ନୂଆଦିଲ୍ଲୀ :ଭାରତୀୟ ସେନା ‘ଅଗ୍ନିପଥ’ ଯୋଜନାରେ ଦେଉଥିବା ଅଗ୍ନିବୀର ନିଯୁକ୍ତି ପ୍ରକ୍ରିୟାରେ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛି। ଏବେ ଅଗ୍ନିବୀର କ୍ଲର୍କ ଓ ଷ୍ଟୋର କିପର ପଦବୀ ନିମନ୍ତେ ଟାଇପିଙ୍ଗ ଟେଷ୍ଟ ଅନିବାର୍ଯ୍ୟ ହେବ। ଏହି ନୂଆ ନିୟମ ୨୦୨୪-୨୫ ରିକୃଇଟମେଣ୍ଟ ସେସନରୁ ଲାଗୁ ହେବ। ଏହି ପରିବର୍ତ୍ତନ ନେଇ ସେନା ଏକ ଅଧିସୂଚନା ଜାରି କରିଛି ଓ ସାରା ଦେଶର ସବୁ ସେନା ବୋର୍ଡକୁ ନୂଆ ନିୟମ ପାଳନ ନିମନ୍ତେ ନିର୍ଦ୍ଦେଶ ଦେଇଛି।
ତେବେ ଟାଇପିଙ୍ଗ ଟେଷ୍ଟ ଷ୍ଟାଣ୍ଡାର୍ଡ ସମ୍ପର୍କରେ ସେନା ପକ୍ଷରୁ ଏ ପର୍ଯ୍ୟନ୍ତ ବିସ୍ତୃତ ସୂଚନା ଜାରି ହୋଇ ନାହିଁ। ହେଲେ ଇଂରାଜୀ ନିମନ୍ତେ ୩୫ଟି ଶବ୍ଦ ପ୍ରତି ମିନିଟ୍ ଓ ହିନ୍ଦୀ ନିମନ୍ତେ ୩୦ ଶବ୍ଦ ପ୍ରତି ମିନିଟ୍ ବେଗର ଚର୍ଚ୍ଚା ହେଉଛି। ଏ ସମ୍ପର୍କରେ ବିସ୍ତୃତ ସୂଚନା ଖୁବ୍ ଶୀଘ୍ର ସେନାର ଅଧିକାରୀକ ଅଧିସୂଚନାରେ ଦିଆଯିବ। ଏହି ନୂଆ ପରିବର୍ତ୍ତନ ସମ୍ପର୍କରେ ଅଧିକ ସୂଚନା ଲାଗି ସେନା ରିକ୍ରୁଇଟମେଣ୍ଟ ୱେବସାଇଟ୍ ‘ଜଏନ ଇଣ୍ଡିଆନ ଆର୍ମି ଡଟ୍ ଏନଆଇସି ଡଟ୍ ଇନ୍’ରେ ଦିଆଯାଇଛି।
ସେନାରେ ଅଗ୍ନିବୀର ଷ୍ଟୋର କିପର ଓ କ୍ଲର୍କ ପଦରେ ନିଯୁକ୍ତି ନିମନ୍ତେ ଦ୍ୱାଦଶ ଶ୍ରେଣୀରେ ଅନୁନ୍ୟ ୬୦ ପ୍ରତିଶତ ମାର୍କ ରଖି ଉତୀର୍ଣ୍ଣ ହୋଇଥିବା ଆବଶ୍ୟକ। ଏହା ସହିତ ସବୁ ବିଷୟରେ ଅନୁନ୍ୟ ୫୦ ପ୍ରତିଶତ ନମ୍ବର ଥିବା ଜରୁରି। କ୍ଲର୍କ ପଦବୀ ନିମନ୍ତେ ଇଂରାଜୀ, ଗଣିତ, ଆକାଉଣ୍ଟ ଏବଂ ବୁକ୍ କିପିଙ୍ଗ ଅନିବାର୍ଯ୍ୟ। ଏହି ପଦବୀ ନିମନ୍ତେ ବୟସ ସୀମା ସାଢେ ୧୭ ବର୍ଷରୁ ୨୧ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ। ଅଗ୍ନିବୀର ରିକ୍ରୁଇଟମେଣ୍ଟ ପ୍ରକ୍ରିୟାରେ ବିଭିନ୍ନ ପର୍ଯ୍ୟାୟ ସାମିଲ। ଯେଉଁଥିରେ ଫିଜିକାଲ ଟେଷ୍ଟ ଓ ଲିଖିତ ପରୀକ୍ଷା ମୁଖ୍ୟ।
