ଯୁଦ୍ଧକୁ ନେଇ ଦୁଇ ଦେଶର ଜ୍ୟୋତିର୍ବିଦଙ୍କ ମଧ୍ୟରେ ଲଢେଇ, ଭ୍ଲାଡ୍ ରସ୍ଙ୍କ କହିଲେ ବିଜୟୀ ହେବ ଋଷ
6/07/2022 at 11:04 AM

ମସ୍କୋ ୦୬/୦୭: ରୁଷ ଓ ୟୁକ୍ରେନ୍ ମଧ୍ୟରେ ୪ ମାସ ହେଲା ଯୁଦ୍ଧ ଲାଗିରହିଥିବା ବେଳେ ଏବେ ଏହାକୁ ନେଇ ଦୁଇଦେଶର ଜ୍ୟୋତିର୍ବିଦଙ୍କ ମଧ୍ୟରେ ଲଢ଼େଇ ଆରମ୍ଭ ହୋଇଯାଇଛି ।ଯୁଦ୍ଧରେ ରୁଷ ହିଁ ବିଜୟୀ ହେବା ନେଇ ଦେଶର ଜ୍ୟୋତିର୍ବିଦ୍ମାନ ଆକଳନ କରିଛନ୍ତି । ସେପଟେ ୟୁକ୍ରେନ୍ର ଜ୍ୟୋତିଷମାନେ ବିପରୀତ ପୂର୍ବାନୁମାନ ଲଗାଇଛନ୍ତି ।
ୟୁକ୍ରେନ୍ ଗଣମାଧ୍ୟମରେ ଜଣେ ଅତି ପରିଚିତ ଜ୍ୟୋତିର୍ବିଦ୍ ଭ୍ଲାଡ୍ ରସ୍ ଋଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍କୁ ନେଇ ବଡ଼ ବୟାନ ଦେଇଛନ୍ତି । ସେ କହିଛନ୍ତି, ପୁଟିନଙ୍କ ସ୍ୱାସ୍ଥ୍ୟାବସ୍ଥା ଅତ୍ୟନ୍ତ ଖରାପ ରହିଛି । ସେ ଖୁବ୍ ବେଶିରେ ୨୦୨୩ ମାର୍ଚ୍ଚ ପର୍ଯ୍ୟନ୍ତ ତିଷ୍ଠିପାରିବେ । ପୁଟିନଙ୍କ ପରେ ଋଷର ଆଭିମୁଖ୍ୟ ସମ୍ପୂର୍ଣ୍ଣ ବଦଳିଯିବ ।
ଏହା ସେତେ ଆକ୍ରାମକ ହେବନାହିଁ । ଏହାଦ୍ୱାରା ଦୁଇଦେଶ ମଧ୍ୟରେ ସମ୍ପର୍କ ଭଲ ହେବା ସମ୍ଭାବନା ରହିଛି । ୟୁକ୍ରେନର ଆଉଜଣେ ଜ୍ୟୋତିର୍ବିଦ୍ ଆଞ୍ଜେଲା ପର୍ଲ କହିଛନ୍ତି, ଋଷର ଗ୍ରହ ସାଟର୍ନ (ଶନି ଗ୍ରହ) ଥିବା ବେଳେ ୟୁକ୍ରେନ୍ର ଗ୍ରହ ୟୁରାନସ୍ (ଅରୁଣ ଗ୍ରହ) ରହିଛି । ତେଣୁ ଯୁଦ୍ଧରେ ୟୁକ୍ରେନର ବିଜୟ ନିଶ୍ଚିତ । ଯୁଦ୍ଧ ଲମ୍ବା ଅବଧି ପାଇଁ ଜାରି ରହିପାରେ । କିନ୍ତୁ ଶେଷରେ ରୁଷ ପରାଜିତ ହେବ ।
