ଡଲାର ତୁଳନାରେ ୫୭ ପଇସା ମଜଭୁତ ହେଲା ଟଙ୍କା
30/04/2020 at 3:28 PM

ମୁମ୍ବାଇ ୩୦।୪: ଘରୋଇ ସେୟାର ବଜାରରେ କାରବାର ଯୋଗୁ ଗୁରୁବାର ଡଲାର ତୁଳନାରେ ଟଙ୍କା ସାମାନ୍ୟ ଦୃଢ ହୋଇଛି। ସେୟାରବଜାରରେ କିଣା ବିକା ଯୋଗୁ ଟଙ୍କା ମଜଭୁତ ହୋଇଥିବା ବେଳେ ଅନ୍ତରବ୍ୟାଙ୍କିଙ୍ଗ ମୁଦ୍ରାବଜାରରେ ଟଙ୍କା ୫୭ ପଇସା ବୃଦ୍ଧି ସହ ପ୍ରତି ଡଲାର ୭୫ଟଙ୍କା ୯ ପଇସାରେ କିଣାବିକା ହେଉଛି।

ଡଲାର ତୁଳନାରେ ଟଙ୍କା ଲଗାତାର ଚତୁର୍ଥ ଦିନ ବୃଦ୍ଧି ରେକର୍ଡ କରିଛି। ବୁଧବାର ପ୍ରତି ଡଲାର ମୂଲ୍ୟରେ ଟଙ୍କା ୫୨ ପଇସା ମଜଭୁତି ହାସଲ କରିବା ସହ ବନ୍ଦ ହୋଇଥିବା ବେଳେ ଗୁରୁବାର ଆଉ ୫ ପଇସା ଅଭିବୃଦ୍ଧି ହାସଲ କରିବା ବ୍ୟାପାର ଜଗତରେ ଉତ୍ସାହ ସୃଷ୍ଟି କରିଛି। ଟଙ୍କାର ଅଭିବୃଦ୍ଧି ସକାଳେ କାରବାର ଆରମ୍ଭ ବେଳରୁ ହିଁ ଜଣାପଡିଯାଇଥିଲା। ଟଙ୍କା ପ୍ରତି ଡଲାର ୪୯ ପଇସା ବୃଦ୍ଧି ସହ ପ୍ରତି ଡଲାର ୭୫ଟଙ୍କା ୧୭ ପଇସାରେ କିଣାବିକା ହୋଇଥିଲା।

ଦିନତମାମ କାରବାର ବେଳେ ଡଲାର କେତେବେଳେ ୭୫ଟଙ୍କା ୨୦ ପଇସା ତ କେତେବେଳେ ୭୪ଟଙ୍କା ୯୪ ପଇସାରେ କାରବାର କରିଥିଲା। ତେବେ ଗତ ଦିନର କାରବାରକୁ ହିସାବକୁ ନେଲେ ଇତିମଧ୍ୟରେ ଟଙ୍କା ଡଲାର ତୁଳନାରେ ୫୭ ପଇସା ବୃଦ୍ଧି ହାସଲ କରିଥିବା ସ୍ପଷ୍ଟ ହୋଇଛି। ଗୁରୁବାର କାରବାର ଶେଷ ସୁଦ୍ଧା ଡଲାର ୭୫.୦୯ରେ ବନ୍ଦ ହୋଇଛି। ଘରୋଇ ସେୟାର ବଜାରରେ ଅଢେଇ ପ୍ରତିଶତର ଅଭିବୃଦ୍ଧି ଭାରତୀୟ ମୁଦ୍ରା ଲାଗି ଏପରି ପରିବେଶ ସୃଷ୍ଟି କରିଛି। ଅନ୍ୟ ଦେଶଙ୍କ ମୁଦ୍ରା ବାସ୍କେଟରେ ଡଲାରର ସୂଚକାଙ୍କ ହ୍ରାସ ଭାରତୀୟ ମୁଦ୍ରାକୁ ମଜଭୁତ କରିଛି।