ସବୁଠୁ ଦ୍ରୁତଗାମୀ କ୍ଷେପଣାସ୍ତ୍ର ‘ଜିରକନ’ର ପରୀକ୍ଷଣ କଲା ଋଷ, ରାଡାରକୁ ଧୋକାଦେବ
2/12/2020 at 6:54 PM

ନୂଆଦିଲ୍ଲୀ : ଋଷିଆ ତାର ନର୍ଦ୍ଦନ ଫ୍ଲିଟ୍ ଗ୍ରୋସକୋଭ ଫ୍ରିଗେଟ୍ରୁ ପୃଥିବୀର ସବୁଠୁ ବେଗବାନ କ୍ଷେପଣାସ୍ତ୍ର ‘ଜିରକନ’ର ସଫଳତା ପୂର୍ବକ ପରୀକ୍ଷଣ କରିଛି। ପରୀକ୍ଷଣ କାଳରେ କ୍ଷେପଣାସ୍ତ୍ର ୪୫୦ କିଲୋମିଟର ଦୂର ଟାର୍ଗେଟ୍କୁ ସଫଳତାର ସହ ହିଟ୍ କରିଥିଲା। ଏହି କ୍ଷପଣାସ୍ତ୍ର ଧ୍ୱନୀର ବେଗଠାରୁ ଅଧିକ ୮ ଗୁଣା ବେଗରେ ଶତ୍ରୁର ଟାର୍ଗେଟ୍ ଧ୍ୱଂସ କରିପାରେ।

ଋଷିୟ କ୍ଷେପଣାସ୍ତ୍ର ଜିରକନର ବେଗ ପ୍ରାୟ ୮ ମ୍ୟାକ୍ ଅର୍ଥାତ ଘଣ୍ଟାପ୍ରତି ୯ ହଜାର ୮୭୮ କିଲୋମିଟର ବେଗରେ ଗତି କରିପାରୁଛି। ଯଦି ଏହି କ୍ଷେପଣାସ୍ତ୍ରକୁ ମସ୍କୋରୁ ଉତକ୍ଷେପଣ କରାଯାଏ ପ୍ରାୟ ଘଣ୍ଟାକ ପରେ ଲସଏଞ୍ଜେଲସ୍ରେ ପହଞ୍ଚିଯିବ। ଏହି କ୍ଷେପଣାସ୍ତ୍ରର ସବୁଠୁ ବଡ ଗୁଣ ହେଲା ଶତ୍ରୁ ଏହାକୁ ଆକାଶରେ ଠାବ କରିପାରିବନି। ଯେତେବେଳେ ଠାବ ହେବ ସେତେବେଳେ ଏହା ନିଜ ଲକ୍ଷସ୍ଥଳ ନିକଟରେ ଥିବ।

ଜିରକନକୁ ଠାବ କରିବା ଶତ୍ରୁପକ୍ଷ ରାଡାର ପାଇଁ ମଧ୍ୟ କଷ୍ଟକର। ଏହା ସିଧା ଶଳଖ ନୁହେଁ ଏଣେତେଣେ ହୋଇ ଲକ୍ଷପଥରେ ଆଗେଇଥାଏ ଓ ଠିକ୍ ସ୍ଥାନରେ ଦିଗ ବଦଳାଇ ଲକ୍ଷକ୍ଷେଦ କରେ। ଏକରେ ଦ୍ରୁତ ବେଗ ଦ୍ୱିତୀୟରେ ଟ୍ରେଜକ୍ଟରୀ ଯୋଗୁ ଶତ୍ରୁପକ୍ଷ ରାଡାରରେ ଆସିବନି। ଏହାର ବେଗ ଏତେ ଅଧିକା ଯେ ଟାର୍ଗେଟ ମଧ୍ୟ ଜାଣିପାରେନି ତା ଆଡକୁ କଣ ଆସୁଛି।

ଋଷିଆର ଜିରକନ୍ ଭଳି ଭାରତ ନିଜର ବ୍ରହ୍ମୋସ କ୍ଷେପଣାସ୍ତ୍ରକୁ ପ୍ରସ୍ତୁତ କରୁଛି। ଜିରକନକୁ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କ ପସନ୍ଦର କ୍ଷେପଣାସ୍ତ୍ର ବୋଲି କୁହାଯାଉଛି। ବେରେଣ୍ଟସ ସାଗରରେ ଏହି କ୍ଷେପଣାସ୍ତ୍ରକୁ ତା ଟାର୍ଗେଟ ନିକଟରେ ପହଞ୍ଚିବାକୁ ମାତ୍ର ୪ ମିନିଟ୍ ସମୟ ଲାଗିଥିଲା। ଗତ ଅକ୍ଟୋବରରେ ପୁତିନଙ୍କ ଜନ୍ମଦିନରେ ଋଷିଆ ଏହି କ୍ଷେପଣାସ୍ତ୍ରର ପରୀକ୍ଷଣ କରିଥିବା ବେଳେ ଏହା ସଫଳ ହୋଇଛି। ଏହା ପୂର୍ବରୁ ଗତ ଜାନୁୟାରୀରେ କ୍ଷେପଣାସ୍ତ୍ରର ପ୍ରଥମ ପରୀକ୍ଷଣ ହୋଇଥିବାର ଜଣାପଡିଛି।