ନୂଆଦିଲ୍ଲୀ ୧୨।୫: ଭାରତ-ପାକିସ୍ତାନ ମଧ୍ୟରେ ପୁଣି ଥରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଏଥିରେ ଭାରତର ସୁରକ୍ଷା ପ୍ରସ୍ତୁତିକୁ ମଜଭୁତ କରିବା ଦିଗରେ ଋଷିଆ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଦେଇଛି। ଭାରତକୁ ଋଷିଆ ଏସ୍-୫୦୦ ଏୟାର ଡିଫେନ୍ସ ସିଷ୍ଟମର ମିଳିତ ନିର୍ମାଣ ନିମନ୍ତେ ଅଫର ଦେଇଛି। ଏହି ଅଫର ଏପରି ଏକ ସମୟରେ ଭାରତକୁ ମିଳିଛି ଯେତେବେଳେ ଆତଙ୍କବାଦକୁ ନେଇ ଭାରତ-ପାକିସ୍ତାନ ଉତ୍ତେଜନା ଲାଗି ରହିଛି।
ଏସ୍-୫୦୦ ଏୟାରଡିଫେନ୍ସ ସିଷ୍ଟମ କ’ଣ?
ଋଷିଆ ଦ୍ୱାରା ବିକଶିତ ଅତ୍ୟାଧୁନିକ ବାୟୁରକ୍ଷା ପ୍ରଣାଳୀ ମଧ୍ୟରେ ଏସ୍-୫୦୦ ପ୍ରୋମେଟେ ସବୁଠୁ ଆଡଭାନ୍ସଡ ଏୟାର ଡିଫେନ୍ସ ସିଷ୍ଟମ, ଯାହା କ୍ଷେପଣାସ୍ତ୍ର, ଡ୍ରୋନ ଓ ଷ୍ଟିଲଥ୍ ଏୟାରକ୍ରାଫ୍ଟ ଏପରିକି ହାଇପରସୋନିକ ଅସ୍ତ୍ରକୁ ବି ୬୦୦ କି.ମି ଦୂରରେ ଟାର୍ଗେଟ୍ କରିବାକୁ ସକ୍ଷମ। ଏହି ବାୟୁରକ୍ଷା ପ୍ରଣାଳୀ ଭାରତର ଥିବା ଏସ୍-୪୦୦ଠୁ ଅନେକ ଗୁଣା ଅଧିକ ତୀବ୍ର, ସଠିକ ଓ ବିସ୍ତୃତର ରେଞ୍ଜର। ଏସ୍-୫୦୦ ଏବେ କେବଳ ଋଷିଆ ସେନା ପାଖରେ ରହିଛି ଓ ବିଶ୍ୱରେ କେବଳ କିଛି ହାତଗଣତି ମିତ୍ର ଦେଶଙ୍କ ନିକଟରେ ରହିଛି।
ଭାରତକୁ କାହିଁକି ଦିଆଯାଇଛି ପ୍ରସ୍ତାବ?
ଭାରତ ଓ ଋଷିଆ ମଧ୍ୟରେ ବନ୍ଧୁତା ବେଶ୍ ପୂରୁଣା। ଭାରତ ପ୍ରଥମେ ଏସ୍-୪୦୦ ଡିଲ ଅନୁସାରେ ଋଷିଆରୁ କେତେକ ୟୁନିଟ୍ ପ୍ରାପ୍ତ କରିସାରିଛି। ଏବେ ଭାରତର ପଶ୍ଚିମ ସୀମାରେ ଉତ୍ତେଜନା ଚରମକୁ ପହଞ୍ଚିଛି ଓ ପାକିସ୍ତାନ ଲଗାତାର ସୈନ୍ୟ ଗତିବିଦ୍ଧିରେ ଲାଗି ରହିଛି। ଏଥିରେ ଋଷିଆର ଏହି ପ୍ରସ୍ତାବ ରଣନୈତିକ ଦୃଷ୍ଟିରୁ ଏବେ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି।
ମିଳିତ ନିର୍ମାଣରୁ କ’ଣ ମିଳିବ ଲାଭ?
ମିଳିତ ଉତ୍ପାଦନର ସିଧା ଅର୍ଥ ହେଉଛି ଭାରତ ଏହି ଅତ୍ୟାଧୁନିକ ଅସ୍ତ୍ର ପ୍ରଣାଳୀକୁ କେବଳ କ୍ରୟ କରିବ ନାହିଁ, ଏଥିରେ ବୈଷୟିକ ଭାଗିଦାର ମଧ୍ୟ ରହିବ। ଏହା ଦ୍ୱାରା ଭାରତର ସ୍ୱଦେଶୀ ପ୍ରତିରକ୍ଷା ନିର୍ମାଣ କ୍ଷମତାକୁ ମଧ୍ୟ ପ୍ରୋତ୍ସାହନ ମିଳିବ। ଭାରତ ସରକାରଙ୍କ ‘ମେକ୍-ଇନ୍-ଇଣ୍ଡିଆ’ ମିସନରେ ଏହାକୁ ଏକ ବଡ଼ ସଫଳତା ବୋଲି ମଧ୍ୟ କୁହାଯିବ। ଏହା ଛଡା ଯଦି ଏସ୍-୫୦୦ ଏୟାର ଡିଫେନ୍ସ ସିଷ୍ଟମର ନିର୍ମାଣ ଭାରତରେ ହୁଏ ତେବେ ଭବିଷ୍ୟତରେ ଭାରତ ଅନ୍ୟ ମିତ୍ର ଦେଶଙ୍କୁ ଏହା ରପ୍ତାନୀ କରିପାରିବ। ଏହା ଦ୍ୱାରା ପ୍ରତିରକ୍ଷା ରପ୍ତାନୀ ମଧ୍ୟ ବଢିବ।
ଭାରତର ପ୍ରତିକ୍ରିୟା
ତେବେ ଭାରତ ସରକାରଙ୍କ ପକ୍ଷରୁ ଏହି ପ୍ରସ୍ତାବ ନେଇ ଏ ପର୍ଯ୍ୟନ୍ତ ଅଧିକାରୀକ ବୟାନ ଜାରି ହୋଇ ନାହିଁ। ତେବେ ପ୍ରତିରକ୍ଷା ସୂତ୍ର ଅନୁସାରେ ଏହି ପ୍ରସ୍ତାବ ଉପରେ ଉଚ୍ଚସ୍ତରରେ ବିଚାରବିମର୍ଷ ଆରମ୍ଭ ହୋଇଯାଇଛି। ଋଷିଆର ଏହି ପ୍ରସ୍ତାବ ଭାରତର ଦୀର୍ଘକାଳୀକ ସୁରକ୍ଷାନୀତି ଅନୁକୂଳ ଏଣୁ ଏହାକୁ ଏବେ ଗୁରୁତର ସହ ବିଚାର କରାଯାଉଛି।