୧୦୦ ଦିନରେ ପହଁଚିଲାଣି ଋଷ-ୟୁକ୍ରେନ ଯୁଦ୍ଧ,  ୮୦ ଲକ୍ଷ ଲୋକ ବାସହରା

Published By : Prameya-News7 Bureau | June 04, 2022 IST

ନୂଆଦିଲ୍ଲୀ ୦୪/୦୬:  ରୁଷ-ୟୁକ୍ରେନ ଯୁଦ୍ଧ ଇତିମଧ୍ୟରେ ୧୦୦ ଦିନରେ ପହଞ୍ଚିଛି । ଏହି ସମୟ ଭିତରେ ଉଭୟ ଦେଶର ଅନେକ ଲୋକ ମୃତାହତ ହୋଇଛନ୍ତି । ରୁଷର ପ୍ରଚଣ୍ଡ ଆକ୍ରମଣରେ ୟୁକ୍ରେନର ବଡବଡ ସହର ଧ୍ୱଂସସ୍ତୂପ ପାଲଟିଯାଇଛି । ତଥାପି ରୁଷର ଆକ୍ରମଣ ବନ୍ଦ ହୋଇନାହିଁ । ଡୋନବାସ (ଡୋନେସ୍କ ଓ ଲୁହାଂସ୍କ)କୁ କବ୍‌ଜା କରିବା ଲାଗି ରୁଷ ସେନା ଆକ୍ରମଣ ଜାରି ରଖିଛନ୍ତି । ମିସାଇଲ, ବୋମା ଓ ଗୁଳିଗୋଳା ମାଡରେ ଡୋନବାସର କିଛି ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟିଛି । କିନ୍ତୁ ରୁଷୀ ସେନାକୁ ରୋକିବା ଲାଗି ୟୁକ୍ରେନ ସେନା ଯଥାସମ୍ଭବ ପ୍ରୟାସ କରୁଛନ୍ତି । କିନ୍ତୁ ଲକ୍ଷ୍ୟ ପୂରଣ ହେବା ପର୍ଯ୍ୟନ୍ତ ୟୁକ୍ରେନ ଉପରେ ସାମରିକ କାର୍ଯ୍ୟାନୁଷ୍ଠାନ ଜାରି ରହିବ ବୋଲି ରୁଷ ପ୍ରତିରକ୍ଷା ମନ୍ତ୍ରଣାଳୟ ମୁଖପାତ୍ର ଡିମିଟ୍ରି ପେସ୍କୋଭ ସ୍ପଷ୍ଟ କରିଦେଇଛନ୍ତି ।

ଅନ୍ୟପକ୍ଷରେ ଏହି ୧୦୦ ଦିନର ଯୁଦ୍ଧ ମଧ୍ୟରେ ୟୁକ୍ରେନ ନିଜ ଦେଶର ୨୦ ପ୍ରତିଶତ ଅଞ୍ଚଳ ହରାଇସାରିଲାଣି । ଆଜି ଏହି ତଥ୍ୟ ଦେଇଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି । ଲକ୍‌ଜେମବର୍ଗ ସାଂସଦଙ୍କୁ ସମ୍ବୋଧନ କରି ସେ କହିଛନ୍ତି ପୂର୍ବରୁ ରୁଷ ସମର୍ଥିତ ବିଦ୍ରୋହୀମାନେ କ୍ରମିଆରେ କିଛି ଅଞ୍ଚଳ କବ୍‌ଜା କରି ରଖିଥିଲେ । ବର୍ତ୍ତମାନ ରୁଷର ପଦାତିକ ବାହିନୀ ପକ୍ଷରୁ ଡୋନବାସର କିଛି ଅଞ୍ଚଳକୁ କବ୍‌ଜା କରି ସାରିଲେଣି । ଡୋନବାସରେ ଅନେକ ସହର ରୁଷୀ ସୈନ୍ୟଙ୍କ ନିୟନ୍ତ୍ରଣକୁ ଚାଲିଯାଇଛି । ରୁଷୀ ସୈନ୍ୟମାନେ ଡୋନବାସର କ୍ରମାଟୋର୍ସ୍କ ସହରରେ ନିଜର ପ୍ରଶାସନିକ କାର୍ଯ୍ୟାଳୟ ପ୍ରତିଷ୍ଠା କରିଛନ୍ତି । ଜେଲେନ୍‌ସ୍କି କହିଛନ୍ତି ୨୦୧୪ରେ କ୍ରେମଲିନ ସମର୍ଥିତ ବିଦ୍ରୋହୀ ଓ ରୁଷ ସେନା ୟୁକ୍ରେନର ୪୩ ହଜାର ବର୍ଗ କି.ମି. ଅଞ୍ଚଳ କବ୍‌ଜା କରି ରଖିଛନ୍ତି । ଯାହାକି ନେଦରଲାଣ୍ଡର ଆୟତନ ସହ ସମାନ ।

