ଅବସର ପ୍ରାପ୍ତ IAS ଭାସ୍କର ଖୁଲବେ ଓ ଅମରଜିତ ସିହ୍ନା ହେଲେ ପ୍ରଧାନମନ୍ତ୍ରୀଙ୍କ ନୂଆ ପରାମର୍ଶଦାତା
22/02/2020 at 7:02 PM

ନୂଆଦିଲ୍ଲୀ ୨୨।୨: ଅବସର ପ୍ରାପ୍ତ ଆଇଏଏସ୍ ଅଫିସର ଭାସ୍କର ଖୁଲବେ ଓ ଅମରଜିତ ସିହ୍ନାଙ୍କୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶଦାତା ନିଯୁକ୍ତ କରାଯାଇଛି। କ୍ୟାବିନେଟ୍ ନିଯୁକ୍ତି ସମିତି (ଏସିସି) ଶନିବାର ଏହି ସୂଚନା ଦେଇଛନ୍ତି। ସେମାନଙ୍କ ଏହି ନିଯୁକ୍ତିକୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମଓ)ଙ୍କ ସ୍ୱୀକୃତି ମଧ୍ୟ ମିଳିଛି। ଖୁଲବେ ଓ ସିହ୍ନା ଉଭୟ ୧୯୮୩ ବ୍ୟାଚ୍ର ଆଇଏଏସ୍ ଅଫିସର। ତେବେ ଖୁଲବେ ପଶ୍ଚିମବଙ୍ଗ କ୍ୟାଡରର ହୋଇଥିବା ବେଳେ ସିହ୍ନା ବିହାରର କ୍ୟାଡରର ଥିଲେ।

ସିହ୍ନା ଗତବର୍ଷ ଗ୍ରାମୀଣ ବିକାଶ ସଚିବ ଭାବେ ଚାକିରୀରୁ ଅବସର ଗ୍ରହଣ କରିଥିବା ବେଳେ ଖୁଲବେ ପୂର୍ବରୁ ପିଏମଓରେ କାର୍ଯ୍ୟ କରିସାରିଛନ୍ତି। ସେମାନଙ୍କର ଏହା କଣ୍ଟ୍ରାକ୍ଚୁଆଲ ନିଯୁକ୍ତି ବୋଲି ସୂଚନା ମିଳିଥିବା ବେଳେ ୨ ବର୍ଷ ଲାଗି ସେମାନେ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶଦାତା ଭାବେ କାର୍ଯ୍ୟ କରିବେ। ସେହିପରି ସରକାରଙ୍କ ସଚିବ ସ୍ତରର ପୁନର୍ନିଯୁକ୍ତି ଅଧିକାରୀଙ୍କ ନିମନ୍ତେ ଲାଗୁ ହେଉଥିବା ନିୟମ ଓ ସର୍ତ୍ତ ସେମାନଙ୍କ ପାଇଁ ମଧ୍ୟ ଲାଗୁ ହେବ।

ତେବେ ଭାସ୍କର ଖୁଲବେଙ୍କୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶଦାତା ନିଯୁକ୍ତ କରାଯାଇଛି। ଖୁଲବେ ଅଲମୋଡାର ଭିକିଆସେଣ ଓ ନୈନିତାଲର ମୂଳ ବାସିନ୍ଦା। ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିଗତ ପରାମର୍ଶଦାତା ହେବାରେ ଖୁଲବେ ସମ୍ପୃକ୍ତ କ୍ଷେତ୍ରର ପ୍ରଥମ ଅଧିକାରୀ । ଅତୀତରେ ଖୁଲବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଜ୍ୟୋତି ବସୁଙ୍କ ଅତ୍ୟନ୍ତ ନିକଟତମ ଅଧିକାରୀ ଥିଲେ ବୋଲି ମଧ୍ୟ ଜଣାପଡିଛି।