ସୁପ୍ରିମକୋର୍ଟଙ୍କ ଭର୍ତ୍ସନା ପରେ ରାହୁଲଙ୍କ ପ୍ରତିକ୍ରିୟା: କେନ୍ଦ୍ର ସରକାର ଦେଶରେ କ୍ରୋଧ ଓ ଘୃଣାର ପରିବେଶ ସୃଷ୍ଟି କରୁଛନ୍ତି

Published By : Prameya-News7 Bureau | July 01, 2022 IST

ନୂଆଦିଲ୍ଲୀ: ନୂପୁର ଶର୍ମାଙ୍କ ବିବାଦୀୟ ବୟାନକୁ ନେଇ ଆଜି ସୁପ୍ରିମକୋର୍ଟ ଭର୍ତ୍ସନା କରିବା ପରେ ବିଜେପି ଓ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ବିରୋଧୀ। ଏନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ କେନ୍ଦ୍ର ସରକାରକୁ କଡ଼ା ସମାଲୋଚନା କରିଛନ୍ତି। ଦେଶର ହିଂସା ଓ ଘୃଣାଭାବ କେବଳ ଜଣେ ଲୋକେ ସୃଷ୍ଟି କରି ନାହିଁ କେନ୍ଦ୍ର ସରକାର ଦେଶରେ ଏଭଳି ପରିବେଶ ସୃଷ୍ଟି କରୁଛନ୍ତି ବୋଲି ରାହୁଲ କହିଛନ୍ତି।

କେରଳ ୱାୟନଡ଼ରେ ମିଡିଆକୁ ସମ୍ବୋଧନ କରି ରାହୁଲ କହିଛନ୍ତି “ ସୁପ୍ରିମକୋର୍ଟ ସିନା ଏପରି କହିଲେ, କିନ୍ତୁ ବର୍ତ୍ତମାନର କେନ୍ଦ୍ର ସରକାର ଦେଶରେ ଏଭଳି ପରିବେଶ ସୃଷ୍ଟି କରିଛନ୍ତି। କେବଳ ଜଣେ ଲୋକ ମନ୍ତବ୍ୟରେ ଏଭଳି ସ୍ଥିତି ସୃଷ୍ଟି ହୋଇନି। ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ, ବିଜେପି ଓ ଆର୍‌ଏସ୍‌ଏସ୍‌ ଦେଶରେ ଏଭଳି ପରିବେଶ ସୃଷ୍ଟି କରିଛନ୍ତି। ଘୃଣା ଓ କ୍ରୋଧର ପରିବେଶ ସୃଷ୍ଟିହୋଇଛି। ଏହା ଭାରତ ଓ ଆମ ଲୋକମାନଙ୍କର ସ୍ୱାର୍ଥ ବିରୋଧୀ।”

ପୂର୍ବରୁ ସୁପ୍ରିମକୋର୍ଟ ମାମାଲର ଶୁଣାଣି କରି ନୂପୁର ଶର୍ମାଙ୍କ ବିବାଦୀୟ ବୟାନକୁ ନେଇ ତାଙ୍କୁ ଭର୍ତ୍ସନା କରିଥିଲେ। ତାଙ୍କର ଦାୟିତ୍ୱହୀନ ଭାବେ ଗୋଟିଏ ମନ୍ତବ୍ୟ ସାରା ଦେଶରେ ନିଆଁ ଲଗାଇଦେଲା ବୋଲି କୋର୍ଟ କହିଥିଲେ। ପ୍ରଫେଟ ମହମ୍ମଦଙ୍କ ଉପରେ ତାଙ୍କର ମନ୍ତବ୍ୟ ଶସ୍ତା ରାଜନୀତି ଉଦ୍ଦେଶ୍ୟରେ ହେଉ କମ୍ବା କୌଣସି ମନ୍ଦ ଉଦ୍ଦେଶ୍ୟରେ ଦିଆଯାଇଥିଲା ବୋଲି କୋର୍ଟ କହିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.