ଚୀନକୁ ଟାର୍ଗେଟ୍ କଲେ ଋଷି ସୁନକ : ଭାରତ ସହ ସମ୍ପର୍କକୁ ଆହୁରି ମଜବୁତ ଉପରେ ଦେଲେ ଗୁରୁତ୍ୱ
23/08/2022 at 11:00 AM

ନୂଆଦିଲ୍ଲୀ, ୨୩|୦୮: ଚୀନକୁ ଘେରିଲେ ଋଷ ସୁନକ । ବ୍ରିଟେନ୍ ପ୍ରଧାନମନ୍ତ୍ରୀ ପଦ ପାଇଁ ଲଢୁଥିବା ଋଷି ଡ୍ରାଗନକୁ ଟାର୍ଗେଟ୍ କରିଛନ୍ତି । ଏହାସହ ଭାରତ ଓ ବ୍ରିଟେନ ସମ୍ପର୍କକୁ ସେ ଆହୁରି ମଜବୁତ କରିବା ଦିଗରେ ମତ ଦେଇଛନ୍ତି ।
ସେ କହିଛନ୍ତି ଯେ, ଭାରତ ଓ ବ୍ରିଟେନ୍ ସମ୍ପର୍କକୁ ଟୁ ଓ୍ୱେ କରିବାକୁ ଚାହାଁନ୍ତି । ଏହାଦ୍ୱାରା ବ୍ରିଟେନ୍ ଛାତ୍ର ଓ କମ୍ପାନୀ ସହଜରେ ଭାରତରେ ପହଁଚିପାରିବେ ।
କଞ୍ଜରଭେଟିଭ୍ ଅଫ୍ ଇଣ୍ଡିଆ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିକ କରି ଋଷି ପ୍ରଥମେ ନମସ୍ତେ, ସଲାମ ଓ କେମ୍ ଛୋରୁ ଭାଷଣ ଆରମ୍ଭ କରିଥିଲେ । ଏହାପରେ କହିଥିଲେ ଯେ, ସମସ୍ତେ ତାଙ୍କର ପରିବାର । ଭାରତ ଓ ୟୁକେର ସମ୍ପର୍କ ଖୁବ୍ ଗୁରୁତ୍ୱପୂର୍ଣ୍ଣ । ସେ ଉଭୟ ଦେଶ ମଧ୍ୟରେ ସେତୂ ଭାବେ କାମ କରନ୍ତି । କିନ୍ତୁ ଏହି ସମ୍ପର୍କକୁ ଭିନ୍ନ ଭାବେ ଦେଖିବା ଜରୁରୀ । ଏଠାରେ ବ୍ରିଟେନରେ ରହି ମଧ୍ୟ ସେ ଭାରତରୁ ଅନେକ କିଛି ଶିଖନ୍ତି । ବ୍ରିଟେନ୍ କମ୍ପାନୀ ଭାରତୀୟ କମ୍ପାନୀଙ୍କ ସହ ମିଳିତ ଭାବେ କାମ କରିଥାନ୍ତି । ଏହି ସମ୍ପର୍କ ଆହୁରି ମଜବୁତ କରିବା ଲକ୍ଷ୍ୟ ବୋଲି ସେ କହିଛନ୍ତି ।
ଋଷି ଚୀନକୁ ଟାର୍ଗେଟ୍ କରି କହିଛନ୍ତି ଯେ, ଚୀନର ଆକ୍ରମଣାତ୍ମକ ଆଭିମୁଖ୍ୟଠୁ ବ୍ରିଟେନକୁ ରକ୍ଷା କରିବାକୁ ହେବ । ଚୀନର ସରକାର ଜାତୀୟ ସୁରକ୍ଷା ପ୍ରତି ବିପଦ । ବ୍ରିଟେନ୍ ଦୀର୍ଘଦିନ ଧରି ଏହାର ସାମ୍ନା କରୁଛି । ସେ ପ୍ରଧାନମନ୍ତ୍ରୀ ହେଲେ ଦେଶ ପାଇଁ କିଛି ବି କରିବାକୁ ପ୍ରସ୍ତୁତ ଅଛନ୍ତି । ଏହା ପ୍ରଧାନମନ୍ତ୍ରୀଙ୍କ ପ୍ରଥମ କର୍ତ୍ତବ୍ୟ ଅଟେ । ଏହାପୂର୍ବରୁ ମଧ୍ୟ ସେ ଚୀନକୁ ଏକ ନମ୍ବର ବିପଦ ବୋଲି କହିଥିଲେ ।
ସୂଚନାଯୋଗ୍ୟ, ଋଷି ବ୍ରିଟେନ୍ ପ୍ରଧାନମନ୍ତ୍ରୀ ପଦ ପାଇଁ ନିର୍ବାଚନ ଲଢୁଛନ୍ତି । ତାଙ୍କ ବିପକ୍ଷରେ ଅଛନ୍ତି ଲିଜ୍ ଟ୍ରସ୍ । ଋଷିଙ୍କ ବିଜୟୀ ସମ୍ଭାବନା କମ୍ ଥିଲେ ବି ସେ ଲଗାତର ଭାବେ ଜିତିବାକୁ ପୁରା ଦମ୍ ଲଗାଇ ଦେଇଛନ୍ତି ।