କିନ୍ତୁ ବର୍ତ୍ତମାନର କିଛି ଅଞ୍ଚଳକୁ ରୁଷୀ ସେନା କବ୍‌ଜା କରିବା ପରେ ୟୁକ୍ରେନର ୧ ଲକ୍ଷ ୨୫ ହଜାର ବର୍ଗ କି.ମି. ସେମାନଙ୍କ ନିୟନ୍ତ୍ରଣକୁ ଚାଲିଯାଇଛି । ଯାହାକି ନେଦରଲାଣ୍ଡ, ବେଲ୍‌ଜିୟମ ଓ ଲକ୍‌ଜେମବର୍ଗ ମିଶିଲେ ଯେତିକି ହେବ ତାହାଠାରୁ ବହୁତ ବଡ । ଏଥିସହିତ ୟୁକ୍ରେନର ପ୍ରାୟ ୩ ଲକ୍ଷ ବର୍ଗ କି.ମି. ଅଞ୍ଚଳ ମାଇନ ଓ ଅଫୁଟା ଗୁଳିଗୋଳାରେ ପ୍ରଦୂଷିତ ହୋଇଛି । ତଥାପି ତାଙ୍କ ଦେଶ ଏହି ଯୁଦ୍ଧରେ ଜିତିବ ବୋଲି ଜେଲେନ୍‌ସ୍କି ଦୃଢ଼ୋକ୍ତି କରିଛନ୍ତି । ସେ କହିଛନ୍ତି ୟୁକ୍ରେନ ସେନା ଗତ ୧୦୦ ଦିନ ହେଲା ରୁଷୀ ସୈନ୍ୟଙ୍କୁ ପ୍ରତିରୋଧ କରିବାରେ ସକ୍ଷମ ହୋଇଛନ୍ତି । ଆଗକୁ ମଧ୍ୟ ଏହି ପ୍ରତିରୋଧ ଜାରି ରହିବ । ରୁଷୀ ସୈନ୍ୟଙ୍କର ଦୃଢ଼ତାର ସହ ମୁକାବିଲା କରୁଥିବାରୁ ସେ ୟୁକ୍ରେନ ସୈନ୍ୟଙ୍କର ଉଚ୍ଚ ପ୍ରଶଂସା ମଧ୍ୟ କରିଛନ୍ତି ।

ସେପଟେ ଜାତିସଂଘ କହିଛି କି ଯୁଦ୍ଧରେ କେହି ଜିତିନାହାନ୍ତି କି ହାରିନାହାନ୍ତି । ଆମକୁ କେବଳ ବହୁତ କିଛି ହରାଇବାକୁ ପଡିଛି । ଜାତିସଂଘର ଅତିରିକ୍ତ ମହାସଚିବ ତଥା ୟୁକ୍ରେନ ପାଇଁ କ୍ରାଇସିସ୍‌ କୋ-ଅର୍ଡିନେଟର ଅମିନ ଅୱଦ କହିଛନ୍ତି ଯେ ୧୦୦ ଦିନ ପରେ ମଧ୍ୟ ଯୁଦ୍ଧ ଜାରି ରହିଛି । ଏହି ଯୁଦ୍ଧରେ କେହି ବିଜୟୀ ହୋଇନାହାନ୍ତି କିମ୍ବା ହେବେ ନାହିଁ । ଯୁଦ୍ଧରେ ଆମେ କେବଳ ଧନ, ଜୀବନ, ଆଶା ଓ ସମ୍ଭାବନାକୁ ହରାଇଛୁ । ଜାତିସଂଘ ମାନବିକ ଅଧିକାର ପରିଷଦର ସୂଚନା ଅନୁଯାୟୀ ଯୁଦ୍ଧ ଯୋଗୁ ପ୍ରାୟ ୬୮ ଲକ୍ଷ ଲୋକ ଦେଶ ଛାଡିଛନ୍ତି । ସେହିଭଳି ଆହୁରି ୮୦ ଲକ୍ଷ ଲୋକ ନିଜ ଦେଶରେ ଘର ଛାଡିବାକୁ ବାଧ୍ୟ ହୋଇଛନ୍ତି । ୨୬୦ ପିଲାଙ୍କର ମୃତ୍ୟୁ ଘଟିଥିଲା ବେଳେ ୪୦୦ରୁ ଅଧିକ ଆହତ ହୋଇଛନ୍ତି। ପ୍ରତି ୩ ପିଲାଙ୍କ ମଧ୍ୟରେ ୨ ଜଣ ବିସ୍ଥାପିତ ହୋଇଥିବା ୟୁନିସେଫ ପକ୍ଷରୁ କୁହାଯାଇଛି ।

କେବଳ ଏତିକି ନୁହେଁ, ଯୁଦ୍ଧରେ ଅନେକ ପିଲା ସେମାନଙ୍କ ପିତା କିମ୍ବା ମାତା କିମ୍ବା ଉଭୟଙ୍କୁ ହରାଇଛନ୍ତି । ଯୁଦ୍ଧ ମଧ୍ୟ ଅନେକ ପିତାମାତାଙ୍କୁ କୋଳଶୂନ୍ୟ କରିଦେଇଛି । କିଛି ଲୋକ ଏଭଳି ଭାବେ ଆଘାତ ପାଇଛନ୍ତି ଯେ ସେମାନେ ଆଉ ପୂର୍ବଭଳି ସ୍ୱାଭାବିକ ଜୀବନ ଜୀଇବା ସମ୍ଭବ ନୁହେଁ । ଏହାବ୍ୟତୀତ ଯୁଦ୍ଧ ଯୋଗୁ ୟୁକ୍ରେନର ଭିତ୍ତିଭୂମି, ଅର୍ଥନୀତି ଓ ସ୍ୱାସ୍ଥ୍ୟ ବ୍ୟବସ୍ଥା ମଧ୍ୟ ଗୁରୁତର ଭାବେ ପ୍ରଭାବିତ ହୋଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ତଥ୍ୟ ଅନୁସାରେ ୟୁକ୍ରେନର ୧୦୩ଟି ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ରୁଷ ଆକ୍ରମଣ କରିଛି । ଫଳରେ ସେଗୁଡିକ ଧ୍ୱଂସ ପାଇଯାଇଛି । ଏଭଳି ସ୍ଥିତିରେ ସେଠାରେ ଆହତ ଓ ଅନ୍ୟାନ୍ୟ ରୋଗୀମାନଙ୍କୁ ଚିକିତ୍ସା କରିବା କଷ୍ଟକର ହୋଇପଡିଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.