ଚିନ୍ତା ବଢାଇଲା କରୋନା: ୟୁକେରୁ ଫେରୁଥିବା ସମସ୍ତ ଯାତ୍ରୀଙ୍କ ଆରଟି-ପିସିଆର ଟେଷ୍ଟ ବାଧ୍ୟତାମୂଳକ, ରହିବେ ସ୍ଵତନ୍ତ୍ର କ୍ଵାରେଣ୍ଟାଇନ୍ ସେଣ୍ଟରରେ

Published By : Prameya-News7 Bureau | December 22, 2020 IST

ନୂଆଦିଲ୍ଲୀ ୨୨।୧୨: ବ୍ରିଟେନ୍‌ରେ ଦେଖାଯାଇଥିବା କରୋନା ଭାଇରସ୍‌ର ନୂତନ ରୂପ ଏବେ ସାରା ଦୁନିଆର ଚିନ୍ତାକୁ ବଢାଇ ଦେଇଛି। ଅନେକ ଦେଶ ବ୍ରିଟେନ୍‌ ସହ ଉଡାଣ ସେବା ବାତିଲ କରିବାରେ ଲାଗିଛନ୍ତି। ଭାରତ ମଧ୍ୟ ବ୍ରିଟେନ୍‌କୁ ବିମାନ ସେବା ବନ୍ଦ କରିଛି। ହେଲେ ଏ ପର୍ଯ୍ୟନ୍ତ ବ୍ରିଟେନ୍‌ରୁ ଫେରିଥିବା ଯାତ୍ରୀଙ୍କ ମଧ୍ୟରୁ ୮ ଜଣ ପଜିଟିଭ୍ ଚିହ୍ନଟ ହେଲେଣି। ଫଳରେ କେନ୍ଦ୍ର ସରକାର ତତ୍ପର ହୋଇ ଉଠିଛି। ଏହାକୁ ନେଇ କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ମଙ୍ଗଳବାର ଗାଇଡ୍‌ଲାଇନ୍‌ ଜାରି ରଖିଛନ୍ତି। ବ୍ରିଟେନ ଫେରନ୍ତାଙ୍କ ପାଇଁ ଭାରତରେ ପହଞ୍ଚିବା ମାତ୍ରେ ଆରଟି-ପିସିଆର ଟେଷ୍ଟ ବାଧ୍ୟତାମୂଳକ କରିଛନ୍ତି।

ଗାଇଡ୍‌ଲାଇନ୍‌ରେ କୁହାଯାଇଛି ଯେ, ବ୍ରିଟେନ୍‌ରୁ ଫେରିଥିବା ସମସ୍ତ ଯାତ୍ରୀଙ୍କ ଆରଟି ପିସିଆର ଟେଷ୍ଟ ବାଧ୍ୟତାମୂଳକ। ଯେଉଁମାନେ କରୋନା ପଜିଟିଭ୍ ଚିହ୍ନଟ ହେବେ ସେମାନଙ୍କୁ ସଙ୍ଗରୋଧ କେନ୍ଦ୍ରରେ ରଖାଯିବ। ଯେଉଁମାନେ କରୋନାର ନୂତନ ଭାଇରସ୍‌ରେ ପଜିଟିଭ୍ ଚିହ୍ନଟ ହେବେ ସେମାନଙ୍କୁ ଏକ ସ୍ଵତନ୍ତ୍ର ୟୁନିଟ୍‌ରେ ରଖାଯିବ ବୋଲି କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

ସୂଚନାଯୋଗ୍ୟ, ୟୁକେରୁ ଫେରିଥିବା ଯାତ୍ରୀଙ୍କ ମଧ୍ୟରୁ ଦୁଇ ଜଣ କୋଲକାତା ବିମାନ ବନ୍ଦରରେ ଯାଞ୍ଚ ବେଳେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହି ପ୍ରକାରେ ଏ ପର୍ଯ୍ୟନ୍ତ ମୋଟ୍ ୮ ଯାତ୍ରୀ କରୋନା ପଜିଟିଭ୍ ଚିହ୍ନଟ ହୋଇ ସାରିଲେଣି। ୟୁକେରୁ କରୋନା ଭାଇରସ୍‌ର ନୂତନ ସଂକ୍ରମଣ ଚିହ୍ନଟ ହେବା ପରେ ଭାରତ ବୁଧବାର ରାତିରୁ ଡିସେମ୍ବର ୩୧ ତାରିଖ ଯାଏ ୟୁକେରୁ ଆସୁଥିବା ସମସ୍ତ ବିମାନ ଉପରେ କଟକଣା ଲଗାଇଛି।

ଏମ୍ସ ନିର୍ଦ୍ଦେଶକ ଡ. ରଣଦୀପ ଗୁଲେରିଆ କହିଛନ୍ତି, ଆମେ ବର୍ତ୍ତମାନ ସତର୍କ ରହିବାକୁ ପଡିବ। ବ୍ରିଟେନରୁ ଫେରୁଥିବା ସମସ୍ତ ଯାତ୍ରୀଙ୍କୁ ଯାଞ୍ଚ କରିବା ଉଚିତ୍ ଏବଂ ନୂତନ ଭାଇରସ୍ କେମିତି ରହିଛି ଏହାର ଗବେଷଣା ଜରୁରୀ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.