ସମୁଦ୍ର କୂଳରେ ମରିପଡ଼ିଛନ୍ତି ୧୭୦୦ ସିଲ୍; ଚିନ୍ତାରେ ସରକାର, କାରଣ ଅସ୍ପଷ୍ଟ
4/12/2022 at 9:25 PM

ମସ୍କୋ: ଦକ୍ଷିଣ ଋଷର ଦାଗିସ୍ତାନ ଅଞ୍ଚଳରେ କାସିପିଆନ ସମୁଦ୍ର କୂଳରେ ମରିପଡ଼ିଛନ୍ତି ଶହ ଶହ ସିଲ୍। ପାଖାପାଖି ୧୭୦୦ ସିଲ୍ ମରିପଡ଼ିଥିବା ରବିବାର ସୂଚନା ଦେଇଛନ୍ତି ଦାଗିସ୍ତାନ ବିଭାଗୀୟ ଅଧିକାରୀ। ତେବେ କାହିଁକି ଏତେ ପରିମାଣରେ ସିଲର ମୃତ୍ୟୁ ହେଲା? ପ୍ରାକୃତିକ କାରଣ ନା ଅନ୍ୟ କୌଣସି କାରଣ ରହିଛି ତାର କାରଣ ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ ବୋଲି ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି।
ଆଞ୍ଚଳିକ ଅଧିକାରୀଙ୍କ କହିବା ଅନୁଶରେ ଶନିବାର ୭୦୦ ମୃତ ସିଲ୍ ସମୁଦ୍ରକୂଳରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ଏହାପରେ ସମୁଦ୍ରକୂଳର ଯାଞ୍ଚ କରିବା ପରେ ୧୭୦୦ ସିଲ୍ ପରିପଡ଼ଥିବା ଜଣାପଡିଥିଲା ବୋଲି କାସପିଆନ ପରିବେଶ ସୁରକ୍ଷା କେନ୍ଦ୍ରର ମୁଖ୍ୟ ଜୌର ଗାପିଜୋଭ ରବିବାର ସୂଚନା ଦେଇଛନ୍ତି।

ଗାପିଜୋଭ ଅନୁମାନ କରି କହିଛନ୍ତି ବୋଧହୁଏ କିଛି ସପ୍ତାହ ହେଲା ଏଭଲି ସିଲ୍ ମଡ଼କ ହେଉଛି। ତେବେ ଶିକାରୀମାନେ ସିଲ୍ ହତ୍ୟା କରୁଥିବା କାରଣ ଜଣାପଡ଼ୁ ନାହିଁ ବୋଲି ଗାପିଜୋଭ କହିଛନ୍ତି। ଏହି ଘଟଣା ପରେ ବିଶେଷଜ୍ଞମାନେ ସମୁଦ୍ରକୂଳର ଯାଞ୍ଚ କରୁଛନ୍ତି। ହେଲେ କୌଣସି ପ୍ରଦୂଷଣ ହୋଇଥିବା ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ।