ବ୍ୟାରେଲ ପ୍ରତି ୬୦ ଡଲାର ପ୍ରାଇସ୍ କ୍ୟାପ୍‌କୁ ମନା କଲା ଋଷ: ଭାରତ ଉପରେ କଣ ପଡ଼ିବ ପ୍ରଭାବ ?

Published By : Prameya-News7 Bureau | December 04, 2022 IST

ମସ୍କୋ: ଶସ୍ତା ତେଲ ଦେବାକୁ ମନା କରିଦେଲା ଋଷ। ପ୍ରତି ବ୍ୟାରେଲ ଅଶୌଧିତ ତୈଳ ଦର ୬୦ ଡଲାର ପ୍ରସ୍ତାବକୁ ଋଷ ମନା ଅସ୍ୱୀକାର କରିଛି। ନିକଟରେ ୟୁରୋପିୟନ ୟୁନିୟନ(ଇୟୁ), ଜି-୭ ଦେଶ ଓ ଅଷ୍ଟ୍ରେଲିଆ ଋଷର ଅଶୌଧିତ ତୈଳ ଉପରେ ଏହି ମୂଲ୍ୟ ନିର୍ଦ୍ଧାରିତ କରିଥିଲେ। ହେଲେ ଏହା ଋଷିଆ ଏହାକୁ ଅସ୍ୱୀକାର କରିଛି।   

ଋଷର ସମାଚାର ଏଜେନ୍ସି ଟାସ୍‌(TASS) ଅନୁସାରେ, କ୍ରେମଲିନ ପ୍ରବକ୍ତା ଦିମିତ୍ରୀ ପେସ୍‌କୋବ କହିଛନ୍ତି "ଆମେ ସ୍ଥିତିର ଆକଳନ କରୁଛୁ। ଏଭଳି ପ୍ରାଇସ୍ କ୍ୟାପ୍‌ ପାଇଁ କିଛି ପ୍ରସ୍ତୁତି କରାଯାଇଥିଲା। ଆମେ ଏହି ପ୍ରାଇସ୍‌ କ୍ୟାପ୍‌କୁ ସ୍ୱୀକାର କରିବୁ ନାହିଁ ଓ ଆମର ମୂଲ୍ୟାଙ୍କନ ଶେଷ ହେବା ପରେ ଆମେ ଆପଣଙ୍କୁ ଜଣାଇବୁ ଯେ କିପରି ଏହି କାମକୁ ଆଗକୁ ନିଆଯିବ।"

ପ୍ରକୃତରେ ୟୁକ୍ରେନ୍ ସହ ଯୁଦ୍ଧ ପର ଠାରୁ ଆମେରିକା ସମେତ ପଶ୍ଚିମ ରାଷ୍ଟ୍ରଗୁଡ଼ିକ ଋଷ ଉପରେ ପ୍ରତିବନ୍ଧକ ଲଗାଇ ତା ଦେଶରେ ଆର୍ଥନୀତିକୁ ଦୋହଲାଇବାକୁ ଚେଷ୍ଟା କରୁଛନ୍ତି। ଯେହେତୁ ଋଷକୁ ତେଲ ବ୍ୟବସାୟରେ ଅଧିକ ଆୟ ହେଉଛି ଏଥିପାଇଁ ପଶ୍ଚିମଦେଶଗୁଡିକ ମିଶି ଋଷ ତେଲ ଉପରେ ଶସ୍ତା ପ୍ରାଇସ୍ କ୍ୟାପ୍ ଲଗାଇଛନ୍ତି। ଯାହାକୁ ମାନିବାକୁ ନାରାଜ ଋଷ। ତେବେ ଆସନ୍ତାକାଲି ଠାରୁ ଋଷ ତେଲ ଉପରେ ଏହି ମୂଲ୍ୟ ଲାଗୁ ହୋଇଯିବ। ଋଷ ତୈଳ ରପ୍ତାନୀକୁ ହ୍ରାସ କରିବାକୁ ଏହି ପଶ୍ଚିମ ଦେଶଗୁଡ଼ିକ ଏହି ପ୍ରାଇସ୍‌ କ୍ୟାପ୍ ଲଗାଇଥିଲେ ବି ୟୁକ୍ରେନ୍ ରାଷ୍ଟ୍ରପତି କିନ୍ତୁ ଏହାକୁ ବହୁତ କମ୍ ବୋଲି କହିଛନ୍ତି।
ଭାରତ ଉପରେ ଏହାର କ'ଣ ପଡ଼ିବ ପ୍ରଭାବ ?
ଆସନ୍ତାକାଲି ଠାରୁ ନୂଆ ପ୍ରାଇସ୍ କ୍ୟାପ୍ ଲାଗୁ ହେବା ପରେ ଭାରତ ଉପରେ ନିଶ୍ଚିତ ରୂପରେ ଏହାର କୁପ୍ରଭାବ ପଡ଼ିବ। କାରଣ ଭାରତ ଋଷର ତୈଳକୁ ବ୍ରେଣ୍ଟ ଠାରୁ ମାତ୍ର ୧୫-୨୦ ଡଲାରରେ କିଣୁଛି। ମୂଲ୍ୟ ନିର୍ଦ୍ଧାରିତ ହେବା ପରେ ଭାରତକୁ ଅଧିକ ମୂଲ୍ୟରେ ତେଲ କିଣିବା ଆଶଙ୍କା ରହିଛି। ସେପଟେ ଋଷ ଠାରୁ ଭାରତର ତେଲ କିଣିବାକୁ ବରଦାସ୍ତ କରିପାରୁନି ଆମେରିକା। ଏପଟେ ଭାରତ ସହିତ ବନ୍ଧୁତ୍ୱ ଥିବାରୁ ଓ ଚୀନକୁ ନିୟନ୍ତ୍ରଣ କରିବାର ଭାରତର ସମ୍ଭବନା ଥିବାରୁ ଆମେରିକା ସିଧାସଳଖ ଭାରତକୁ ନ କହିପାରିଲେ ବି ଏହାକୁ ସମାଲୋଚନା କରୁଛି। ତେଣୁ ଭାରତ ଯେମିତି ଋଷ ଠାରୁ ତେଲ ନ କିଣିବ ଏନେଇ ଆମେରିକା ପରୋକ୍ଷରେ ଯୋଜନା କରୁଛି ବୋଲି କୁହାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.