ନୂଆଦିଲ୍ଲୀ: ଋଷ ଲଗାତର ଦ୍ୱିତୀୟ ଥର ପାଇଁ ଭାରତର ସବୁଠାରୁ ବଡ଼ ତୈଳ ରପ୍ତାନକାରୀ ସହଯୋଗୀ ରାଷ୍ଟ୍ର ହୋଇପାରିଛି। ଇରାକ ଓ ସାଉଦି ଆରବକୁ ପଛରେ ପକାଇ ଋଷ ନଭେମ୍ବର ମାସରେ ଭାରତକୁ ସର୍ବାଧିକ ତେଲ ରପ୍ତାନୀ କରିଛି। ଏନର୍ଜୀ କାର୍ଗୋ ଟ୍ରାକର ଭୋର୍ଟେକ୍ସା ପକ୍ଷରୁ ଏହି ସୂଚନା ମିଳିଛି।
ଇନ୍ଧନ ଶକ୍ତି ଯୋଗାଣ ଉପରେ ନଜର ରଖୁଥିବା ସଂସ୍ଥା ଭୋର୍ଟାକ୍ସର ସୂଚନା ଅନୁସାରେ, ଭାରତ ୨୦୨୨ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଋଷ ଠାରୁ ମାତ୍ର ୦.୨ ପ୍ରତିଶତ ତେଲ ଆମଦାନୀ କରିଥିଲା। ହେଲେ ନଭେମ୍ବର ମାସରେ ମସ୍କୋ ନୂଆଦିଲ୍ଲୀକୁ ପ୍ରତିଦିନ ପ୍ରାୟ ୯,୦୯,୪୦୩ ବ୍ୟାରେଲ ତୈଳ ରପ୍ତାନୀ କରିଛି।
ସେହିପରି ଇରାକ ଓ ସାଉଦି ଆରବ ଠାରୁ ବି ବିପୁଳ ପରିମାଣରେ ତୈଳ ଆମଦାନୀ କରିଛି ଭାରତ। ନଭେମ୍ବର ମାସରେ ଇରାକ ଠାରୁ ଦୈନିକ ୮.୬୧,୪୬୧ ବ୍ୟାରେଲ ତୈଳ ଆମଦାନୀ ହୋଇଥିବା ବେଳେ ସାଉଦି ଆରବ ଠାରୁ ଦୈନିକ ୫,୭୦,୯୨୨ ବ୍ୟାରେଲ୍ ତେଲ ଆମଦାନୀ ହୋଇଛି। ତେବେ ଅକ୍ଟୋବର ମାସରେ ଭାରତ ଋଷ ଠାରୁ ଯେତିକି ତେଲ ଆମଦାନୀ କରିଥିଲେ ନଭେମ୍ବରରେ ତା ଠାରୁ ଅପେକ୍ଷାକୃତ କମ ଆମଦାନୀ କରିଛି।
ଡିସେମ୍ବର ୨୦୨୧ରେ ଭାରତ ଋଷ ଠାରୁ ଦୈନିକ ହିସାବରେ(ବିପିଡି) ୩୬,୨୫୫ ବ୍ୟାରେଲ ଅଶୋଧିତ ତୈଳ କିଣିଥିଲା। ହେଲେ ସେହି ସମୟରେ ଇରାକ ଠାରୁ ୧.୦୫ ମିଲିୟନ ବିପିଡି ଓ ସାଉଦି ଆରବ ଠାରୁ୯,୫୨,୬୨୫ ବିପିଡି ତୈଳ ଆମଦାନୀ କରିଥିଲା ଭାରତ। ଏହାପରେ ଦୁଇ ମାସ ଧରି ଭାରତ ଋଷ ଠାରୁ ତେଲ କିଣିବା ବନ୍ଦ କରିଦେଇଥିଲା। ଯାହା ପୁଣି ମାର୍ଚ୍ଚ ମାସରେ ଆରମ୍ଭ ହୋଇଥିଲା।
