ଦର ବୃଦ୍ଧି ପାଇଛି।
୨୦୨୩ ବର୍ଷ ଆରମ୍ଭରୁ ଋଷ ତୈଳ ରପ୍ତାନୀରେ ୫-୭ ପ୍ରତିଶତ ହ୍ରାସ କରିପାରେ। ତା ସହିତ ଯେଉଁ ଦେଶଗୁଡ଼ିକ ପ୍ରାଇସ୍ କ୍ୟାପ୍କୁ ସମର୍ଥନ କରିଛନ୍ତି ସେମାନଙ୍କୁ ରପ୍ତାନୀ ବନ୍ଦ କରିବାକୁ ଚେତାବନୀ ଦେଇଛି ମସ୍କୋ। ଏନେଇ ଋଷର ଜଣେ ବରିଷ୍ଠ ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି।
ଋଷ ଉପପ୍ରଧାନମନ୍ତ୍ରୀ ଆଲେକ୍ସାଣ୍ଡର ନୋଭାକ ଶୁକ୍ରବାର ସରକାରୀ ଟିଭି ଚ୍ୟାନେଲ୍କୁ ପ୍ରତିକ୍ରିୟା ଦେଇ ଏପରି କହିଛନ୍ତି। ଋଷ ଦୈନିକ ରପ୍ତାନୀରେ ୫୦୦,୦୦୦-୭୦୦,୦୦୦ ବ୍ୟାରଲ ତୈଳ କାଟ କରିବ ବୋଲି ଆଲେକ୍ସାଣ୍ଡର କହିଛନ୍ତି।
ସୂଚନା ଥାଉକି ୟୁରୋପୀୟନ, ଜି-୭ ଦେଶ ଓ ଅଷ୍ଟ୍ରେଲିଆ ଋଷର ତେଲ ପାଇଁ ବ୍ୟାରଲ ପ୍ରତି ୬୦ ଡଲାର ପ୍ରାଇସ୍ କ୍ୟାପ୍ ଲଗାଇଛନ୍ତି। ଯାହା ଡିସେମ୍ବର ୫ ତାରିଖରୁ ଲାଗୁ କରାଯାଇଛି। ଋଷର ଅର୍ଥନୀତିକୁ ଦୁର୍ବଳ କରିବା ପାଇଁ ଏହି ପ୍ରତିବନ୍ଧକ ଲଗାଯାଇଛି।
ନୋଭାକଙ୍କ କଥା ଅନୁସାରେ ଯଦି ଋଷ ତେଲ ରପ୍ତାନୀ ବନ୍ଦ କରିଦେଲା ତେବେ ମାର୍କେଟ୍ ତେଲ ଅଭାବ ଦେଖାଦେବ। ଫଳରେ ଅନ୍ୟ ଦେଶରୁ ଆମଦାନୀ ହେଉଥିବା ତେଲ ଉପରେ ନିର୍ଭରତା ଅଧିକ ବଢ଼ିବାରୁ ମାର୍କେଟ୍ର ଏହାର ମୂଲ୍ୟ ବଢ଼ିଯିବ। ଯାହାର ପ୍ରଭାବ ଗ୍ରାହକଙ୍କ ଉପରେ ପଡ଼ିବ।
ଏନେଇ ନୋଭାକ କହିଛନ୍ତି ” ପ୍ରାଇସ କ୍ୟାପ୍ କଟକଣାରେ ଯିବା ଅପେକ୍ଷା ରପ୍ତାନୀ ହ୍ରାସ କରି ଉତ୍ପାଦନ କମ୍ କରିଦେବା ଭଲ ହେବ। ଆଜି ୬୦ଡଲାର ଲଗାଯାଇଛି କାଲି ଆହୁରି କମ୍ କରାଯାଇପାରେ। ତେବେ ଶତ୍ରୁ ରାଷ୍ଟ୍ରଙ୍କ ଦ୍ୱାରା ନିଆଯାଇଥିବା ପଦକ୍ଷେପ ଉପରେ ନିର୍ଭର କରିବା ଆମ ପାଇଁ ଅସ୍ୱୀକାର୍ଯ୍ୟ ଅଟେ।”
ଋଷର ଘୋଷଣାରେ ବଢିଲା ତେଲ ଦର
ଋଷର ତୈଳ ରପ୍ତାନୀ ହ୍ରାସ ନେଇ ଘୋଷଣା ପରେ ଅନ୍ତର୍ଜାତୀୟ ତୈଳ ବଜାରରେ ମୂଲ୍ୟ ୧ ଆମେରିକୀୟ ଡଲାରରୁ ଅଧିକ ବୃଦ୍ଧି ପାଇଛି। ବ୍ରେଣ୍ଟ କ୍ରୁଡ୍ ୭୩ ସେଣ୍ଟ ବା ୦.୯ ପ୍ରତିଶତ ବଢ଼ି ୦୭: ୧୫ ଜିଏମ୍ଟି ପର୍ଯ୍ୟନ୍ତ ୮୧.୭୧ ଡଲାର ପ୍ରତି ବ୍ୟାରଲ ହୋଇଛି। ସେହିପରି ଆମେରିକାର ଡବ୍ଲୁଟିଆଇ କ୍ରୁଡ୍ ୭୮.୪୦ ଡଲାର ପ୍ରତି ବ୍ୟାରଲ ୯୧ ସେଣ୍ଟ ବା ୧.୨ ପ୍ରତିଶତରୁ ଅଧିକ ଥିଲା।
ନୋଭାକ କହିଛନ୍ତି ଯେ ବିଶ୍ୱ ତୈଳ ରପ୍ତାନୀ ବଜାରରେ ଋଷ ଭାଗ ୨୨ ପ୍ରତିଶତ ରହିଥିଲା। ସେହିପରି ଗ୍ୟାସ୍ ରପ୍ତାନୀରେ ୨୦ ପ୍ରତିଶତ ଶେୟାର ଥିଲା ଯଦି ଋଷ ତେଲ ରପ୍ତାନୀ ବନ୍ଦ କରିଦେବ ତେବେ ୨୨ ପ୍ରତିଶତ ହ୍ରାସ ପାଇବ। ଫଳରେ ଅନ୍ୟ ଦେଶରୁ ରପ୍ତାନୀ ତୈଳ ମୂଲ୍ୟ ବହୁଗୁଣା ବଢ଼ିଯିବ। ତେବେ ଭାରତ ପାଇଁ ଏହି ସମସ୍ୟା ହୋଇନପାରେ। କାରଣ ଭାରତ ଋଷ ଠାରୁ କମ ମୂଲ୍ୟରେ ତେଲ କିଣି ନିଜର ଆବଶ୍ୟକତା ପୂରା କରୁଛି।