ଲିଖିତ ପରୀକ୍ଷା ଅବଧି ୨ ଘଣ୍ଟାର ହୋଇଥିବା ବେଳେ ଏଥିରେ ବହୁ ବିକଳ୍ପ ପ୍ରଶ୍ନ କରାଯାଏ। ପ୍ରତ୍ୟେକ ଭୁଲ ଉତ୍ତର ନିମନ୍ତେ ୨୫ ପ୍ରତିଶତ ନେଗେଟିଭ ମାର୍କିଂ ହୁଏ। ଲିଖିତ ପରୀକ୍ଷାରେ ସଫଳ ହେବା ଲାଗି ସାଧାରଣ ବର୍ଗର ପ୍ରାର୍ଥୀଙ୍କ ନିମନ୍ତେ ଅନୁନ୍ୟ ୩୫ ଅଙ୍କ ପ୍ରାପ୍ତ କରିବା ଆବଶ୍ୟକ। ତେବେ ଟେକ୍ନିକାଲ ପଦର ପ୍ରାର୍ଥୀଙ୍କ ନିମନ୍ତେ ୮୦ ମାର୍କ ନିର୍ଦ୍ଧାରଣ କରାଯାଇଛି। ଏହା ଛଡା ଅଗ୍ନିବୀରଙ୍କ ନିମନ୍ତେ ଏକ ଖୁସି ଖବର ମଧ୍ୟ ରହିଛି। ଚଳିତବର୍ଷ ପ୍ରାରମ୍ଭରେ ପ୍ରତିରକ୍ଷା ମନ୍ତ୍ରାଳୟଙ୍କୁ ପରାମର୍ଶ ମିଳିଛି ଯେ ଅଗ୍ନିବୀରଙ୍କ ସେବାକାଳ ସମାପ୍ତ ହେବା ପରେ ବି ଜରୁରିକାଳୀନ ପରିସ୍ଥିତିରେ ସେମାନଙ୍କର ପୁନଃ ନିଯୁକ୍ତି ହୋଇପାରିବ। ଏହି ପରାମର୍ଶ ଉପରେ ଏବେ ବିଚାରବିମର୍ଶ ଜାରି ରହିଛି।
ବର୍ତ୍ତମାନ ନିୟମ ଅନୁସାରେ ୪ ବର୍ଷ ସେବା ପରେ କେବଳ ଅଧିକତମ ୨୫ ପ୍ରତିଶତ ଅଗ୍ନିବୀରଙ୍କୁ ସେନାରେ ସ୍ଥାୟୀ କରାଯିବ। ବାକି ୭୫ ପ୍ରତିଶତ ବା ତତୋଧିକଙ୍କୁ ଅଗ୍ନିବୀର ସେବା ଛାଡିବାକୁ ପଡିବ। ସେବା ସମାପ୍ତି ସମୟରେ ଅଧିକାଂଶ ଅଗ୍ନିବୀରଙ୍କ ବୟସ ପାଖାପାଖି ୨୫ ବର୍ଷ ମଧ୍ୟରେ ଥିବ। ସେମାନଙ୍କୁ ପୋଲିସ, ଅର୍ଦ୍ଧସାମରିକ ବଳ ଓ ରାଜ୍ୟ ସେବାରେ ଅନେକ ଅବସର ଉପଲବ୍ଧ ହେବ। କିନ୍ତୁ ସେନା ପାଇଁ ମଧ୍ୟ ଏହି ପ୍ରଶିକ୍ଷିତ ଯୁବକଙ୍କୁ ଜରୁରିକାଳୀନ ପରିସ୍ଥିତିରେ ଗୁରୁତ୍ୱ ଦିଆଯିବ।