ଗ୍ଲାସିୟର ଭାଙ୍ଗିବା ଘଟଣା : ଋଷଭ ପନ୍ତ ମର୍ମାହତ, ଦାନ କରିବେ ନିଜର ମ୍ୟାଚ୍ ଫି'

Published By : Prameya-News7 Bureau | February 08, 2021 IST

ନୂଆଦିଲ୍ଲୀ, ୦୮|୦୨ :  ଉତ୍ତରାଖଣ୍ଡର ଚମୋଲୀରେ ଗ୍ଲାସିୟର ଭାଙ୍ଗିବା ଘଟଣା ଭାରତୀୟ କ୍ରିକେଟର ଋଷଭ ପନ୍ତଙ୍କୁ ଆଘାତ ଦେଇଛି । ନିଜ ଗୃହରାଜ୍ୟରେ ହୋଇଥିବା ଏହି ଅଘଟଣ ପରେ ପନ୍ତ ବଡ ଘୋଷଣା କରିଛନ୍ତି । ସେ ନିଜ ମ୍ୟାଚ୍ ଫିକୁ ଉଦ୍ଧାର କାର୍ଯ୍ୟରେ ଦାନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ।

ପନ୍ତ ଟ୍ୱିଟରରେ ଉଲ୍ଲେଖ କରିଛନ୍ତି ଯେ, ଉତ୍ତରାଖଣ୍ଡବାସୀଙ୍କ ଜୀବନ ଯାଇଥିବାରୁ ସେ ଖୁବ୍ ମର୍ମାହତ ହୋଇଛନ୍ତି । ସେ ନିଜ ମ୍ୟାଚ୍ ଫି ଦାନ କରିବାକୁ ଘୋଷଣା କରିଛନ୍ତି । ଏହାସହ ସେ ଅନ୍ୟମାନଙ୍କୁ ମଧ୍ୟ ସାହାଯ୍ୟ ପାଇଁ ଆଗକୁ ଆସିବାକୁ ନିବେଦନ କରିଛନ୍ତି । ସୂଚନାଯୋଗ୍ୟ, ପନ୍ତ ଉତ୍ତରାଖଣ୍ଡରେ ରୁହନ୍ତି ।

ପନ୍ତ ଏବେ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ଖେଳୁଛନ୍ତି । ସେ ପ୍ରଥମ ଇନିଂସରେ ଆକର୍ଷଣୀୟ ପ୍ରଦର୍ଶନ କରି ୮୮ ବଲରୁ ୯୧ ରନ୍ କରିଥିଲେ । ଏହି ଇନିଂସରେ ସେ ୫ ଛକା ଓ ୯ ଚୌକା ଲଗାଇଥିଲେ ।

ସୂଚନାଯୋଗ୍ୟ,  ରାଣୀ ଗାଁରେ ଗ୍ଲାସିୟର ଭାଙ୍ଗିବା ପରେ ନିମ୍ନ ଅଞ୍ଚଳରେ ରବିବାର ସକାଳେ କରାଳ ବେଗରେ  ପାଣି ମାଡି ଆସିଥିଲା। ସର୍ବପ୍ରଥମେ ତପୋବନ ସ୍ଥିତ ଏନଟିପିସି ପାଓ୍ଵାର ପ୍ରୋଜେକ୍ଟ ଉପରେ ପ୍ରଳୟଙ୍କର ଭାବେ ପାଣି ବହିଥିଲା। ଅଚାନକ  ପାଣି ମାଡି ଆସିବାରୁ ଲୋକଙ୍କୁ ସମ୍ଭାଳିବାକୁ ସୁଯୋଗ ମିଳିନଥିଲା।

ରିପୋର୍ଟ ଅନୁଯାୟୀ ରବିବାର ଏନଟିପିସିର ଏହି ପ୍ରୋଜେକ୍ଟରେ ପ୍ରାୟ ୧୨୦ ଜଣ  କାମ କରୁଥିଲେ। ଏହା ବ୍ୟତୀତ ଅନ୍ୟ ଲୋକ ମଧ୍ୟ ଏଠାରେ କାମ କରୁଥିଲେ। ହେଲେ ନିମିଷକ ମଧ୍ୟରେ ସମସ୍ତେ ପାଣିରେ ଭାସି ନିଖୋଜ ହୋଇ ଯାଇଛନ୍ତି। ଏଥି ମଧ୍ୟରୁ ୧୬ ଜଣ ଫସି ଯାଇଥିଲେ। ଫସି ରହିଥିବା ଶ୍ରମିକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.