ଋଷିଆର ଗୋଟିଏ ଘୋଷଣା ଅନ୍ତର୍ଜାତୀୟ ବଜାରରେ ବଢାଇ ଦେଲା ଅଶୋଧିତ ତୈଳ ଦର, ଜାଣନ୍ତୁ କେତେ?
10/02/2023 at 8:58 PM

ନୂଆଦିଲ୍ଲୀ ୧୦।୨: ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ଶୁକ୍ରବାର ବୃଦ୍ଧି ହୋଇଛି। ଏହି ମୂଲ୍ୟବୃଦ୍ଧି ଋଷିଆର ଘୋଷଣା ପରେ ହୋଇଛି। ଋଷିଆ ଉପପ୍ରଧାନମନ୍ତ୍ରୀ ଆଲେକଜାଣ୍ଡାର ନୋଭାକ୍ ତାଙ୍କ ଦେଶ ମାର୍ଚ୍ଚ ମାସରୁ କ୍ରୁଡ ଅଏଲ ଉତ୍ପାଦନରେ ଦୈନିକ ୫ ପ୍ରତିଶତ ଅର୍ଥାତ ୫ ଲକ୍ଷ ବାରଲ ହ୍ରାସ କରିବ ବୋଲି ଘୋଷଣା କରିଛନ୍ତି। ଋଷିଆ ଏଭଳି ଏକ ସମୟରେ ଏହି ଘୋଷଣା କରିଛି ଯେତେବେଳେ ପାଶ୍ଚାତ୍ୟ ଦେଶମାନେ ଋଷିଆ ଅୟେଲ ଓ ଅୟେଲ ଉତ୍ପାଦର ଅଧିକତମ ମୂଲ୍ୟ ଲାଗି ଏକ ସୀମା ଧାର୍ଯ୍ୟ କରିଛନ୍ତି।
ନୋଭାକ କହିଛନ୍ତି ଯେ ଋଷିଆ ଭାବୁଛି ଋଷୀୟ ତେଲ ଓ ପେଟ୍ରୋଲିୟମ ଉତ୍ପାଦର ମୂଲ୍ୟ ସୀମିତ କରିବା ପାଇଁ ତା ଉପରେ କଟକଣା ଜାରି କରିବା ବଜାର ସମ୍ପର୍କିତ ହସ୍ତକ୍ଷେପ କରିବା ଭଳି। ମାର୍ଚ୍ଚରେ ଉତ୍ପାଦନ ହ୍ରାସ ହେଲେ ବଜାର ସମ୍ପର୍କରେ ସଂଶୋଧନ କରାଯାଇ ପାରିବ। ଋଷିଆର ଏହି ଘୋଷଣା ପରେ ଶୁକ୍ରବାର ବ୍ରେଣ୍ଟ କ୍ରୁଡର ମୂଲ୍ୟ ପାଖାପାଖି ୨ ପ୍ରତିଶତ ବୃଦ୍ଧି ହୋଇ ବାରଲ ପିଛା ଦର ୮୬ ଡଲାର ପାର ହୋଇଛି। ଉଲ୍ଲେଖଯୋଗ୍ୟ ଯେ ସାଉଦୀ ଆରବ ପରେ ଋଷିଆ ବିଶ୍ୱର ଦ୍ୱିତୀୟ ବୃହତ୍ତମ ତୈଳ ଯୋଗାଣକାରୀ ଦେଶ।

ନୋଭାକ କହିଛନ୍ତି ଯେ ବର୍ତ୍ତମାନ ପରିପ୍ରେକ୍ଷୀରେ ଋଷିଆ ଉତ୍ପାଦନ କରୁଥିବା ତୈଳ ବିଦେଶୀ ବଜାରରେ ବିକିବାକୁ ସକ୍ଷମ ହେଉଛି। ତେବେ ପାଶ୍ଚାତ୍ୟ ଦେଶଙ୍କ ପକ୍ଷରୁ ଜାରି ମୂଲ୍ୟ କଟକଣା ପାଳନ କରିବ ନାହିଁ ବୋଲି ସେ କହିଛନ୍ତି। ସେ କହିଛନ୍ତି ଯେ ଆଗକୁ ବଜାର ପରିସ୍ଥିତି କିପରି ରହିବ ଆମେ ସେହି ଆଧାରରେ ସେତେବେଳେ ନିଷ୍ପତ୍ତି ନେବୁ।
ଉଲ୍ଲେଖଯୋଗ୍ୟ ଯେ ଜି-୭ ଦେଶମାନେ, ଇୟୁରୋପୀୟ ୟୁନିୟନ ଓ ଅଷ୍ଟ୍ରେଲିଆ ମିଳିତ ଭାବେ ସମୁଦ୍ର ରାସ୍ତାରେ ଋଷରୁ ଆମଦାନୀ ହେଉଥିବା ଅଶୋଧିତ ତୈଳର ଅଧିକତମ ମୂଲ୍ୟ ବାରଲ ପିଛା ୬୦ ଡଲାର ଧାର୍ଯ୍ୟ କରିଛନ୍ତି। ଏହି ନୂଆ ଦର ୫ ଡିସେମ୍ବର ୨୦୨୨ରୁ ଲାଗୁ ହୋଇଛି। ତେବେ ଋଷିଆ ଏହି ମୂଲ୍ୟ କଟକଣାକୁ ପ୍ରାଧାନ୍ୟ ଦେଉ ନାହିଁ। ଋଷିଆ ତାର ତୈଳ ଓ ତୈଳ ଉତ୍ପାଦିତ ସାମଗ୍ରୀକୁ ବିଦେଶରେ ବେଶ ଉଚ୍ଚ ଦରରେ ବିକିବାକୁ ସକ୍ଷମ ହେଉଛି।