ପୁତିନଙ୍କ ତୃତୀୟ ବିଶ୍ୱଯୁଦ୍ଧ ଧମକ୍, ଜାଣନ୍ତୁ ଫ୍ରାନ୍ସ କହିଲା କ’ଣ?

Published By : Prameya-News7 Bureau | October 13, 2022 IST

ମସ୍କୋ ୧୩।୧୦: ଋଷିୟା ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ବେଳକୁ ବେଳ ଦୀର୍ଘ ହେବାରେ ଲାଗିଛି। ଗତ କିଛି ଦିନ ହେଲା ଋଷିଆ ଅଧିକ ଆକ୍ରମକ ହୋଇ ଉଠିଛି ଓ ୟୁକ୍ରେନ୍ ଉପରେ ଆକ୍ରମଣ ଜୋରଦାର କରିଛି। ଋଷିଆର ଏପରି ଆକ୍ରମଣରେ ୟୁକ୍ରେନ ନାଟୋ ( ଉତ୍ତର ଆଟଲାଣ୍ଟିକ ଚୁକ୍ତି ସଙ୍ଗଠନ)ରେ ଯୋଗ ଦେବା ଲାଗି ଉଦଗ୍ରିବ ହୋଇଉଠିଛି। ତେବେ ନାଟୋରେ ୟୁକ୍ରେନର ସାମିଲକୁ ନେଇ ଋଷିଆ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି।

ଋଷିଆ ଏହାକୁ ୟୁକ୍ରେନର ପ୍ରୋପାଗଣ୍ଡା ବୋଲି କହିଥିବା ବେଳେ ଏପରି କିଛି ହେଲେ ତୃତୀୟ ବିଶ୍ୱଯୁଦ୍ଧ ନିଶ୍ଚିତ ବୋଲି ଚେତାଇ ଦେଇଛି। ଏହା ପୂର୍ବରୁ ଋଷିଆ ଅନେକବାର ଯୁଦ୍ଧରେ ପରମାଣୁ ଅସ୍ତ୍ର ଶସ୍ତ୍ର ବ୍ୟବହାର କରିବ ବୋଲି ଧମକାଉଥିଲା। ଏଥିରେ ବିଶ୍ୱଯୁଦ୍ଧ ଧମକ ଦେବା ନୂଆ ଚିନ୍ତାର କାରଣ ପାଲଟିଛି। ଋଷିଆ-ୟୁକ୍ରେନ ଯୁଦ୍ଧ ପରଠାରୁ ଏପରି ଧମକ୍ ପ୍ରଥମ ଥର ମିଳିଛି। ଯେଉଁଥିରେ ଋଷିଆ ସିଧା ତୃତୀୟ ବିଶ୍ୱଯୁଦ୍ଧର କଥା ଉଠାଇଛି।

{"id":695450,"width":840,"height":560,"sizeSlug":"full","linkDestination":"none"}

ଋଷିଆ ସିକ୍ୟୁରିଟି କାଉନସିଲର ଡେପୁଟି ସେକ୍ରେଟାରୀ ଆଲେକଜାଣ୍ଡାର ବେନିଡିକତୋଭ କହିଛନ୍ତି ଯେ ଏହା ୟୁକ୍ରେ ମଧ୍ୟ ଜାଣେ ଯେ ସେ ନାଟୋରେ ସାମିଲ ହେଲେ ଏହା ତୃତୀୟ ବିଶ୍ୱଯୁଦ୍ଧରେ ପରିଣତ ହେବ। ପୁଟିନଙ୍କ ନିକଟତମ କୁହାଯାଉଥିବା ଆଲେକଜାଣ୍ଡାର ଏପରି ପଦକ୍ଷେପର ପରିଣାମ ନିଜେ ନାଟୋ ଓ ସଦସ୍ୟ ଦେଶମାନେ ମଧ୍ୟ ଜାଣନ୍ତି ବୋଲି କହିଛନ୍ତି। ଋଷର ଏପରି ଧମକ ସେହି ସମୟରେ ଆସିଛି ଯେତେବେଳେ ୟୁକ୍ରେନର ଅନେକ ଅଞ୍ଚଳ ଉପରେ ଋଷିଆ ବୋମା ବର୍ଷା କରୁଛି।

ତୃତୀୟ ବିଶ୍ୱଯୁଦ୍ଧକୁ ନେଇ ଫ୍ରାନ୍ସ ରାଷ୍ଟ୍ରପତିଙ୍କ ବୟାନ
ଋଷିଆର ତୃତୀୟ ବିଶ୍ୱଯୁଦ୍ଧ ଧମକରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ପ୍ରତିକ୍ରିୟା ରଖିଛନ୍ତି। ମେକ୍ରନ କହିଛନ୍ତି ଯେ ଆମେ କେହି ବି ତୃତୀୟ ବିଶ୍ୱଯୁଦ୍ଧ ଚାହୁଁନେ। ତେବେ ଆମେ ୟୁକ୍ରେନର ସାର୍ବଭୌମତ୍ୱର ସୁରକ୍ଷା ଲାଗି ସହାୟତା କରୁଛୁ। ଏଣୁ ଋଷ ଉପରେ କେବେ ସିଧାଶଳଖ ଆକ୍ରମଣ କରିବୁନି। ତେବେ ଋଷିଆ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନଙ୍କୁ ଏବେ ଏହି ଯୁଦ୍ଧ ରୋକିଦେବା ସହ ୟୁକ୍ରେନର ଆଞ୍ଚଳିକ ଅଖଣ୍ଡତାକୁ ସମ୍ମାନ କରିବା ଦରକାର ବୋଲି କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.