ୟୁକ୍ରେନ୍ ଉପରେ ଆକ୍ରମଣ ପରେ ପଶ୍ଚିମ ରାଷ୍ଟ୍ରଗୁଡ଼ିକ ଋଷ ଉପରେ କଟକଣା ଲଗାଇଥିଲେ। ଆଉ ଋଷ ତାର ବ୍ୟବସାୟ ପ୍ଲାନ୍ ପକାଇ ତୈଲ ମୂଲ୍ୟରେ ଅହେତୁକ ହ୍ରାସ କରିଥିଲା। ଆଉ ଏହି ସମୟରେ ଭାରତ ମଉକା ଦେଖି ମାର୍ଚ୍ଚ ମାସ ଠାରୁ ଋଷ ପାଖରୁ ତେଲ ଆମଦାନୀ ଆରମ୍ଭ କରିଥିଲା।
ମାର୍ଚ୍ଚ ମାସରେ ଭାରତ ଋଷ ଠାରୁ ୬୮,୬୦୦ ବିପିଡି ତୈଳ ଆମଦାନୀ କରିଥିଲା। ପରେ ପରେ ଏହି ସଂଖ୍ୟା ବଢ଼ି ୨,୬୬,୬୧୭ ବିପିଡି ହୋଇଯାଇଥିଲା। ଆଉ ଜୁନ ପର୍ଯ୍ୟନ୍ତ ଏହି ସଂଖ୍ୟା ବଢ଼ି ୯,୪୨,୬୯୪ ବିପିଡି ହୋଇଯାଇଥିଲା। କିନ୍ତୁ ଜୁନ ମାସରେ ଋଷକୁ ପଛରେ ପକାଇ ଇରାକ ଭାରତକୁ ସର୍ବାଧକ ୧.୪ ମିଲିୟନ ବିପିଡି ତେଲ ବିକ୍ରି କରିଥିଲା।
ଫଳରେ ଋଷ ତୈଳ ରପ୍ତାନୀରେ ଦ୍ୱିତୀୟରେ ରହିଥିଲା। ଜୁଲାଇ ଓ ଅଗଷ୍ଟରେ ଋଷ ଠାରୁ ଆମଦାନୀ କମ ରହିବା ସହିତ ସେପ୍ଟେମ୍ବରରେ ଆମଦାନୀ ୮.୭୬ ୩୯୬ ବିପିଡି ହୋଇଥିଲା। ପରେ ପୁଣି ଅକ୍ଟୋବରରେ ଏହା ବଢି ୯,୩୫,୫୫୬ ବିପିଡି ହୋଇଥିଲା।
ତେବେ ନଭେମ୍ବର ମାସରେ ଋଷର ଅର୍ଥନୀତି ଦୁର୍ବଳ କରିବାକୁ ଆମେରିକା ସମେତ ଇୟୁ ଋଷ ତୈଳ ଉପରେ ଶସ୍ତା ପ୍ରାଇସ କ୍ୟାପ୍ ଲଗାଇଥିଲେ। ହେଲେ ଋଷ ଏତେ ଶସ୍ତାରେ ତେଲ ଦେବାକୁ ମନା କରିଦେଇଥିଲା। ପ୍ରାଇସ୍ କ୍ୟାପ୍ ବାହାରେ ଋଷ ଠାରୁ ତେଲ କିଣିବାକୁ ଭାରତୀୟ ରିଫାଇନାରୀମାନଙ୍କୁ କହିଥିଲେ ଭାରତ ସରକାର। ଦେଶର ସ୍ୱାର୍ଥ ପାଇଁ ରିଫାଇନାରୀ କମ୍ପାନୀ ଉତ୍ତମ ଅଫରକୁ ଦେଖିବା ଦରକାର ବୋଲି ଡିସେମ୍ବର ୭ ରେ ରାଜ୍ୟସଭାରେ ଉତ୍ତର ଦେଇ କହିଥିଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର।