ୟୁକ୍ରେନର ୪ ଅଞ୍ଚଳକୁ ନିଜ ସହ ମିଶାଇନେଲା ଋଷିଆ, ସନ୍ଧିପତ୍ରରେ ସ୍ୱାକ୍ଷର କଲେ ପୁଟିନ

Published By : Prameya-News7 Bureau | September 30, 2022 IST

ମସ୍କୋ ୩୦।୯: ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନ ଶୁକ୍ରବାର ଋଷିଆ ଅଧିକୃତ ୟୁକ୍ରେନର ୪ ଅଞ୍ଚଳକୁ ନିଜ ଦେଶରେ ସାମିଲ ଲାଗି ଅଧିକାରୀକ କାଗଜାତରେ ସ୍ୱାକ୍ଷର କରିଛନ୍ତି। ଡକ୍ୟୁମେଣ୍ଟରେ ଦସ୍ତଖତ କରି ପୁଟିନ ୟୁକ୍ରେନ ଓ ପାଶ୍ଚାତ୍ୟ ଦେଶଙ୍କୁ ଚେତାବନୀ ମଧ୍ୟ ଦେଇଛନ୍ତି। କହିଛନ୍ତି ଯେ ଡୋନେଟସ୍କ,ଲୁହାଂସ୍କ, ଜାପୋରିଜିଆ ଓ ଖେରସନର ଲୋକେ ଏବେ ଋଷୀୟ ନାଗରିକ। ଯଦି ସେମାନଙ୍କ ଉପରେ ଆକ୍ରମଣ ହେଲା ଏବେ ଋଷିଆ ଉପରେ ଆକ୍ରମଣ ବୁଝାଯିବ।

ପୁଟିନ କହିଛନ୍ତି ଯେ ଋଷିଆ ନିଜର ସାର୍ବଭୌମତା ଓ ନାଗରିକଙ୍କ ସୁରକ୍ଷା ପାଇଁ ପୂର୍ଣ୍ଣ କ୍ଷମତାରେ ଜବାବୀ କାର୍ଯ୍ୟାନୁଷ୍ଠାନ କରିବ। ଏହି ଅବସରରେ ପୁଟିନ ୟୁକ୍ରେନ ଆକ୍ରମଣ ଯୋଗୁ ନଷ୍ଟ ହୋଇଥିବା ହସ୍ପିଟାଲ, ସ୍କୁଲ ଓ ଅନ୍ୟ ସାର୍ବଜନିକ ସ୍ଥଳର ପୁନନିର୍ମାଣ ହେବ ବୋଲି କହିଛନ୍ତି। ସେହିପରି ଯୁଦ୍ଧରେ ନିହତ ଋଷୀୟ ସୈନ୍ୟ ଅଧିକାରୀ ଓ ଡୋନବାସର ନାଗରିକଙ୍କୁ ପୁଟିନ ଶହିଦଙ୍କ ମାନ୍ୟତା ଦେଇଛନ୍ତି ଓ ଭାଷଣ କାଳରେ ମୃତ ସୈନିକଙ୍କ ଲାଗି ୨ ମିନିଟ୍ ନିରବ ପ୍ରାର୍ଥନା ମଧ୍ୟ କରିଛନ୍ତି।

ଏହି ଅବସରରେ ପୁଟିନ ବିଶ୍ୱାସବ୍ୟକ୍ତ କରିଛନ୍ତିଯେ ସଂଘୀୟ ବିଧାନସଭା ଋଷିଆରେ ନୂଆ ଅଞ୍ଚଳଙ୍କ ଔପଚାରିକ ପ୍ରବେଶ ଲାଗି ଆଇନର ସମର୍ଥନ କରିବେ। କାରଣ ଏହା ଲକ୍ଷଲକ୍ଷ ଲୋକଙ୍କ ଇଛା ବୋଲି ସେ କହିଛନ୍ତି। ଏଥିରେ ପୁଟିନ ଆମେରିକା ଉପରେ ଦେଶର ପୂର୍ବବର୍ତ୍ତି ନେତାମାନଙ୍କୁ ଉସକାଇବାର ଆରୋପ ମଧ୍ୟ ଲଗାଇଥିଲେ। ପାଶ୍ଚାତ୍ୟ ଦେଶମାନେ ଆମର ପୂର୍ବବର୍ତ୍ତି ନେତାମାନଙ୍କୁ ଅସ୍ତ୍ରଶସ୍ତ୍ର ହ୍ରାସ କରିବା ପାଇଁ ରାଜି କରି ମୁର୍ଖ ବନେଇଥିଲେ ବୋଲି ସେ କହିଛନ୍ତି। ଆମେରିକାକୁ ବାଦ ଦେଲେ ସାରା ବିଶ୍ୱରେ କୌଣସି ଦେଶ ଏପର୍ଯ୍ୟନ୍ତ ପରମାଣୁ ଅସ୍ତ୍ରଶସ୍ତ୍ରର ଉପଯୋଗ କରିନଥିବା ପୁଟିନ କହିଛନ୍ତି।

ଏହି ଅଭିଭାଷଣ କାଳରେ ପୁଟିନ ୟୁକ୍ରେନକୁ ଯୁଦ୍ଧବୀରାମ (ସିଜଫାୟାର) ଲାଗି ମଧ୍ୟ ନିବେଦନ କରିଛନ୍ତି। କହିଛନ୍ତି ପାଶ୍ଚାତ୍ୟ ଦେଶଙ୍କ ପ୍ରୋତ୍ସାହନରେ ୟୁକ୍ରେନ ସରକାର ନାଜୀବାଦର ଅନୁକରଣ କରୁଛନ୍ତି। ୟୁକ୍ରେନ ସରକାର ଋଷଭାଷୀଙ୍କ ନରସଂହାର କରୁଥିଲେ। ଏଣୁ ନିଜର ଲୋକଙ୍କ ସୁରକ୍ଷା ଋଷିଆର ନୈତିକ ଦାୟିତ୍ୱ ପାଲଟିଯାଇଥିଲା। ଖାସ ଏହି କାରଣରୁ ସେହି ସବୁ ଅଞ୍ଚଳର ଲୋକେ ୟୁକ୍ରେନ ସରକାରଙ୍କ ବିରୋଧରେ ଅସ୍ତ୍ର ଉଠାଇଲେ ଓ ନିଜ ସାମର୍ଥ୍ୟର ପ୍ରଦର୍ଶନ କଲେ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.