ପରମାଣୁ ଯୁଦ୍ଧ ନେଇ ଆମେରିକାର ଚେତାବନୀ, ୟୁକ୍ରେନ ଉପରେ ଏକ ବଡ଼ ଧରଣର ଆକ୍ରମଣ କରିପାରେ ଋଷ
24/08/2022 at 9:51 AM

ନୂଆଦିଲ୍ଲୀ ୨୪/୦୮: ୟୁକ୍ରେନ ଉପରେ ଋଷର ଆକ୍ରମଣକୁ ୬ ମାସ ପୂରିଗଲାଣି । ଏହାରି ଭିତରେ ୟୁକ୍ରେନ ପ୍ରତି ବିପଦ କମିବା ପରିବର୍ତ୍ତେ ବଢିବାରେ ଲାଗିଛି । ଋଷ ୟୁକ୍ରେନ ଉପରେ ଏକ ବଡ଼ ଧରଣର ଆକ୍ରମଣ କରିପାରେ ବୋଲି କୁହାଯାଉଛି । ୨୪ ଅଗଷ୍ଟରେ ୟୁକ୍ରେନର ସ୍ୱାଧୀନତା ଦିବସ । ଏପରିକି ଏହି ଦିନରେ ସରକାରୀ ଏବଂ ସାଧାରଣ ନାଗରିକଙ୍କୁ ଟାର୍ଗେଟ କରାଯାଇପାରେ ବୋଲି ଆଶଙ୍କା ରହିଛି ।
କିଭ୍ରେ ଥିବା ଆମେରିକା ଦୂତାବାସର ଏନେଇ ଜାରି କରିଛି ହାଇ ଆଲର୍ଟ । ଯେଉଁଥିପାଇଁ ବଢିଛ ଭୟ । ଏଥିରେ କୁହାଯାଇଛି ଯେ ଆଗାମୀ ଦିନରେ ୟୁକ୍ରେନରେ ନାଗରିକ ଭିତ୍ତିଭୂମି ତଥା ସରକାରୀ ସୁବିଧା ବିରୋଧରେ ଋଷ ଆକ୍ରମଣ କରିପାରେ । ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଆଗାମୀ ବିପଦ ବିଷୟରେ ଶୁଣିବା ପରେ ହୋଇପଡିଛନ୍ତି ଆତଙ୍କିତ ।
ସେ ତାଙ୍କ ସମ୍ୱୋଧନରେ କହିଛନ୍ତି ଯେ ଏହି ସପ୍ତାହରେ ଋଷ କିଛି ନିଷ୍ଠୁର ପଦକ୍ଷେପ ଗ୍ରହଣ କରିପାରେ । ଏହାକୁ ଦୃଷ୍ଟିରେ ରଖି ୟୁକ୍ରେନ ଲୋକଙ୍କୁ ସ୍ୱାଧୀନତା ଦିବସ ଅବସରରେ କାର୍ଯ୍ୟକ୍ରମ ଆୟୋଜନ ନକରିବାକୁ ପରାମର୍ଶ ଦେଇଛି । ୟୁକ୍ରେନରେ ରହୁଥିବା ଆମେରିକୀୟମାନଙ୍କୁ ମଧ୍ୟ ତୁରନ୍ତ ଦେଶ ଛାଡିବାକୁ ଆମେରିକା ସରକାର ଚେତାବନୀ ଦେଇଛନ୍ତି ।
ସାମରିକ ଅଭିଯାନ ଘୋଷଣା:
ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଫେବୃଆରୀ ୨୪ରେ ପୂର୍ବରେ ଲୁହାନସ୍କ ଏବଂ ଡୋନାସ୍କର ଋଷିଆ ଭାଷାଭାଷୀ ବିଚ୍ଛିନ୍ନତାବାଦୀ ଗଣତନ୍ତ୍ରର ସୁରକ୍ଷା ପାଇଁ ଏକ ସ୍ୱତନ୍ତ୍ର ସାମରିକ ଅପରେସନ୍ ଘୋଷଣା କରିଥିଲେ। ରାଜଧାନୀ କିଭ୍ ଏବଂ ଖାର୍କିଭ ସହରକୁ କବଜା କରିବାକୁ ଚେଷ୍ଟା କରୁଥିବା ଋଷ ସୈନ୍ୟଙ୍କୁ ୟୁକ୍ରେନ ବିରୋଧ କରିଥିଲା । ଏପ୍ରିଲରେ ଋଷ ଉତ୍ତର ୟୁକ୍ରେନରୁ ଓହରି ଯାଇଥିଲା । ଜୁଲାଇ ୩ ରେ, ଋଷ ଲୁଗାନସ୍କର ପୂର୍ବ ଅଞ୍ଚଳ ଲିସିଚାନାସ୍କ-ସେଭେରୋଡନେଟସ୍କ ସହରଗୁଡ଼ିକୁ ମଧ୍ୟ କବଜା କରିଥିଲା ।
ପରମାଣୁ ଯୁଦ୍ଧର ଧମକ:
ଜାତିସଂଘର ସେକ୍ରେଟେରୀ ଜେନେରାଲ୍ ଆଣ୍ଟୋନିଓ ଗୁଟେରସ୍ ସୋମବାର ବିଳମ୍ବିତ ରାତିରେ ଆଣବିକ ବିପଦ ବିଷୟରେ ଚେତାବନୀ ଦେଇଛନ୍ତି । ବିଶେଷ କରି ଋଷ ଯୁଦ୍ଧ ଆରମ୍ଭରେ ଏହାର ବୃହତ ଆଣବିକ ଅସ୍ତ୍ରଶସ୍ତ୍ରକୁ ସୂଚିତ କରିଛି । ଦକ୍ଷିଣ-ପୂର୍ବ ୟୁକ୍ରେନରେ ଅବସ୍ଥିତ ଜାପୋରିଜିଆରେ ୟୁରୋପର ବୃହତ୍ତମ ଆଣବିକ ଶକ୍ତି କେନ୍ଦ୍ର ବିପଦରେ ରହିଛି।