ଯୁଦ୍ଧ ସମାପ୍ତ କରିବା ପାଇଁ ପାଦ ବଢ଼ାଇଲା ଋଷିଆ, ରଖିଛି ୫ ସର୍ତ୍ତ

Published By : Prameya-News7 Bureau | September 14, 2024 IST

ନୂଆଦିଲ୍ଲୀ ୧୪।୯: ଋଷିଆ-ୟୁକ୍ରେନ ଯୁଦ୍ଧ ସମାପ୍ତି ନିମନ୍ତେ ଜାରି ପ୍ରୟାସରେ ବିକାଶ ଦେଖାଯାଇଛି। ଯୁଦ୍ଧ ସମାପ୍ତି ନିମନ୍ତେ ଋଷିଆ କଥାବାର୍ତ୍ତାର ପ୍ରସ୍ତାବ ଦେଇଛି ଓ ଏଥି ପାଇଁ କିଛି ସର୍ତ୍ତ ମଧ୍ୟ ରଖିଛି। ଋଷିଆ ଏହି ପ୍ରସ୍ତାବ ଭାରତ ସମେତ ବ୍ରାଜିଲ ଓ ଚୀନ  ନିକଟରେ ରଖିଛି, ଯାହାଙ୍କୁ ସେ ମଧ୍ୟସ୍ଥ ଭାବେ ଦେଖୁଛି। ତେବେ ଋଷିଆ ଯେଉଁ ସବୁ ସର୍ତ୍ତ ରଖିଛି ତାକୁ ହୁଏତ ୟୁକ୍ରେନ ମାନି ନ ପାରେ। ତେବେ ଆଲୋଚନା ମାଧ୍ୟମରେ ଯୁଦ୍ଧ ସମାପ୍ତ ହୋଇପାରେ ବୋଲି ଏଥିରୁ ଆକଳନ କରାଯାଉଛି। 

ଋଷିଆ ଯୁଦ୍ଧ ସମାପ୍ତି ନିମନ୍ତେ ୫ଟି ସର୍ତ୍ତ ରଖିଛି। ଏଥିରେ ପ୍ରଥମ ସର୍ତ୍ତଟି ହେଉଛି ଯୁଦ୍ଧ ପରେ ଭବିଷ୍ୟତରେ ୟୁକ୍ରେନ ଗୋଷ୍ଠୀ ନିରପେକ୍ଷ ଓ ଅଣ ସମନ୍ୱିତ ଦେଶ ହୋଇ ରହିବ ଓ ତାକୁ ପରମାଣୁ ମୁକ୍ତ ଦେଶ ହୋଇ ରହିବାକୁ ପଡିବ। ସେହିପରି ଦ୍ୱିତୀୟ ସର୍ତ୍ତଟି ହେଉଛି ସେନା ପ୍ରତ୍ୟାହାର। ଏଥିରେ ୟୁକ୍ରେନ ନିଜ ସେନାକୁ  ବର୍ତ୍ତମାନର ଯୁଦ୍ଧଭୂମିରୁ ପ୍ରତ୍ୟାହାର କରିବାକୁ ହେବ। ସେହିପରି ତୃତୀୟ ସର୍ତ୍ତଟି ହେଉଛି ଋଷୀୟ କ୍ଷେତ୍ରର ମାନ୍ୟତା। ଏଥିରେ ୟୁକ୍ରେନକୁ ଲୁହାଂସ୍କ, ଡୋନେଟସ୍କ, ଖେରସାନ ଓ ଜାପୋରିଜ୍ଜିୟାକୁ ଋଷୀୟ ଅଞ୍ଚଳ ଭାବେ ମାନ୍ୟତା ଦେବାକୁ ପଡିବ। 

ଏହା ଛଡା କ୍ରିମିୟା ଓ ସେଭସ୍ତୋପୋଲକୁ ଅନ୍ତର୍ଜାତୀୟ ସନ୍ଧି ଅନୁସାରେ ମାନ୍ୟତା ଦେବାକୁ ମଧ୍ୟ ଋଷିଆ ଦାବି କରିଛି। ଏହା ଛଡା ଯୁଦ୍ଧ ଯୋଗୁ ଋଷିଆ ବିରୋଧରେ ଲାଗୁ ହୋଇଥିବା ପାଶ୍ଚାତ୍ୟ କଟକଣା ହଟାଇବା ସର୍ତ୍ତ ମଧ୍ୟ ରଖିଛି। ଯଦି ୟୁକ୍ରେନ  ଏହି ସବୁ ଋଷୀୟ ସର୍ତ୍ତ ମାନିନିଏ ତେବେ ଯୁଦ୍ଧ ଅଟକାଇବାକୁ ପୁଟିନ ରାଜି ଓ କଥାବାର୍ତ୍ତା ଆରମ୍ଭ କରିବାକୁ  ପ୍ରସ୍ତୁତ ବୋଲି କହିଛନ୍ତି। ଏହା ଛଡା ପୁଟିନ ୟୁକ୍ରେନ ସୈନିକଙ୍କ ସୁରକ୍ଷିତ ଫେରସ୍ତର ଗ୍ୟାରେଣ୍ଟି ମଧ୍ୟ ଦେଇଛନ୍ତି। 

ଋଷିଆ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନ ଗତ ସପ୍ତାହରେ କହିଥିଲେ ଯେ ସେ ଭାରତ, ବ୍ରାଜିଲ ଓ ଚୀନ ସହ ସମ୍ପର୍କରେ ଅଛନ୍ତି ଓ ଏହି ଦେଶମାନେ ଋଷିଆ-ୟୁକ୍ରେନ ଯୁଦ୍ଧ ସମାପ୍ତି ନିମନ୍ତେ ବିଶ୍ୱସ୍ଥତାର ସହ ପ୍ରୟାସ କରୁଛନ୍ତି। ତେବେ ଋଷିଆର ଏହି ପ୍ରସ୍ତାବରେ ଭାରତ, ବ୍ରାଜିଲ ଓ ଚୀନର ପ୍ରତିକ୍ରିୟା କଣ ତାହା ଜଣାପଡି ନାହିଁ।      

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.