ପୁଣି ବଢ଼ୁଛି କରୋନା ସଂକ୍ରମଣ, RT-PCR ଟେଷ୍ଟିଂ ବୃଦ୍ଧି ପାଇଁ ରାଜ୍ୟକୁ କେନ୍ଦ୍ରର ପରାମର୍ଶ

Published By : Prameya-News7 Bureau | February 21, 2021 IST

ନୂଆଦିଲ୍ଲୀ ୨୧/୦୨: ବଢ଼ୁଛି କରୋନା ମହାମାରୀ, ଘାରିଲାଣି ଚିନ୍ତା। ମହାରାଷ୍ଟ୍ର, କେରଳ ସହ ବିଭିନ୍ନ ରାଜ୍ୟରେ ଏବେ ପୁଣି ଥରେ କରୋନା କୋପ ଦେଖିବାକୁ ମିଳିଛି। ଦୈନିକ ସଂକ୍ରମଣ ପୁଣି ଥରେ ବଢ଼ିଛି। ମହାରାଷ୍ଟ୍ରର ବିଭିନ୍ନ ସ୍ଥାନରେ କର୍ଫ୍ୟୁ, ଲକ୍‌ଡାଉନ୍‌ ଫେରିଛି। ଏବେ କେନ୍ଦ୍ର ଏବଂ ରାଜ୍ୟ ସରକାର ମିଳିତ ଭାବେ କାର୍ଯ୍ୟ କରିବାକୁ ପଡ଼ିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିବା ବେଳେ କରୋନ ସହ ମୁକାବିଲା ପାଇଁ ରଣନୀତି ପ୍ରସ୍ତୁତ ହୋଇଛି।

କରୋନା ସଂକ୍ରମଣ ଲଗାତାର ବୃଦ୍ଧି ପାଉଥିବା ବେଳେ ରାଜ୍ୟରେ ଏବେ ଆରଟି-ପିସିଆର ଟେଷ୍ଟ ବଢ଼ାଇବାକୁ କେନ୍ଦ୍ର ପରାମର୍ଶ ଦେଇଛି। ରାଜ୍ୟଗୁଡ଼ିକୁ ପତ୍ର ଲେଖି ମ୍ୟୁଟେଣ୍ଟ ଷ୍ଟେ୍ରନ୍‌ ଉପରେ ନଜର ରଖିବାକୁ କେନ୍ଦ୍ର ଅପିଲ କରିଛି। କିଛି ଦିନ ହେବ ଦେଶରେ ଆକ୍ଟିଭ୍‌ ମାମଲାରେ ବୃଦ୍ଧି ଘଟିଛି। ପୁରା ଦେଶରେ ମହାରାଷ୍ଟ୍ର ଏବଂ କେରଳରେ ସ୍ଥିତି ଅଣାୟତ୍ତ ଆଡ଼କୁ ଯାଉଥିବା ଦେଖିବାକୁ ମିଳିଛି।

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଅନୁସାରେ, ‘ଦେଶରେ ୭୪ ପ୍ରତିଶତରୁ ଅଧିକ ଆକ୍ଟିଭ୍‌ ମାମଲା କେରଳ ଏବଂ ମହାରାଷ୍ଟ୍ରରେ।’ ଏହା ସହ ଛତିଶଗଡ଼, ମଧ୍ୟପ୍ରଦେଶ ଏବଂ ଜାମ୍ମୁ କାଶ୍ମୀରରେ ନୂଆ ସଂକ୍ରମିତଙ୍କ ସଂଖ୍ୟାରେ ବୃଦ୍ଧି ଘଟୁଛି ବୋଲି ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି। ସାପ୍ତାହିକ ପଜିଟିଭିଟି ରେଟ୍‌ ୧୩.୯ ପ୍ରତିଶତରୁ ୮.୯ ପ୍ରତିଶତ ମଧ୍ୟରେ ରହିଛ।

କେରଳର ଅଲପୁଝା ଜିଲ୍ଲା ପୁଣି ମୁଣ୍ଡବିନ୍ଧାର କାରଣ ପାଲଟିଛି। ଏଠାରେ ସାପ୍ତାହିକ ପଜିଟିଭ୍‌ ହାର ବଢ଼ି ୧୦.୭ରେ ପହଞ୍ଚିଛି। ମହାରାଷ୍ଟ୍ରରେ ଏହି  ହାର ୪.୭ ପ୍ରତିଶତରୁ ୮ ପ୍ରତିଶତ ମଧ୍ୟରେ ରହିଛି। ମହାରାଷ୍ଟ୍ରର ମୁମ୍ବାଇରେ ପରିସ୍ଥିତି ବିଗିଡ଼ିଛି। ଏଠାରେ ସାପ୍ତାହିକ  ପଜିଟିଭ୍‌ ହାର ୧୯ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ହୋଇଛି। ଯେଉଁ ସବୁ ସ୍ଥାନରେ ଏହି ରେଟ୍‌ ବୃଦ୍ଧି ହୋଇଛି ସେହି ସବୁ ସ୍ଥାନରେ ଆରଟି-ପିସିଆର ଟେଷ୍ଟିଂ ବୃଦ୍ଧି କରିବାକୁ କେନ୍ଦ୍ର ସରକାର ପରାମର୍ଶ ଦେଇଛନ୍ତି। ସେପଟେ ଦେଶରେ କରୋନା ଟିକାକରଣ ୧୬ ଜାନୁଆରୀରୁ ଆରମ୍ଭ ହୋଇଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.