ଶ୍ରୀମନ୍ଦିରରେ ରୁକ୍ମିଣୀ ହରଣ ଏକାଦଶୀ, ମହାପ୍ରଭୁଙ୍କ ବିବାହ ଉତ୍ସବ ଲାଗି ବିଶେଷ ନୀତି

Published By : Prameya-News7 Bureau | June 11, 2022 IST

ପୁରୀ ୧୧/୦୬: ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଉଛି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିବାହ ଉତ୍ସବ।‌ ଆଜି ମଧ୍ୟ ରୁକ୍ମିଣୀ ହରଣ ଏକାଦଶୀ । ଏଥିପାଇଁ ଶ୍ରୀମନ୍ଦିର ସିଂହଦ୍ଵାରକୁ ବେଶ୍ ସୁନ୍ଦର ଭାବେ ଫୁଲରେ ସାଜସଜ୍ଜା କରାଯାଇଥିବା ବେଳେ ଶ୍ରୀମନ୍ଦିରରେ ବିଶେଷ ନୀତି ମଧ୍ୟ ରହିଛି । ସକାଳଧୂପ ପୂଜା ବସିବା ସମୟରେ ଦକ୍ଷିଣୀ ଘରେ ମଦନମୋହନଙ୍କ ବେଶ ହେବ ।‌ ଏହାପରେ ମଦନମୋହନ ରତ୍ନ ସିଂହାସନକୁ ବିଜେ ହେବେ ।

ଭୋଗ ମଣ୍ଡପ ଶେଷ ପରେ ମଦନମୋହନ ମହାପ୍ରଭୁଙ୍କ ଠାରୁ ଆଜ୍ଞା ମାଳ ପାଇ ଜୟବିଜୟ ଦ୍ୱାରକୁ ବିଜେ କରିବେ‌ । ସକାଳ ଧୂପ ପୂଜା ବଢିବା ପରେ ପୂଜାପଣ୍ଡା ସାମନ୍ତ ଶ୍ରୀଜଗନ୍ନାଥଙ୍କ ଶ୍ରୀ ଅଙ୍ଗରୁ ଆଜ୍ଞାମାଳ ନେଇ ଶ୍ରୀଦେବୀ ରୁକ୍ମିଣୀଙ୍କୁ ଦେବା ପରେ ମହାଜନ ସେବକ ରୁକ୍ମିଣୀଙ୍କୁ ସାତପାହାଚରେ ଥିବା ପାଲିଙ୍କିରେ ବିଜେ କରାଇବେ ।

ପରେ ବିମାନବଡୁ ସେବକ ପାଲିଙ୍କିକୁ ମହାଲକ୍ଷ୍ମୀ ମନ୍ଦିରକୁ ବିଜେ କରାଇ ଅନ୍ୟାନ୍ୟ ନୀତି ବଢିବା ପରେ ବେଶ ସମ୍ପର୍ଣ୍ଣ ହୋଇଥାଏ ।‌ ପରେ ପୁନର୍ବାର ଅନ୍ୟାନ୍ୟ ନୀତି ବଢ଼ି ଶ୍ରୀବିଗ୍ରହ ମାନଙ୍କ ମହାସ୍ନାନ ହୋଇ ନୁଆ ଲୁଗା ଲାଗି କରାଯିବା ପରେ ସନ୍ଧ୍ୟାଧୂପ ନୀତି ବଢ଼ି ସାରିବା ପରେ ମହାପ୍ରଭୁଙ୍କ ବିବାହ ଉତ୍ସଵ ଅନୁଷ୍ଠିତ ହେବ । ଏପଟେ ଆଉ ଦୁଇ ଦିନ ପରେ ପବିତ୍ର ଦେବସ୍ନାନ ପୂର୍ଣ୍ଣମୀ ।

ଏଥିପାଇଁ ତିନି ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ସ୍ନାନ ପୂର୍ଣ୍ଣମୀ ଅବସରରେ ପ୍ରାୟ ୫ ରୁ ୭ ଲକ୍ଷ ଭକ୍ତଙ୍କ ସମାଗମ ହେବ । ଏହାକୁ ଦୃଷ୍ଟିରେ ରଖି ମାର୍କେଟ ଛକ ଠାରୁ ଶ୍ରୀମନ୍ଦିର କାର୍ଯ୍ୟାଳୟ ଓ ଶ୍ରୀନହର ନିକଟରୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ ଜିକଜ୍ୟାକ୍ ବ୍ୟାରିକେଡ଼ କରାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.