ଋଷକୁ ଅଟକାଇ ପାରିବନି ୟୁଏନ ! ରହିଛି ଏହି ବଡ କାରଣ

Published By : Prameya-News7 Bureau | February 25, 2022 IST

ନୂଆଦିଲ୍ଲୀ ୨୫।୦୨ : ରୁଷ୍‌ର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ ପୂର୍ବ ୟୁକ୍ରେନ୍‌କୁ ସେନା ପଠାଇ ଦେଇଛନ୍ତି । ୟୁକ୍ରେନ୍‌ର ଲୁହାଂସ୍କ ଓ ଡୋନେସ୍କ ପ୍ରାନ୍ତକୁ ସ୍ୱତନ୍ତ୍ର ଦେଶ ଭାବେ ମାନ୍ୟତା ଦେବା ପରେ ପୁଟିନ୍‌ ଏହି ଆଦେଶ ଦେଇଛନ୍ତି । ଏହାକୁ ୟୁକ୍ରେନ୍‌ ଉପରେ ଆକ୍ରମଣ ଭାବେ ଦେଖାଯାଉଛି । ଆମେରିକା ଓ ଫ୍ରାନ୍ସ ସମେତ କେତେକ ଦେଶ ରୁଷ୍‌ର ଏହି ନିଷ୍ପତ୍ତି ବିରୋଧରେ ଜାତିସଂଘ ସୁରକ୍ଷା ପରିଷଦ(ୟୁଏନ୍‌ଏସସି)ରେ ଜରୁରିକାଳୀନ ବୈଠକ ଡକାଇଛନ୍ତି । ତେବେ ରୁଷ୍‌ ନିକଟରେ ଭିଟୋ କ୍ଷମତା ଥିବାରୁ ୟୁକ୍ରେନ୍‌ରେ ଆଗକୁ ବଢ଼ୁଥିବା ରୁଷ୍‌ ସେନାକୁ ଅଟକା ଯାଇପାରୁନାହିଁ । ୟୁଏନ୍‌ଏସସିର ୫ ସ୍ଥାୟୀ ସଦସ୍ୟ ଆମେରିକା, ରୁଷ୍‌, ବ୍ରିଟେନ୍‌, ଫ୍ରାନ୍ସ ଓ ଚୀନ୍‌ଙ୍କୁ ହିଁ ଭିଟୋ କ୍ଷମତା ମିଳିଛି । ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।

ସୁରକ୍ଷା ପରିଷଦ ଏହି ୫ଟି ଯାକ ଦେଶର ସମ୍ମତି ବିନା କୌଣସି ବି ପ୍ରସ୍ତାବକୁ ପାରିତ ବା ଲାଗୁ କରିପାରିବ ନାହିଁ । ୫ଟିରୁ କୌଣସି ଗୋଟିଏ ଦେଶ ଯଦି ତା’ର ଭିଟୋ କ୍ଷମତା ପ୍ରୟୋଗ କରେ, ତା’ହେଲେ ଏହି ପ୍ରସ୍ତାବ ଖାରଜ ହୋଇଯିବ । ବିଶ୍ୱର ଏହି ୫ ବଡ଼ ଶକ୍ତି ମଧ୍ୟରୁ ଗୋଟିଏ ଅସହମତ ହେଲେ ଶାନ୍ତି ଓ ସୁରକ୍ଷା ପ୍ରସଙ୍ଗରେ ୟୁଏନ୍‌ଏସସି ପ୍ରସ୍ତାବ ତ ପାରିତ କରିଦେବ, ହେଲେ ପ୍ରକୃତ ଅର୍ଥରେ ଏହାକୁ ଲାଗୁ କରାଇ ପାରିବ ନାହିଁ । ସେପଟେ ରୁଷ୍‌ ଏବେ ୟୁଏନ୍‌ଏସସିର ଅଧ୍ୟକ୍ଷତା କରୁଛି । ଯଦିଓ ଏହି ପ୍ରସଙ୍ଗରେ ୟୁଏନ୍‌ଏସସିର ଜରୁରୀ ବୈଠକକୁ ଓପନ୍‌ ଡିବେଟ୍‌ ରଖିବା ଲାଗି ଆମେରିକାର ଆଗ୍ରହକୁ ରୁଷ୍‌ ସ୍ୱୀକାର କରିଛି, ତେବେ ଆମେରିକା, ଫ୍ରାନ୍‌ସ, ବ୍ରିଟେନ୍‌ ଜାତିସଂଘ ସୁରକ୍ଷା ପରିଷଦର ବୈଠକ ଜରିଆରେ ତା’ ବିରୋଧରେ କିଛି କରିପାରିବେ ନାହିଁ । କାରଣ ସ୍ଥାୟୀ ସଦସ୍ୟ ହୋଇଥିବା ଯୋଗୁ ରୁଷ୍‌ ପାଖରେ ଭିଟୋ ପ୍ରୟୋଗ କରିବାର କ୍ଷମତା ରହିଛି । ଏଭଳିସ୍ଥିତିରେ ଏହି ଦେଶଗୁଡ଼ିକ ପକ୍ଷରୁ ରୁଷ୍‌ ବିରୋଧରେ ଅଣାଯିବାକୁ ଥିବା କୌଣସି ବି ପ୍ରସ୍ତାବ ପାରିତ ହେବାର ସମ୍ଭାବନା ନାହିଁ ।

ସୂଚନାଥାଉକି, ଭାରତ, ବ୍ରାଜିଲ, ଆଲବେନିଆ, ଘାନା, ଆୟରଲାଣ୍ଡ, କେନିୟା, ମେକ୍ସିକୋ, ନରୱେ, ୟୁଏଇ ପ୍ରମୁଖ ୟୁଏନ୍‌ଏସ୍‌ସିର ଟି-୯୦ ଟ୍ୟାଙ୍କ ଅସ୍ଥାୟୀ ସଦସ୍ୟ ଅଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.