ଓଡ଼ିଶା ପାଇଁ ଗୌରବ ଆଣିଲେ ଓଡ଼ିଆ ଝିଅ ରୁଚିକା ଦିବ୍ୟଦର୍ଶିନୀ, ସ୍ଥାପନ କଲେ ବିଶ୍ଵ ରେକର୍ଡ
28/03/2023 at 9:56 PM

ଭୁବନେଶ୍ଵର: ଓଡ଼ିଶା ପାଇଁ ଗୌରବ ଆଣିଲେ ଓଡ଼ିଆ ଝିଅ ରୁଚିକା ଦିବ୍ୟଦର୍ଶିନୀ। କ୍ରମାଗତ ଦ୍ଵିତୀୟ ବର୍ଷ ବ୍ୟକ୍ତିଗତ ସ୍ତରରେ ସର୍ବାଧିକ ଇଂରାଜୀ କବିତା ଲେଖିବା ଏବଂ ପ୍ରକାଶିତ କରିବାରେ ବିଶ୍ଵ ରେକର୍ଡ ସ୍ଥାପନ କରିଛନ୍ତି ରୁଚିକା। ଏହି ବିରଳ ସଫଳତା ପାଇଁ କୋରାପୁଟର ଝିଅ ରୁଚିକାଙ୍କୁ ମଙ୍ଗଳବାର ରାଜଭବନରେ ରାଜ୍ୟପାଳ ଗଣେଶୀ ଲାଲ ମାନପତ୍ର ସହ ସମ୍ମାନିତ କରିଛନ୍ତି। ଇଣ୍ଟରନ୍ୟାସନାଲ ବୁକ୍ସ ଅଫ ରେକର୍ଡ ତରଫରୁ ରୁଚିକାଙ୍କୁ ବିଶ୍ଵ ରେକର୍ଡର ମାନପତ୍ର ଏବଂ ପଦକ ପ୍ରଦାନ କରାଯାଇଛି।

ରୁଚିକା ୨୦୨୧ ଏବଂ ୨୦୨୨ ମଧ୍ୟରେ ୪୦୫ କବିତା ଲେଖି ସାରିଲେଣି। ୨୦୨୨ରେ ତାଙ୍କ ଦ୍ଵାରା ରଚିତ ‘A BODY OF RHAPSODY’ ପୁସ୍ତକ ପ୍ରକାଶ ପାଇଥିଲା। ସେହିପରି ୨୦୨୧ରେ The Epicentric Lyric ନାମକ ପୁସ୍ତକ ପ୍ରକାଶ ପାଇଥିଲା। A BODY OF RHAPSODY’ ପୁସ୍ତକଟି ଗତ ବର୍ଷ ସେପ୍ଟେମ୍ବର ୨୦ରେ ରାଜଭବନରେ ରାଜ୍ୟପାଳ ଗଣେଶୀ ଲାଲଙ୍କ ଦ୍ଵାରା ଉନ୍ମୋଚିତ ହୋଇଥିଲା।

୨୦୨୧ରେ ରୁଚିକାଙ୍କ ଦ୍ଵାରା ରଚିତ The Epicentric Lyric ନାମକ ପୁସ୍ତକରେ ୨୦୦ଟି କବିତା ରହିଛି। ଏହା ୨୦୨୧ରେ ନୂଆଦିଲ୍ଲୀ ନମ୍ୟା ପ୍ରେସ୍ ଦ୍ଵାରା ପ୍ରକାଶିତ ହୋଇଥିଲା। ରୁଚିକା ସଂପ୍ରତି ଭୁବନେଶ୍ଵରରେ ଡାକ୍ତରୀ ପାଠ୍ୟକ୍ରମ(ନିଟ୍) ପାଇଁ ପ୍ରସ୍ତୁତି କରୁଛନ୍ତି। ହେଲେ ଲେଖା ତାଙ୍କର ଅଗ୍ରାଧିକାରରେ ରହିବ ବୋଲି ରୁଚିକା କହିଛନ୍ତି।

ରୁଚିକାଙ୍କ ଲେଖା ପ୍ରତି ଛୋଟ ବେଳୁ ଅହେତୁକ ରୁଚି ଥିଲା। ଆଉ ଇଂରାଜୀରେ ଭାଷାରେ ଲେଖି ଚାଲିଲେ ଗୋଟିଏ ପରେ ଗୋଟିଏ କବିତା। ଆଉ ତାଙ୍କର ଏମିତି ଲେଖିବାର ପ୍ରୟାସ ଆଜି ତାଙ୍କୁ ସ୍ଵତନ୍ତ୍ର ପରିଚୟ ଦେବା ସହ ବିଶ୍ଵ ରେକର୍ଡର ଅଧିକାରିଣୀ କରି ପାରିଛି।। ତାଙ୍କ ଲେଖାରେ ସାଧାରଣ ଲୋକ ଏବଂ ପ୍ରକୃତି ମଧ୍ୟର ସଂପର୍କର ଭାବନାର ବାସ୍ନା ମହକି ଉଠିଥାଏ।

ସୁଦୂର କୋରାପୁଟ ଜିଲ୍ଲାର ଏକ ଛୋଟ ସହର ସେମିଲିଗୁଡାର ବାସିନ୍ଦା ହେଉଛନ୍ତି ରୁଚିକା ଦିବ୍ୟଦର୍ଶିନୀ(୧୮)। ବାପାଙ୍କ ନାମ ହେଉଛି ବୃନ୍ଦାବନ ପଣ୍ଡା ଏବଂ ମାଆଙ୍କ ନାମ ରେଣୁବାଳା ହୋତା। ବାପା-ମାଆ ମଧ୍ୟ ରୁଚିକାଙ୍କୁ ଲେଖା ପ୍ରତି ଉତ୍ସାହିତ କରି ଆସିଛନ୍ତି। ନିଜ ଝିଅର ଏହି ସଫଳତାରେ ବାପା ବୃନ୍ଦାବନ ଏବଂ ମାଆ ରେଣୁବାଳା ଆନନ୍ଦ ପ୍ରକାଶ କରିଥିବା ବେଳେ ପୂରା ପରିବାର ଖୁସି ପ୍ରକାଶ କରିଛନ୍ତି।