ସ୍ମାର୍ଟଫୋନ ତିଆରି କରୁଥିବା କମ୍ପାନିଙ୍କ ବଢିଲା ଚିନ୍ତା, ଗ୍ରାମାଞ୍ଚଳରେ କମୁଛି ବିକ୍ରି
29/05/2023 at 6:38 PM

ନୂଆଦିଲ୍ଲୀ: ଗ୍ରାମାଞ୍ଚଳରେ ସ୍ମାର୍ଟଫୋନ ବିକ୍ରିରେ ହ୍ରାସ ଘଟିଛି । ଏହି କାରଣରୁ ସ୍ମାର୍ଟଫୋନ ନିର୍ମାତା କମ୍ପାନିଙ୍କ ଚିନ୍ତା ବଢିଛି । ଦେଶର ଛୋଟ ସହର ଏବଂ ଗାଁରେ ସ୍ମାର୍ଟଫୋନର ବିକ୍ରି ୨୦୨୧ର ମଧ୍ୟରୁ ୩୫-୪୦ ପ୍ରତିଶତରେ ସ୍ଥିର ରହିଛି ।
ରିସର୍ଚ୍ଚ କମ୍ପାନି ଆଇଡିସିର ରିପୋର୍ଟ ଅନୁସାରେ, ଗ୍ରାମାଞ୍ଚଳରେ ସ୍ମାର୍ଟଫୋନର ବିକ୍ରିରେ ହ୍ରାସ ଆସିଛି । ଅନ୍ୟପଟେ ମୋବାଇଲ ଉପକରଣ ଏବଂ ୫ଜି ଟେକ୍ନୋଲଜି ଯୋଗୁଁ ମୂଲ୍ୟ ଲଗାତାର ବଢି ଚାଲିଛି । ରିସର୍ଚ୍ଚ ଫାର୍ମ ନିଜ ରିପୋର୍ଟରେ କହିଛି ଯେ ୨୦୨୨ରେ ଦେଶରେ ବିକ୍ରି ହୋଇଥିବା ୧୨.୨ କୋଟି ସ୍ମାର୍ଟଫୋନ ମଧ୍ୟରୁ ୩୫-୪୦ ପ୍ରତିଶତ ଭାରତର ଗ୍ରାମାଞ୍ଚଳରେ କିଣାଯାଇଥିଲା । ଏହି କାରଣରୁ ସ୍ମାର୍ଟଫୋନ କମ୍ପାନିଙ୍କ ମଧ୍ୟ ଚିନ୍ତା ବଢିଛି ।
ରିପୋର୍ଟ ଅନୁସାରେ, ବର୍ତ୍ତମାନ ସ୍ଥିତିରେ ଯଦି ୧୦ ସ୍ମାର୍ଟଫୋନ ବିକ୍ରି ହେଉଛି ତେବେ ଗ୍ରାମାଞ୍ଚଳରେ ଏହା ଭାଗ ମାତ୍ର ୩ପ୍ରତିଶତ ରହିଛି । ଅର୍ଥାତ୍ ମୋଟ ୧୦ ସ୍ମାର୍ଟଫୋନ ବିକ୍ରିରେ ମାତ୍ର ୩ଟି ଗାଁରେ ବିକ୍ରି ହେଉଛି । କିନ୍ତୁ ପୂର୍ବେ ୫ରୁ ୭ ସ୍ମାର୍ଟଫୋନ ଗ୍ରାମୀଣ ଭାରତରେ ବିକ୍ରି ହେଉଥିଲା ।
୫ଜି ନେଟୱାର୍କ ଗ୍ରାମାଞ୍ଚଳରେ ନ ପହଞ୍ଚିବା ସ୍ମାର୍ଟଫୋନ ବିକ୍ରି ହ୍ରାସରେ ଏକ ବଡ଼ କାରଣ ବୋଲି କୁହାଯାଉଛି । ଅନ୍ୟପଟେ ମୋବାଇଲ ଉପକରଣ ମୂଲ୍ୟରେ ବୃଦ୍ଧି ମଧ୍ୟ ଲୋକଙ୍କ ସ୍ମାର୍ଟଫୋନ ପ୍ରତି ମୋହଭଙ୍ଗର ଏକ ପ୍ରମୁଖ କାରଣ ପାଲଟିଛି । ଗତ ଦୁଇ ତିନି ବର୍ଷରେ ସ୍ମାର୍ଟଫୋନର ମୂଲ୍ୟରେ ତୁଳନାତ୍ମକ ରୂପେ ବୃଦ୍ଧି ଘଟିଛି ।