ୟୁକ୍ରେନ୍ ପାଇଁ ୟୁରୋପ ଓ ଆମେରିକା ପକ୍ଷରୁ ଆହୁରି ସହାୟତା ଆସିବ । ପୁଟିନଙ୍କୁ ରୋକିବା ପାଇଁ ସମସ୍ତେ ଏକାଠି ହେବେ ବୋଲି ଆଞ୍ଜେଲା ଆଶାବ୍ୟକ୍ତ କରିଛନ୍ତି । ଯୁଦ୍ଧ ଆରମ୍ଭରୁ ୟୁକ୍ରେନ୍ ବାସୀଙ୍କୁ ଚିନ୍ତା ଘାରିଛି । ସେମାନେ ପରମାଣୁ ଯୁଦ୍ଧକୁ ନେଇ ଭୟଭୀତ ଅବସ୍ଥାରେ ଅଛନ୍ତି । ଏ ବାବଦରେ ଜାଣିବା ପାଇଁ କିଛି ନାଗରିକ ଜ୍ୟୋତିର୍ବିଦଙ୍କ ପାଖକୁ ଯାଇ ଭବିଷ୍ୟତ ବାବଦରେ ପଚାରି ବୁଝୁଛନ୍ତି ।
ପରମାଣୁ ଯୁଦ୍ଧର ସମ୍ଭାବନା ଥିଲେ ସେମାନେ ୟୁକ୍ରେନ୍ ଛାଡ଼ି ଅନ୍ୟତ୍ର ପଳାଇବାକୁ ମନସ୍ଥ କରିଛନ୍ତି । ଏ ନେଇ ଜ୍ୟୋତିର୍ବିଦ୍ ଓଲେନା ଉମାନେଟ୍ସ କୁହନ୍ତି, ୨୦୨୩ ମାର୍ଚ୍ଚରେ ଋଷ ପରମାଣୁ ବୋମା ପକାଇପାରେ । ସେପଟେ ରୁଷୀୟ ନାଗରିକମାନେ ମଧ୍ୟ ଯୁଦ୍ଧର ଭବିଷ୍ୟତ ଫଳାଫଳ ଜାଣିବା ପାଇଁ ଜ୍ୟୋତିର୍ବିଦଙ୍କ ପାଖକୁ ଯାଉଛନ୍ତି ।
ଏ ବାବଦରେ କୋରୋଲ୍ୟୋଭା ନାମକ ଜଣେ ଜ୍ୟୋତିର୍ବିଦ୍ କୁହନ୍ତି, ମସ୍କୋ କେବଳ ଆର୍ଥିକ ସମସ୍ୟାରୁ ବାହାରିବ ନାହିଁ, ଯୁଦ୍ଧରେ ମଧ୍ୟ ବିଜୟ ଲାଭ କରିବ । ସେପ୍ଟେମ୍ବରରେ ଯୁଦ୍ଧ ନିର୍ଣ୍ଣାୟକ ମୋଡ଼ ନେଇପାରେ ଏବଂ ଋଷ ଏଥିରେ ଜିତିବ । ଚଳିତବର୍ଷ ଫେବ୍ରୁଆରୀ ୨୪ରେ ପୁଟିନ୍ ୟୁକ୍ରେନକୁ ସେନା ପଠାଇବା ପରଠାରୁ ଜ୍ୟୋଦିର୍ବିଦ୍ କୋରୋଲ୍ୟୋଭାଙ୍କୁ ଫୁରୁସତ ନାହିଁ ।
ମସ୍କୋର ଆଉ ଜଣେ ଜ୍ୟୋତିର୍ବିଦ୍ କନ୍ଷ୍ଟାଇଣ୍ଟିନ୍ ଡାରାଗନ୍ କୁହନ୍ତି, ୟୁକ୍ରେନ୍ ସହ ଲାଗିଥିବା ଯୁଦ୍ଧରେ ଋଷ ଜିତିବ । ଏମିତି କି ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ସହ ଲାଗିରହିଥିବା ବିବାଦରେ ମଧ୍ୟ ମସ୍କୋକୁ ଜିତାପଟ ମିଳିବ । ଏହି ଯୁଦ୍ଧ ପରେ ବିଶ୍ୱର କେନ୍ଦ୍ର ହେବ ଋଷ ।