ପରମାଣୁ ଯୁଦ୍ଧର ବଢିଲା ଆଶଂକା ? ବିଧ୍ୱଂସକାରୀ ମିସାଇଲ 'ସରମତ'ର ପରୀକ୍ଷଣ କଲା ରୁଷ

Published By : Prameya-News7 Bureau | April 20, 2022 IST

ନୂଆଦିଲ୍ଲୀ,୨୦/୦୪: ୟୁକ୍ରେନ ସହ ଜାରି ଯୁଦ୍ଧ ମଧ୍ୟରେ  ରୁଷ ନିଜର ନୂତନ ଇଣ୍ଟରକଣ୍ଟିନେଣ୍ଟାଲ ବାଲେଷ୍ଟିକ ମିସାଇଲ ସରମତର ସଫଳ ପରୀକ୍ଷଣ କରିଛି। ରୁଷର ପ୍ରତିରକ୍ଷା ମନ୍ତ୍ରଣାଳୟ ଏହାର ସୂଚନା ଦେଇଛି। ମନ୍ତ୍ରଣାଳୟ କହିଛି, କାସ୍ମୋଡ୍ରୋମରେ ଏହି ମିସାଇଲର ପରୀକ୍ଷଣ କରାଯାଇଛି । ସରମତକୁ ଦୁନିଆର ସବୁଠୁ ବିଧ୍ୱଂସକାରୀ ମିସାଇଲ ଧରାଯାଏ ଏବଂ ଏହାର କ୍ଷମତା ବହୁ ବ୍ୟାପକ। ରୁଷ ରକ୍ଷା ମନ୍ତ୍ରଣାଳୟ ଅନୁସାରେ, ଏହି ମିସାଇଲ ଯୋଗୁଁ ଦେଶର ସାମରିକ ପରମାଣୁ ଶକ୍ତିରେ ଉଲ୍ଲେଖନୀୟ ବୃଦ୍ଧି ହେବ। ରାଷ୍ଟ୍ରପତି ପୁଟିନଙ୍କ ଏହି ପଦକ୍ଷେପ ସ୍ଥିତିକୁ ଅଧିକ ଗମ୍ଭୀର କରିପାରେ।

ମିଡିଆ ରିପୋର୍ଟ ଅନୁସାରେ, ମିସାଇଲ ଦେଶର ଉତ୍ତର-ପଶ୍ଚିମରେ ପ୍ଲେସେସ୍କ୍ୟରେ ପରୀକ୍ଷଣ କରାଯାଇଥିଲା ଏବଂ ପୂର୍ବରେ ଥିବା କାମଚଟକା ଦ୍ୱୀପରେ ଲକ୍ଷ୍ୟକୁ ଭେଦ କରିଥିଲା। ଏହି ସଫଳତା ପାଇଁ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ସେନାକୁ ଶୁଭେଚ୍ଛା ଜଣାଇଛନ୍ତି ।

ପୁଟିନ କହିଛନ୍ତି, 'ସରମତ ଇଣ୍ଟରକଣ୍ଟିନେଣ୍ଟାଲ ବାଲେଷ୍ଟିକ ମିସାଇଲର ସଫଳ ପରୀକ୍ଷଣ ପାଇଁ ସମସ୍ତଙ୍କୁ ଶୁଭେଚ୍ଛା । ଏହା ବାସ୍ତବରେ ଅନନ୍ୟ ଅସ୍ତ୍ର। ଏହା ଆମର ସଶସ୍ତ୍ର ବଳଙ୍କ ଯୁଦ୍ଧ କ୍ଷମତାକୁ ଅଧିକ ମଜବୁତ କରିବ ଏବଂ ବାହାର ଶତ୍ରୁଙ୍କ ଠାରୁ ରୁଷର ସୁରକ୍ଷାକୁ ସୁନିଶ୍ଚିତ କରିବ'। ଏହି ସମୟରେ ପୁଟିନ ଆମେରିକା ସହ ପାଶ୍ଚାତ୍ୟ ଦେଶ ଗୁଡିକୁ ଚେତାବନୀ ଦେଇ କହିଛନ୍ତି, ଯେଉଁମାନେ ଆକ୍ରମଣାତ୍ମକ ବୟାନବାଜି କରି ଆମକୁ ଧମକ ଦେବାକୁ ପ୍ରୟାସ କରୁଛନ୍ତି, ସେମାନେ ଏହା ଉପରେ ପୁଣି ଥରେ ଚିନ୍ତା କରିବା ଜରୁରୀ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.