ଦୁଇ ଦିନ ପାଇଁ ରୁଷର ଯୁଦ୍ଧ ବିରାମ : ନିଷ୍ପତ୍ତିକୁ ପୁଟିନଙ୍କ ଚାଲ୍ କହିଲେ ଜେଲେନ୍‌ସ୍କୀ

Published By : Prameya-News7 Bureau | January 06, 2023 IST

ନୂଆଦିଲ୍ଳୀ, ୦୬/୦୧: ରୁଷ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନ୍ ଗୁରୁବାର ୟୁକ୍ରେନରେ ୩୬ ଘଣ୍ଟାର ପାଇଁ ଯୁଦ୍ଧ ବିରାମ ଘୋଷଣା କରିଛନ୍ତି। ପୁଟିନ୍ ନିଜ ସେନାକୁ ୬ ଜାନୁଆରୀ ରୁ ୭ ଜାନୁଆରୀ ମଧ୍ୟରାତ୍ରୀ ପର୍ଯ୍ୟନ୍ତ ଆକ୍ରମଣ ନକରିବାକୁ ନିର୍ଦେ୍ଦଶ ଦେଇଛନ୍ତି। ଏହି ଆଦେଶ ରୁଷ ଅର୍ଥୋଡକ୍ସ ଚର୍ଚ୍ଚର ମୁଖ୍ୟ ପାଟ୍ରିଆର୍କ କିରିଲଙ୍କ ପ୍ରସ୍ତାବ ପରେ ଆସିଛି। ଏହି ନିଷ୍ପତ୍ତି ଫଳରେ ୟୁକ୍ରେନରେ ଥିବା ରୁଷ ସୈନିକ କ୍ରୀଷ୍ଟମାସ୍ ପାଳନ କରିପାରିବେ ବୋଲି କ୍ରେମାଲିନ୍ ତରଫରୁ କୁହାଯାଇଛି।

ସପେଟେ କିନ୍ତୁ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମୀର ଜେଲେନସ୍କୀ ଏହା ପୁଟିନଙ୍କ ଚାଲ୍ ବୋଲି କହିଛନ୍ତି। ସେ କହିଛନ୍ତି ଯେ ଏମିତି କରି ରୁଷ ପୂର୍ବ ଡୋନବାସରେ ୟୁକ୍ରେନ ସେନାକୁ ପ୍ରତିହତ କରିବା ଏବଂ ଅଧିକ ସଂଖ୍ୟାରେ ସୈନିକଙ୍କୁ ନିୟୋଜିତ କରିବା ପାଇଁ କରୁଛି।

ସୂଚନାଯୋଗ୍ୟ, ରୁଷିଆର ଅର୍ଥୋଡକ୍ସ ଖ୍ରୀଷ୍ଟମାସ୍ ଜାନୁଆରୀ ୭ ରେ ପାଳନ ହେବାକୁ ଯାଉଛି। ପ୍ରକୃତରେ ସାରା ଦୁନିଆରେ ଡିସେମ୍ବର ୨୫ ରେ ଖ୍ରୀଷ୍ଟମାସ ପାଳନ କରାଯାଏ। କିନ୍ତୁ ଦୁନିଆର ୧୨ ପ୍ରତିଶତ ଇସାଇ ଏହି ଉତ୍ସବ ପାଳନ କରିବା ପାଇଁ ଜାନୁଆରୀ ୭ ର ଅପେକ୍ଷା କରିଥାନ୍ତି। ପ୍ରାୟ ୨୬୦ ମିଲିୟନ ଲୋକ ଅର୍ଥୋଡକ୍ସ ଖ୍ରୀଷ୍ଟମାସ୍ ପାଳନ କରିଥାନ୍ତି। ରୁଷ, ଗ୍ରୀସ, ଇଥିଓପିଆ ଏବଂ ମିଶର ସହ ଅନ୍ୟଦେଶରେ ଏହା ପାଳନ କରାଯାଇଥାଏ।

ପୂର୍ବରୁ ପୁଟିନ ଏବଂ ଜେଲନସ୍କୀ ତୁର୍କୀର ରାଷ୍ଟ୍ରପତି ତାଇପ ଇରଦୋଗାନଙ୍କ ସହ ଫୋନରେ କଥା ହୋଇଛନ୍ତି। ପୁଟିନ୍ ଏହି ସମୟରେ ୟୁକ୍ରେନ ସହ ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.