ବ୍ରିଟେନରୁ କରୋନା ଭ୍ୟାକସିନ୍‌ର ବ୍ଲୁ ପ୍ରିଣ୍ଟ ଚୋରି କରି ପ୍ରଥମେ ଟିକା ତିଆରି କରିଥିଲା ରୁଷ: ରିପୋର୍ଟ

Published By : Prameya-News7 Bureau | October 11, 2021 IST

ନୂଆଦିଲ୍ଲୀ ୧୧/୧୦: ବ୍ରିଟେନର ଅକ୍ସଫୋର୍ଡ-ଆଷ୍ଟ୍ରାଜେନିକା କରୋନା ଟିକାର ବ୍ଲୁ ପ୍ରିଣ୍ଟ ରୁଷ ଚୋରି କରିଥିବା ନେଇ ରିପୋର୍ଟ ପ୍ରକାଶ ପାଇଛି। ଏପରିକି ଡାଟା ଚୋରି କରି ସର୍ବପ୍ରଥମେ ଟିକା ତିଆରି କରିଛି ରୁଷ। ପ୍ରତିରକ୍ଷା ଏଜେନ୍ସି ବ୍ରିଟେନର ମନ୍ତ୍ରୀମାନଙ୍କୁ ଏହି ରିପୋର୍ଟ ଦେଇଥିବା ଜଣାପଡ଼ିଛି। ଏଜେନ୍ସି ପାଖରେ ଏନେଇ ଠୋସ୍‌ ପ୍ରମାଣ ଥିବା ବେଳେ କ୍ରେମାଲିନର ଏଜେଣ୍ଟ ମାନେ କୋଭିଡ ଭ୍ୟାକସିନ୍‌ର ପ୍ଲାନ ଚୋରି କରିଛନ୍ତି। ଏହାକୁ ନିଜ ଭ୍ୟାକସିନ୍‌ ପ୍ରସ୍ତୁତ କରିବା‌ରେବେ ବ୍ୟବହାର କରାଯାଇଥିବା ନେଇ ରିପୋର୍ଟରେ ଦାବି ହୋଇଛି।

‘ଦ ସନ୍‌’ର ରିପୋର୍ଟ ମୁତାବିକ, ବ୍ଲୁ ପ୍ରିଣ୍ଟ ଏବଂ ଅନ୍ୟ କିଛି ଜରୁରୀ ତଥ୍ୟ ରୁଷର ଗୁଇନ୍ଦା ଏଜେଣ୍ଟ ଚୋରି କରିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ଡମିୟଦ ହିନ୍ଦସ୍‌ ଅଭିଯୁକ୍ତଙ୍କ ନାଁ ସାର୍ବଜନୀନ କରିନଥିବା ବେଳେ ପୂର୍ବାପେକ୍ଷା ସାଇବର ଆକ୍ରମଣ ବୃଦ୍ଧି ପାଇଛି ବୋଲି କହିଛନ୍ତି। ସୁରକ୍ଷା ଏଜେନ୍ସିର ରିପୋର୍ଟ ଅନୁସାରେ, ମସ୍କୋର ଗୁଇନ୍ଦା ଅଧିକାରୀ ବ୍ୟକ୍ତିଗତ ଭାବେ ବ୍ରିଟେନ ଯାଇ ସିକ୍ରେଟ୍‌ ଡିଜାଇନ୍‌ ଚୋରି କରିଛନ୍ତି। ତେବେ କମ୍ପାନୀ ଦ୍ବାରା ତିଆରି ବ୍ଲୁପ୍ରିଣ୍ଟ କିମ୍ବା ରିସର୍ଚ୍ଚ ପେପର କଣ ଚୋରି ହୋଇଛି ତାହା ସ୍ପଷ୍ଟ ହୋଇପାରିନାହିଁ।

ମିଳିଥିବା ସୂଚନା ଅପନୁସାରେ, ବ୍ରିଟେନ ଭ୍ୟାକସିନ୍‌ ପାଇଁ ଗବେଷଣା ଆରମ୍ଭ କରିବାକୁ ନେଇ ମାର୍ଚ୍ଚ ୨୦୨୦ରେ ଘୋଷଣା କରିବା ପରେ ରୁଷ ହ୍ୟାକର୍ସ ଅକ୍ସଫୋର୍ଡ ୟୁନିଭର୍ସିଟି ଉପରେ ସାଇବର ଆକ୍ରମଣ କରିଥିବା କୁହାଯାଉଛି । ଅକ୍ସଫୋର୍ଡ-ଆଷ୍ଟ୍ରାଜେନିକା ଗତବର୍ଷ ଏପ୍ରିଲ୍‌ରେ ପ୍ରଥମ ଭ୍ୟାକସିନ୍‌ର ମାନବୀୟ ପରୀକ୍ଷଣ ପାଇଁ ଘୋଷଣା କରିଥିଲା । କିନ୍ତୁ ମସ୍କୋ ଏହାକୁ ଟପି ଯାଇଥିଲା। ରୁଷ ଗତବର୍ଷ ଅଗଷ୍ଟରେ ବିଶ୍ବର ପ୍ରଥମ କରୋନା ଭ୍ୟାକସିନ୍‌ ସ୍ପୁଟନିକ୍‌-ଭି ପ୍ରସ୍ତୁତ କରିଥିବା ନେଇ ଘୋଷଣା କରିଦେଇଥିଲା ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.