ଅଧିକ ମଦ୍ୟପାନ ନେଲା ଜୀବନ, ରାୟଗଡା ବୁଲିବାକୁ ଆସି ଋଷ ପର୍ଯ୍ୟଟକ ମୃତ

Published By : Prameya-News7 Bureau | December 23, 2022 IST

ରାୟଗଡ଼ା ୨୩/୧୨: ରାୟଗଡା ଜିଲ୍ଲା ବୁଲିବା ପାଇଁ ଆସିଥିବା ଜଣେ ଋଷିଆ ପର୍ଯ୍ୟଟକଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । ମୃତ ପର୍ଯ୍ୟଟକ ହେଲେ ଋଷିଆର ବ୍ଲାଡ଼ିମିର ବିଦାନୋଭ । ତାଙ୍କ ବୟସ ୬୨ ବର୍ଷ ହେବ ବୋଲି ସୂଚନା ରହିଛି ।

ଗତ ୨୧ ତାରିଖ ଦିନ ଦାରିଙ୍ଗବାଡ଼ିରୁ ସେ ରାୟଗଡ଼ା ଆସିଥିଲେ । ରୁଷିଆର ୪ ଜଣ ପର୍ଯ୍ୟଟକ ସହ ବିଦାନୋଭ ରାୟଗଡ଼ା ଆସିଥିଲେ । ତେବେ ଅତ୍ୟଧିକ ମଦ୍ୟପାନ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ଗାଇଡ ଜିତେନ୍ଦ୍ର ସିଂ ସୂଚନା ଦେଇଛନ୍ତି । ତେବେ ଶବ ବ୍ୟବଚ୍ଛେଦ ହୋଇନଥିବା ଯୋଗୁଁ ମୃତ୍ୟୁର ସ୍ପଷ୍ଟ କାରଣ ଜଣାପଡ଼ିନାହିଁ । ଗତକାଲି ଏହି ଘଟଣା ଘଟିଥିବା ବେଳେ ଆଜି ଏହା ଲୋକଲୋଚନକୁ ଆସିଛି ।

ଗୁରୁବାର ତାଙ୍କ ସ୍ୱାସ୍ଥ୍ୟ ଖରାପ ହେବାରୁ ହୋଟେଲ କର୍ମଚାରୀ ଓ ଗାଇଡ ଆମ୍ବୁଲାନ୍ସ ଡାକି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପଠାଇଥିଲେ । ଏଥିସହ ପୁଲିସକୁ ମଧ୍ୟ ସୂଚନା ଦିଆଯାଇଥିଲା । ଚିକିତ୍ସାଳୟରେ ତାଙ୍କର ମୃତ୍ୟୁ ହୋଇଥିଲା ବୋଲି ଗାଇଡ କହିଛନ୍ତି । ମୃତ୍ୟୁ ପରେ ତାଙ୍କ ଶବକୁ ମେଡିକାଲ ଶବଗୃହ ପରିସରରେ ରଖାଯାଇଥିବା ସୂଚନା ମିଳିଛି । ଆସନ୍ତାକାଲି ମୃତ ବିଦାନୋଭଙ୍କ ପରିବାର ରାୟଗଡ଼ା ପହଞ୍ଚିବା ପରେ ମୃତଦେହ ବ୍ୟବଚ୍ଛେଦ କରାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.