ଜୋ ବାଇଡେନଙ୍କ ଭଉଣୀ ଏବଂ ଦୁଇ ଭାଇଙ୍କ ରୁଷ ପ୍ରବେଶ ଉପରେ କଟକଣା, ଯେସାକୁ ତେସା ନୀତିରେ ପୁଟିନ

Published By : Prameya-News7 Bureau | November 12, 2022 IST

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଯେସାକୁ ତେସା ନୀତି ଆପଣାଇ ଆଗକୁ ଚାଲିଛନ୍ତି । ଏବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ପରିବାରକୁ ନେଇ ଏପରି ଏକ ନିଷ୍ପତ୍ତି ନେଇଛନ୍ତି । ନୂଆ କଟକଣାରେ ଆମେରିକାର ୨୦୦ ଜଣ ନାଗରିକଙ୍କ ରୁଷରେ ପ୍ରବେଶ ଉପରେ କଟକଣା ଲାଗୁ କରିଛି ମସ୍କୋ । ଏହି ୨୦୦ ନାଗରିକଙ୍କ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଭଉଣୀ ଏବଂ ଦୁଇ ଭାଇ ଅଛନ୍ତି । ପୁଟିନଙ୍କ ଏହି ନିଷ୍ପତ୍ତି ଆମେରିକାକୁ ତାରି ଭାଷରେ ଜବାବ ବୋଲି ଅନେକ ଦାବି କରିଛନ୍ତି ।  

ଖବର ଅନୁସାରେ ବେଲେରୀ ବାଇଡେନ, ଜେମ୍ସ ବ୍ରାୟନ ବାଇଡେନ ଏବଂ ପ୍ରାନ୍ସିସ ୱିଲିୟମ ବାଇଡେନଙ୍କ ରୁଷରେ ପ୍ରବେଶ ଉପରେ କଟକଣା ଲାଗୁ କରାଯାଇଛି । କେବଳ ଏତିକି ନୁହେଁ, ଏହି ସୂଚୀରେ ହ୍ୱାଇଟ୍ ହାଉସର ପ୍ରେସ ସଚିବ କ୍ୟାରିନ ଜିନ ପେୟରୀ ସାମିଲ ଅଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ୟୁକ୍ରେନ ଉପରେ ଆକ୍ରମଣ ପରଠୁ ଆମେରିକା ଏବଂ ପାଶ୍ଚାତ୍ୟ ଦେଶ ରୁଷ ଉପରେ କଟକଣା ଲାଗୁ କରିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ଖେରସନରୁ ରୁଷ ସେନା ହଟିବା ପରେ ୟୁକ୍ରେନ ସେନା ନଭେମ୍ୱର ୧୧ରେ ପୁଣି ଥରେ ଏହି ଅଞ୍ଚଳକୁ କବଜା କରିଛନ୍ତି । ୟୁକ୍ରେନ ବିଦେଶ ମନ୍ତ୍ରୀ ରୁଷ ସେନାର ଖେରସନରୁ ହଟିବା ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି । ଫେବ୍ରୁଆରୀରେ ରୁଷର ଆକ୍ରମଣ ପରଠାରୁ ପ୍ରଥମ ଥର ପାଇଁ ୟୁକ୍ରେନରେ ଏହିପରି କିଛି ଘଟିଛି, ଯାହାକୁ କିଭ ନିଜ ବିଜୟ ରୂପେ ଦେଖୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.