ପ୍ୟାରିସ୍ ପାରାଲିମ୍ପିକ୍ସ; ସୁଟିଂରେ ରୁବିନା ଫ୍ରାନ୍ସିସଙ୍କୁ ଐତିହାସିକ ବ୍ରୋଞ୍ଜ, ଭାରତକୁ ପଞ୍ଚମ ପଦକ

Published By : Prameya-News7 Bureau | September 01, 2024 IST

ପ୍ୟାରିସ୍‌,୦୧/୦୯: ଚଳିତ ପ୍ୟାରିସ୍‌ ପାରାଲିମ୍ପିକ୍ସ ସୁଟିଂରେ ଭାରତୀୟ ସୁଟରଙ୍କ ଚତ୍ମକାର ପ୍ରଦର୍ଶନ । ଶନିବାର ତୃତୀୟ ଦିବସରେ ମହିଳା ସୁଟର ରୁବିନା ଫ୍ରାନ୍ସିସଙ୍କୁ ଐତିହାସିକ ବ୍ରୋଞ୍ଜ ପଦକ ଜିତିଛନ୍ତି । ସେ ମହିଳା ୧୦ମିଟର  ଏୟାର ପିସ୍ତଲ ଇଭେଣ୍ଟରେ ଏହି ସଫଳତା ପାଇଛନ୍ତି । ଭାରତର ପ୍ରଥମ ମହିଳା ପିସ୍ତଲ ସୁଟର ଭାବେ ପାରାଲିମ୍ପିକ୍ସ ପଦକ ଜିତି ଇତିହାସ ସୃଷ୍ଟି କରିଛନ୍ତି ରୁବିନା । ପ୍ୟାରିସ୍‌   କ୍ରୀଡ଼ାରେ ସୁଟିଂରେ ଭାରତକୁ ଚତୁର୍ଥ ପଦକ ମିଳିଛି । ଗତ ଶୁକ୍ରବାର ମହିଳା ୧୦ମି. ଏୟାର ରାଇଫଲ୍‌ ଷ୍ଟାଣ୍ଡିଂ ଇଭେଣ୍ଟରେ ଅବନୀ ଲେଖରା ସ୍ୱର୍ଣ୍ଣ ଓ ମୋନା ଅଗ୍ରୱାଲ ବ୍ରୋଞ୍ଜ, ୧୦ ମିଟର ଏୟାର ପିସ୍ତଲରେ (ଏସ୍‌ଏଚ୍‌୧) ମନୀଷ ନରୱାଲ ରୌପ୍ୟ ପଦକ ଜିତିଥିଲେ। ରୁବିନାଙ୍କ ଐତିହାସିକ  ସଫଳତା ସହ ଭାରତର ପଦକ ସଂଖ୍ୟା ୫କୁ ବୃଦ୍ଧି ପାଇଛି । 

ମହିଳା ୧୦ମିଟର ଏୟାର ପିସ୍ତଲ  ଫାଇନାଲ୍‌ରେ ରୁବିନା ମୋଟ୍ ୨୧୧.୧ ପଏଣ୍ଟ ସହ ତୃତୀୟ ସ୍ଥାନ ଅଧିକାର କରିଥିଲେ । ଅନ୍ୟ ପଟରେ ଇରାନର ସରେହ ଜାଭନମାର୍ଡି ୨୩୬.୮ ପଏଣ୍ଟ ସହ ସ୍ୱର୍ଣ୍ଣ ଏବଂ ତୁର୍କୀର ଆୟସେଲ ଓଜଗାନ ୨୩୧.୧ ପଏଣ୍ଟ ପାଇ ରୌପ୍ୟ ପଦକ ହାସଲ କରିଛନ୍ତି । ଓଜଗାନଙ୍କ ନାମରେ ପୂର୍ବରୁ ବିଶ୍ୱ ରେକର୍ଡ଼ ରହିଛି । ପୂର୍ବରୁ ଯୋଗ୍ୟତା ରାଉଣ୍ଡ୍‌ରେ ରୁବିନା ମୋଟ ୫୫୬ ପଏଣ୍ଟ ସ୍କୋର ସହ ସପ୍ତମ ସ୍ଥାନରେ ରହି ଫାଇନାଲ୍‌ରେ  ପ୍ରବେଶ କରିଥିଲେ । ସେ ତୃତୀୟ ଓ ପଞ୍ଚମ ସିରିଜରେ ୯୫ ପଏଣ୍ଟ ଏବଂ ଅନ୍ତିମ ସିରିଜରେ ୯୪ପଏଣ୍ଟ ହାସଲ କରିଥିଲେ । ଗତ ଟୋକିଓ ପାରାଲିମ୍ପିକ୍ସରେ ରୁବିନା ଫାଇନାଲ୍‌ରେ ପ୍ରବେଶ କରିଥିଲେ ମଧ୍ୟ ପଦକ ସ୍ୱପ୍ନ ପୂରଣ କରିବାରେ ବିଫଳ ହୋଇଥିଲେ । 

ପୁରୁଷ ୧୦ମିଟର ଏୟାର ରାଇଫଲ୍‌ ଷ୍ଟାଣ୍ଡିଂରେ ଭାରତର ସ୍ୱରୂପ ମହାବୀର ଉନ୍‌ହାଲକର ନିରାଶ କରିଥିଲେ । ସେ ଯୋଗ୍ୟତା ରାଉଣ୍ଡ୍‌ରେ ମୋଟ୍ ୬୧୩.୪ ପଏଣ୍ଟ ସହ ୧୪ତମ  ସ୍ଥାନରେ ରହି ବିଦାୟ ନେଇଥିଲେ ।

  • Paris Olympics 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.